ଓଡିଶା ପ୍ରଶାସନିକ ସେବାର ପ୍ରଶିକ୍ଷାର୍ଥୀ ଅଧିକାରୀମାନଙ୍କ ପାଟଣା ଓ ଘଟଗାଁ ଅଞ୍ଚଳ ଗସ୍ତ   

ପାଟଣା ୩୦/୦୭/୨୦୨୬ (ଓଡ଼ିଶା ସମାଚାର)-ଓଡ଼ିଶା ପ୍ରଶାସନିକ ସେବା (ଓଏଏସ୍)ର ଡିଆର-୨୦୨୩ ବ୍ୟାଚ୍ ପ୍ରଶିକ୍ଷାର୍ଥୀ ଅଧିକାରୀମାନେ ସେମାନଙ୍କ ପ୍ରଶିକ୍ଷଣର ଅଂଶବିଶେଷ ଭାବେ ପିପୁଲସ୍ କଲଚରାଲ୍ ସେଣ୍ଟର ପିକକ୍ ର କ୍ଷେତ୍ରସ୍ତରୀୟ କାର୍ଯ୍ୟକ୍ରମର ଅଧ୍ୟୟନ ପରିଦର୍ଶନ କରିଥିଲେ। ଗୋପବନ୍ଧୁ  ପ୍ରଶାସନ ଏକାଡେମୀରୁ ତାଲିମ ନେଉଥିବା ୬ ଜଣ ଓଡିଶା ପ୍ରଶାସନିକ ସେବାର ଅଧିକାରୀ ପ୍ରଶିକ୍ଷାର୍ଥୀ ଗତ ଜୁଲାଇ ୨୭ ତାରିଖରୁ ରୁ ୩୦ ତାରିଖ ପର୍ଯ୍ୟନ୍ତ କେନ୍ଦୁଝର ଜିଲ୍ଲାର ପାଟଣା ଓ ଘଟଗାଁ ବ୍ଲକର ବିଭିନ୍ନ ସ୍ଥାନକୁ ପରିଦର୍ଶନ କରିଥିଲେ ।

ଏହି ଅଧ୍ୟୟନ ପରିଦର୍ଶନର ଉଦ୍ଦେଶ୍ୟ ଥିଲା ଅଧିକାରୀମାନଙ୍କୁ ତୃଣମୂଳ ସ୍ତରର ବିକାଶ ପ୍ରକ୍ରିୟା, ସମୁଦାୟର ବାସ୍ତବ ପରିସ୍ଥିତି ଏବଂ ସରକାରୀ ବ୍ୟବସ୍ଥା ସହ ସ୍ୱେଚ୍ଛାସେବୀ ସଂସ୍ଥାମାନଙ୍କ ସହଯୋଗାତ୍ମକ ଭୂମିକା ସମ୍ପର୍କରେ ବ୍ୟବହାରିକ ଜ୍ଞାନ ପ୍ରଦାନ କରିବା। ଏହି ପରିପ୍ରେକ୍ଷୀରେ ରାଜ୍ୟରେ ଦୀର୍ଘ ୩୭ ବର୍ଷଧରି କାର୍ଯ୍ୟ କରିଆସୁଥିବା ଅନ୍ୟତମ ଅଗ୍ରଣୀ ସାମାଜିକ ସାଂସ୍କୃତିକ ଅନୁଷ୍ଠାନ ପିପୁଲସ୍ କଲ୍ଚରାଲ୍ ସେଣ୍ଟର ପିକକ୍ ର କାର୍ଯ୍ୟକ୍ଷେତ୍ର କୁ ପରିଦର୍ଶନ କରି ପିକକ୍ ଦ୍ଵାରା କରାଯାଇଥିବା ବିଭିନ୍ନ କାର୍ଯ୍ୟ ଗୁଡିକୁ ସେମାନେ ପରିଦର୍ଶନ କରିଥିଲେ ।

