ଜଗତସିଂହପୁର, ୦୨/୦୮/୨୦୨୬ (ଓଡ଼ିଶା ସମାଚାର)-ଜିଲ୍ଲାପାଳ ଶ୍ରୀ ଜେ ସୋନାଲ ଙ୍କ ତତ୍ତ୍ୱାବଧାନ ରେ ଜଗତସିଂହପୁର ଜିଲ୍ଲାରେ ବନ୍ୟା ଜନିତ ରିଲିଫ ଓ ଉଦ୍ଧାର କାର୍ଯ୍ୟ ଜୋରଦାର ଚାଲିଛି। ଜିଲ୍ଲା ଜରୁରୀକାଳୀନ ଅଧିକାରୀଙ୍କ ଆଜି ଅପରାହ୍ନ ୫ଟା ସୁଦ୍ଧା ମିଳିଥିବା ସୂଚନା ଅନୁଯାୟୀ, ଜିଲ୍ଲାରେ ବନ୍ୟାଜଳ ଯୋଗୁଁ ପ୍ରଭାବ ପଡ଼ିଥିଲେ ହେଁ ସମସ୍ତ ନଦୀର ଜଳସ୍ତର ବିପଦ ସଙ୍କେତ ତଳେ ପ୍ରବାହିତ ହେଉଛି। ଜିଲ୍ଲା ପ୍ରଶାସନ ଦ୍ୱାରା ପରିସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖାଯାଇଛି ଏବଂ ରିଲିଫ୍ ଓ ଉଦ୍ଧାର କାର୍ଯ୍ୟ ଜାରି ରହିଛି।

ଜିଲ୍ଲାର ସମୁଦାୟ ୬ଟି ବ୍ଲକ୍ ଯଥା— ତିର୍ତ୍ତୋଲ , କୁଜଙ୍ଗ, ବିରିଡି, ରଘୁନାଥପୁର,ନାଉଗାଁ ଓ ବାଲିକୁଦା ବ୍ଲକ୍ ର ୩୧ଟି ଗ୍ରାମ ବନ୍ୟା ପ୍ରଭାବିତ ହୋଇଛି।
ବର୍ତ୍ତମାନ ସୁଦ୍ଧା ମୋଟ ୪୨ଟି ମାଗଣା ରନ୍ଧା ଖାଦ୍ୟ କେନ୍ଦ୍ର (Free Kitchens) ଖୋଲାଯାଇ ରନ୍ଧା ଖାଦ୍ୟ ଯୋଗାଇ ଦିଆଯାଉଛି।
ଜରୁରୀକାଳୀନ ସହାୟତା ସ୍ୱରୂପ ପ୍ରଶାସନ ପକ୍ଷରୁ ବ୍ୟାପକ ସାମଗ୍ରୀ ବଣ୍ଟନ କରାଯାଉଛି। ଆଜି ସୁଦ୍ଧା ୫୬.୧୩କ୍ୱିଣ୍ଟାଲ୍ ଚୁଡ଼ା , ୧୩.୮୨ କ୍ୱିଣ୍ଟାଲ୍ ଗୁଡ଼,୬୬୧ ଟି ପଲିଥିନ୍ ,୫୭ କାର୍ଟୁନ୍ ବିସ୍କୁଟ,୧୮୦ ପ୍ୟାକେଟ ମହମବତୀ, ୧୬୦ ପ୍ୟାକେଟ ଦିଆସିଲି ପ୍ରଦାନ କରାଯାଇଛି।
ସ୍ୱାସ୍ଥ୍ୟ ଓ ପ୍ରାଣୀସେବା ପାଇଁ ପ୍ରଶାସନ ପକ୍ଷରୁ ୧୧ଟି ଡାକ୍ତରୀ ଟିମ୍ (Medical Teams) ଏବଂ ୮ଟି ପ୍ରାଣୀଚିକିତ୍ସା ଟିମ୍ (Veterinary Teams) ନିୟୋଜିତ କରାଯାଇଛି। ନଦୀଗୁଡ଼ିକର ଜଳସ୍ତର ସୁଧାର ଆସୁଥିବାରୁ ଜିଲ୍ଲା ପ୍ରଶାସନ ପକ୍ଷରୁ ସମ୍ପୂର୍ଣ୍ଣ ସ୍ଥିତି ଉପରେ କଡ଼ା ନଜର ରଖି ରିଲିଫ୍ କାର୍ଯ୍ୟକୁ ତ୍ୱରାନ୍ୱିତ କରାଯାଉଛି। ଆଜି ଆଭାସୀ ମାଧ୍ୟମରେ ଜିଲ୍ଲାପାଳ ଶ୍ରୀ ଜେ ସୋନାଲ ସମସ୍ତ ବରିଷ୍ଠ ଅଧିକାରୀ, କ୍ଷେତ୍ରୀୟ ଅଧିକାରୀ, ବିଭଗୀୟ ଅଧିକାରୀ ଓ ପୋଲିସ ପ୍ରଶାସନ ସହ ବନ୍ୟା ପରିସ୍ଥିତି ସମୀକ୍ଷା କରିବା ସହ ପ୍ରଭାବିତ ମାନଙ୍କୁ ଖାଦ୍ୟ, ବିଶୁଦ୍ଧ ପାନୀୟ ଜଳ, ଔଷଧ ଓ ଅନ୍ୟାନ୍ୟ ଅତ୍ୟାବଶ୍ୟକ ସାମଗ୍ରୀର ନିରବଚ୍ଛିନ୍ନ ଯୋଗାଣ ପାଇଁ ନିର୍ଦ୍ଦେଶ ଦେଇଥିଲେ।
