କେନ୍ଦ୍ରାପଡ଼ା,୦୨/୦୮/୨୦୨୬ (ଓଡ଼ିଶା ସମାଚାର)-ଆସନ୍ତା ୨୦୨୭ ତ୍ରୀସ୍ତରୀୟ ପଂଚାୟତ ନିର୍ବାଚନରେ କେନ୍ଦ୍ରାପଡ଼ା ଜିଲାରେ ଓଡ଼ିଶା ଜନତା କଂଗ୍ରେସ ପାର୍ଟି(ଓଜେସିପି) ରେକର୍ଡ ସଂଖ୍ୟକ ସିଟରେ ବିଜୟୀ ହେବ । ଓଜେସିପି ସମର୍ଥନରେ କେନ୍ଦ୍ରାପଡା ଜିଲାର ପ୍ରତ୍ୟେକ ପଂଚାୟତରେ ପ୍ରାର୍ଥୀ ଦିଆଯିବ । ଫଳରେ ଓଡ଼ିଶା ରାଜନୀତିରେ ଏକ ବୈପ୍ଳବିକ ପରିବର୍ତନ ଆସିବ ବୋଲି ଓଜେସିପିର କେନ୍ଦ୍ରାପଡ଼ା ଜିଲା ସଭାପତି ଅଶୋକ ପ୍ରତିହାରୀ ଦୃଢୋକ୍ତି ପ୍ରକାଶ କରିଛନ୍ତି ।
ଗୋପଛକ ସ୍ଥିତ ଏକ ଘରୋଇ ମଣ୍ଡପରେ ଦଳର ସଭ୍ୟ ସଂଗ୍ରହ ଅଭିଯାନରେ ଯୋଗଦେଇ ଶ୍ରୀ ପ୍ରତିହାରୀ କହିଛନ୍ତି ଯେ କେନ୍ଦ୍ରାପଡ଼ା ଜିଲା ଏକ ଶିଳ୍ପ ବିହୀନ ଜିଲା ହୋଇଥିବାରୁ ଏହି ଜିଲାରେ କିପରି ଶିଳ୍ପ ପ୍ରତିଷ୍ଠା ହୋଇପାରିବ ସେ ନେଇ ତାଙ୍କ ଦଳ ରାଜ୍ୟ ସରକାରଙ୍କ ଉପରେ ଗଣତାନ୍ତ୍ରିକ ଉପାୟରେ ଚାପ ପ୍ରୟୋଗ କରିବ । କେନ୍ଦ୍ରାପଡ଼ା ଜିଲାରେ ଶିଳ୍ପ ନ ଥିବା ବେଳେ ପାରାଦୀପର ସମସ୍ତ ପ୍ରଦୂଷଣ ଏହି ଜିଲାବାସୀ ଗ୍ରହଣ କରୁଛନ୍ତି । ଫଳରେ ଆମ ଜିଲାର ଲୋକ କେବଳ ରୋଗାଗ୍ରସ୍ତ ହେଉଛନ୍ତି ।
ତେଣୁ ଶିଳ୍ପ ସଂସ୍ଥା ଗୁଡିକ ସେମାନଙ୍କ ସିଏସଆର ପାଣ୍ଠିକୁ କିପରି ଏହି ଜିଲାରେ ଅଧିକ ଖର୍ଚ୍ଚ କରିବ ସେ ନେଇ ଦଳ ପଦକ୍ଷେପ ଗ୍ରହଣ କରିବ । ଆମ ଜିଲାରେ ଜଳସେଚନର ସୁବିଧା ପାଇଁ ଚେକ ଡ୍ୟାମ ନାହିଁ । ଯାହା ଫଳରେ ବର୍ଷା ଜଳ ସମୁଦ୍ରକୁ ଚାଲି ଯାଉଛି । ତେଣୁ କିପରି ଚେକଡ୍ୟାମ ନିର୍ମାଣ ହେବ ସେ ନେଇ ଦଳ ପଦକ୍ଷେପ ନେବ ବୋଲି ସେ କହିଥିଲେ । ଏହି କାର୍ଯ୍ୟକ୍ରମରେ ଦଳର ରାଜ୍ୟ ସାଧାରଣ ସମ୍ପାଦକ ସୁଜିତ ସ୍ୱାଇଁ, କଟକ ଜିଲା କମିଟି ସଭାନେତ୍ରୀ ଗିରିବାଳା ବେହେରା, ରାଜ୍ୟ କମିଟି ଉପସଭାପତି ନିକୁଞ୍ଜ ପଶାୟତ, ରାଜ୍ୟ ମହିଳା କମିଟି ସଭାନେତ୍ରୀ ଶୈଳବାଳା ଜେନା, ରାଜ୍ୟ କମିଟି ଯୁବ ସଭାପତି ଆର୍ଯ୍ୟବୀର ଲେଙ୍କା, କୃଷକ ମୋର୍ଚ୍ଚାର ରାଜ୍ୟ ସଭାପତି ସଂଗ୍ରାମ ମାଝୀ ପ୍ରମୁଖ ଉପସ୍ଥିତ ଥିଲେ ।