ଏହି ପ୍ରଶିକ୍ଷାର୍ଥୀ ଅଧିକାରୀ ମାନେ ହେଲେ ମିର୍ଜା ଫଏଜ ଅହମଦ କ୍ୟୁୟାଦ୍ରି ଓଏଏସ (ପି) , ପ୍ରିୟଙ୍କା ପ୍ରିୟଦର୍ଶିନୀ ଓଏଏସ (ପି), ମିଲନ ମହାପତ୍ର ଓଏଏସ (ପି), ସ୍ନେହା ଦାସ ମହାପାତ୍ର ଓଏଏସ (ପି), ଦିପ୍ତିରାଣୀ ନାୟକ ଓଏଏସ (ପି), ଚିନ୍ମୟ ସାହ ଓଏଏସ (ପି) । ଏହି ଗସ୍ତ ଅବସରରେ ସେମାନେ ୨୭ ତାରିଖ ଦିନ ପିକକ୍ ର ପାଟଣା କାର୍ଯ୍ୟାଳୟ ଠାରେ ପହଞ୍ଚିଥିଲେ ।

ସେଠାରେ ତାଙ୍କୁ ପିକକ୍ ର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶିକା ଅନୁରାଧା ମହାନ୍ତି ସ୍ଵାଗତ ଜଣାଇ ପିକକ୍ ର ବିଭିନ୍ନ କାର୍ଯ୍ୟକ୍ରମ ସମ୍ବନ୍ଧରେ ସୂଚନା ପ୍ରଦାନ କରିଥିଲେ ଓ ଏଭଳି ଅଧ୍ୟୟନ ପରିଦର୍ଶନ ଭବିଷ୍ୟତର ପ୍ରଶାସକମାନଙ୍କୁ ଜନକୈନ୍ଦ୍ରିକ ଶାସନ ଓ ସମନ୍ୱିତ ବିକାଶ ଦିଗରେ ଅଧିକ ସମ୍ବେଦନଶୀଳ ଓ ଦାୟିତ୍ୱବାନ କରିବ ବୋଲି ସେ ଆଶା ପ୍ରକାଶ କରିଥିଲେ।

ପିକକ୍ ର ସମ୍ପାଦକ ରଞ୍ଜନ କୁମାର ମହାନ୍ତି ଶିଶୁଶ୍ରମ ନିରାକରଣ ଓ ଏଥିପାଇଁ ପିକକ୍ ର ବିଭିନ୍ନ କୌଶଳ ଓ କାର୍ଯ୍ୟକ୍ରମ ସମ୍ପର୍କରେ ଉପସ୍ଥାପନା କରିଥିଲେ । ଏହି ପରିପ୍ରେକ୍ଷୀରେ ପ୍ରଶିକ୍ଷାର୍ଥୀ ମାନେ ପିକକ୍ ର ବିଭିନ୍ନ ତଥ୍ୟମୂଳକ ପ୍ରାମାଣିକଚିତ୍ର ମଧ୍ୟ ଦେଖିଥିଲେ । ବଡପାଟଣା ପଞ୍ଚାୟତ ର ସରପଞ୍ଚ ବିନତି ବାନରା ପଞ୍ଚାୟତ, ସ୍ଥାନୀୟ ପ୍ରଶାସନ ଓ ସ୍ଵେଚ୍ଛାସେବୀ ଅନୁଷ୍ଠାନଙ୍କ ମିଳିତ ସହଯୋଗ ରେ ବିଭିନ୍ନ କାର୍ଯ୍ୟକ୍ରମ ସହଜରେ ରୂପାୟିତ ହେଉଛି ବୋଲି ବର୍ଣ୍ଣନା କରିଥିଲେ । ପ୍ରଶିକ୍ଷାର୍ଥୀ ମାନେ ଶିଶୁଶ୍ରମରୁ ମୁକ୍ତ ହୋଇ ପୁନର୍ବାର ବିଦ୍ୟାଳୟକୁ ପ୍ରତ୍ୟାବର୍ତ୍ତନ କରିଥିବା ପିଲାମାନେ ଓ ସେମାନଙ୍କ ଅଭିଭାବକ, ବିଦ୍ୟାଳୟ ପରିଚାଳନା କମିଟିର ସଦସ୍ୟ ମାନଙ୍କ ସହିତ ବାର୍ତ୍ତାଳାପ କରିଥିଲେ ।