ଅନ୍ୟପକ୍ଷରେ ବନ୍ୟା ପ୍ରଭାବିତ ଗ୍ରାମଗୁଡ଼ିକରେ ଆଶାକର୍ମୀ, ଅଙ୍ଗନବାଡ଼ି କର୍ମୀ, ମହିଳା ସ୍ୱାସ୍ଥ୍ୟକର୍ମୀ ଓ ସି.ଏଚ୍.ଓ.ମାନେ ଓଆରଏସ୍, ଆବଶ୍ୟକ ଔଷଧ, ହାଲୋଜେନ୍ ବଟିକା ବଣ୍ଟନ କରୁଛନ୍ତି। କୂଅଗୁଡ଼ିକର ବିଶୋଧନ, ଆବଶ୍ୟକତା ଅନୁଯାୟୀ ସାନିଟାରୀ ନାପକିନ୍ ବଣ୍ଟନ ଓ ପ୍ରାଥମିକ ସ୍ୱାସ୍ଥ୍ୟସେବା ନିଶ୍ଚିତ କରିବା ଦିଗରେ ମଧ୍ୟ ବ୍ୟାପକ ପଦକ୍ଷେପ ନିଆଯାଉଛି।
ଏହା ସହିତ, ବନ୍ୟା ପ୍ରଭାବିତ ଅଞ୍ଚଳଗୁଡ଼ିକରେ ବନ୍ୟାଜନିତ କ୍ଷୟକ୍ଷତିର ସବିଶେଷ ଆକଳନ କାର୍ଯ୍ୟ ଜିଲ୍ଲା ପ୍ରଶାସନ ପକ୍ଷରୁ ଜାରି ରହିଛି। ଏ ନେଇ ଆଜି ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଜ୍ୟୋତି ଶଙ୍କର ରାୟ ତିର୍ତ୍ତୋଲ ବ୍ଲକ୍ ସମ୍ମିଳନୀ କକ୍ଷରେ ବିଡ଼ିଓ ତହସିଲଦାର ଓ ସମସ୍ତ ବିଭାଗୀୟ ଅଧିକାରୀ ଙ୍କ ସହ ଆଲୋଚନା କରି କ୍ଷୟକ୍ଷତି ର ଆକଳନ ରିପୋର୍ଟ ଦେବାପାଇଁ ନିର୍ଦ୍ଦେଶ ଦେଇଥିଲେ।
ଏଥି ସହିତ ଆସନ୍ତା ଶ୍ରାବଣ ସୋମବାର ଅବସରରେ ବୋଲବମ୍ ଶ୍ରଦ୍ଧାଳୁ (କାଉଡ଼ିଆ) ଏବଂ ସାଧାରଣ ଜନସାଧାରଣଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ସ୍ନାନ ଓ ଜଳ ଉଠାଇବା ଉପରେ ଗୁରୁତ୍ୱପୂର୍ଣ୍ଣ କଟକଣା ଜାରି କରାଯାଇଛି।
ଜିଲ୍ଲାପାଳ, ଜଗତସିଂହପୁରଙ୍କ ସ୍ପଷ୍ଟ ନିର୍ଦ୍ଦେଶକ୍ରମେ ପୁଲିସ ଓ ପ୍ରଶାସନିକ ଅଧିକାରୀମାନଙ୍କ ଦ୍ୱାରା ବ୍ୟାରିକେଡ୍ ସ୍ଥାପନ କରାଯାଇ ସତର୍କ ସୂଚନା ଲଗାଯାଇଛି । ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଜ୍ୟୋତି ଶଙ୍କର ରାୟ , ବିଡ଼ିଓ, ତହସିଲଦାର, ପୋଲିସ, ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ସୁରକ୍ଷା ଯାଞ୍ଚ କରିଛନ୍ତି।
-0-
ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଙ୍କ ସୌଜନ୍ୟ ରୁ