ଏହି ଗସ୍ତ ଅବସରରେ ସେମାନେ ପିକକ୍ ଉଦ୍ୟମରେ ଶିଶୁଶ୍ରମ ମୁକ୍ତ ହୋଇଥିବା ଏକ ଗ୍ରାମ ଓ ସେଠାର  ଏକ ବିଦ୍ୟାଳୟକୁ ପରିଦର୍ଶନ କରି ସେଠାକାର ଗ୍ରାମବାସୀ, ଶିଶୁ ସୁରକ୍ଷା କମିଟିର ସଦସ୍ୟ, ଅଙ୍ଗନବାଡି କର୍ମୀ, ଶିକ୍ଷକ, ମହିଳା ସ୍ଵୟଂ ସହାୟିକା ଗୋଷ୍ଠି ,ୱାର୍ଡ ସଭ୍ୟ ମାନଙ୍କ ସହିତ କଥା ହୋଇଥିଲେ । ପ୍ରଶିକ୍ଷାର୍ଥୀମାନେ ଶରଧାପୁର ପ୍ରାଥମିକ ବିଦ୍ୟାଳୟ କୁ ଭ୍ରମଣ କରି ଶିଶୁ ସଭାର ସଦସ୍ୟ ମାନଙ୍କ ସହ ବାର୍ତ୍ତାଳାପ  କରିଥିଲେ ଓ ଲର୍ନିଙ୍ଗ କର୍ନର ପରିଦର୍ଶନ କରିଥିଲେ । ସେମାନେ ମଧ୍ୟ ପିକକ୍ ସହାୟତାରେ ସୃଷ୍ଟି ହୋଇଥିବା ଯୁବ ସବୁଜ ଉଦ୍ୟୋଗୀ ମାନଙ୍କ ସହିତ କଥା ହୋଇଥିଲେ । ପିକକ୍ ଦ୍ଵାରା ପ୍ରୋତ୍ସାହିତ ଇକୋସେଭର୍ସ ୟୁଥ୍ ନେଟୱାର୍କର ସଦସ୍ୟ ମାନଙ୍କୁ ଭେଟିଥିଲେ। ସେମାନେ ପରିବେଶର ସୁରକ୍ଷା ପାଇଁ କରିଥିବା ବିଭିନ୍ନ କାର୍ଯ୍ୟ ଯଥା ସ୍ଥାନୀୟ ବିହନ ସରଂକ୍ଷଣ, ପକ୍ଷୀବସା, ବୃକ୍ଷରୋପଣ, ଜୈବିକଖତ ପ୍ରସ୍ତୁତି ଇତ୍ୟାଦିକୁ ପରିଦର୍ଶନ କରିଥିଲେ ।

ସେମାନେ ମହିଳା ଚାଷୀ ମାନଙ୍କୁ ଭେଟି ସେମାନଙ୍କ ସହିତ କଥା ମଧ୍ୟ ହୋଇଥିଲେ । ସେମାନେ ପିକକ୍ ର ପାଟଣାସ୍ଥିତ ରାଜ୍ୟସରକାରଙ୍କର ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗର ସହଯୋଗରେ ପ୍ରତିଷ୍ଠିତ ବୌଦ୍ଧିକ ଭିନ୍ନକ୍ଷମମାନଙ୍କ ପାଇଁ ଚିକିତ୍ସା ଓ ପୁନଃବାର୍ସ ସେବା କେନ୍ଦ୍ରକୁ ଯାଇ ସେଠାରେ ପିଲାମାନଙ୍କୁ ଭେଟିଥିଲେ । ଏହି ପରିପ୍ରେକ୍ଷୀରେ ପ୍ରଶିକ୍ଷାର୍ଥୀମାନେ ଆଜି ପାଟଣା ବ୍ଲକ ଉନ୍ନୟନ ଅଧିକାରୀ ମାନସ କୁମାର ଦଣ୍ଡପାଟଙ୍କୁ ଭେଟି ବିଭିନ୍ନ ବିଷୟରେ ଆଲୋଚନା କରିଥିଲେ । ପିକକ୍ ର ଜ୍ୟୋତି ଶଙ୍କର ମହାନ୍ତି,  ସତ୍ୟ ନାରାୟଣ ମହନ୍ତ, ପୂଜା ପଣ୍ଡା, ଦ୍ରୌପଦୀ ବେଜ, ମିଲିୟନ ମାର୍ଶାଲ ଟିୟୁ, ନୀରାସ ମୁଣ୍ଡା, ମେଘମାଳା ମହାନ୍ତ, ସୁଚିତ୍ରା ମହାନ୍ତ, ଲକ୍ଷ୍ମୀକାନ୍ତ ମହାନ୍ତ ପ୍ରମୁଖ ଏହି ଚାରିଦିନିଆ ଗସ୍ତ କାର୍ଯ୍ୟକ୍ରମର ପରିଚାଳନା  କରିଥିଲେ ।

Leave a Reply

Your email address will not be published. Required fields are marked *