ଅକ୍ଷୟ ତୃ ତୀୟା: ଚନ୍ଦନ ଯାତ୍ରା ନୀତି ଚୂଡ଼ାନ୍ତ: ୪ଟାରେ ରଥ ଆଜ୍ଞାମାଳ ବିଜେ – ରାତି୩ଟାରେ ଫିଟବି ଦ୍ୱାର

ପୁରୀ ୨୫/୦୪/୨୦୨୪ (ଓଡ଼ିଶା ସମାଚାର)-  ଚନ୍ଦନ ଯାତ୍ରା ସଂକ୍ରାନ୍ତ ନୀତିନିର୍ଘଣ୍ଟ ଚୂଡ଼ାନ୍ତ ହୋଇଛି। ମେ ମାସ ୧୦ ତାରିଖରେ ଅକ୍ଷୟ ତୃତୀୟା ଦିନ ରାତି ୩ଟାରେ ଦ୍ବାରଫିଟା ଏବଂ ଅପରାହ୍ନ ସାଢ଼େ ୩ଟାରେ ଦିଅଁ ବିମାନକୁ ବିଜେ କରିବେ। ଅପରାହ୍ନ ୪ଟାରେ ରଥ ଆଜ୍ଞାମାଳ ବିଜେ ଓ ବିମାନ ଉଠିବା ନୀତି ଅନୁଷ୍ଠିତ ହେବ।  ଗତକାଲି ସନ୍ଧ୍ୟାରେ ଶ୍ରୀମନ୍ଦିର ନୀତି ସବ୍‌କମିଟିର ବୈଠକରେ ନୀତି ନିର୍ଘଣ୍ଟ ସ୍ଥିର ହେବାପରେ ଛତିଶାନିଯୋଗ କମିଟି ଏହାକୁ ଅନୁମୋଦନ କରିଛି। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ବୀର ବିକ୍ରମ ଯାଦବଙ୍କ ଅଧ୍ୟକ୍ଷତାରେ ନୀଳାଦ୍ରି ଭକ୍ତ ନିବାସରେ ଅନୁଷ୍ଠିତ ବୈଠକରେ ନୀତି ନିର୍ଘଣ୍ଟ ସମ୍ବନ୍ଧରେ ଆଲୋଚନା ହୋଇଛି।

ଅକ୍ଷୟ ତୃତୀୟା ଦିନର ଚୂଡ଼ାନ୍ତ ନୀତି ଅନୁଯାୟୀ, ରାତି ୩ଟାରେ ଦ୍ବାରଫିଟା। ଭୋର ୪ଟାରେ ମଙ୍ଗଳ ଆଳତି ନୀତି ଅନୁଷ୍ଠିତ ହେବ। ସକାଳ ସାଢ଼େ ୭ଟାରୁ ୯ଟା ଭିତରେ ସକାଳଧୂପ ଅନୁଷ୍ଠିତ ହେବ। ୧୦ଟା ୪୦ରେ ଚନ୍ଦନ ବେଢ଼ା, ମଧ୍ୟାହ୍ନ ୧୨ଟାରେ ସର୍ବାଙ୍ଗ, ମଧ୍ୟାହ୍ନ ୧ଟାରେ ବେଶଶେଷ ଓ ଦକ୍ଷିଣଭୋଗ। ମଧ୍ୟାହ୍ନ ୧ଟାରୁ ସାଢ଼େ ୨ଟା ଭିତରେ ଘଣ୍ଟଛତା ଯାତ ଭୋଗ ଓ ମଧ୍ୟାହ୍ନଧୂପ ନୀତି ଅନୁଷ୍ଠିତ ହେବ। ୩ଟାରେ ଦ୍ବାଦଶ ଯାତ୍ରା ଓ ନକ୍ଷତ୍ର ବନ୍ଦାପନା, ୩ଟା ୧୫ରେ ଜୟ-ବିଜୟ ଦ୍ବାରରେ ଭୋଗ ବନ୍ଦାପନା, ସାଢ଼େ ୩ଟାରେ ବିମାନକୁ ଦିଅଁ ବିଜେ, ୪ଟାରେ ରଥ ଆଜ୍ଞାମାଳ ବିଜେ ଓ ବିମାନ ଉଠିବା ନୀତି ଅନୁଷ୍ଠିତ ହେବ। ଏହାବ୍ୟତୀତ ଏହିଦିନ ୧ଟାରୁ ସାଢ଼େ ୪ଟା ପର୍ଯ୍ୟନ୍ତ ଭୋଗମଣ୍ଡପ ନୀତି ଚାଲିବ। ୬ଟାରେ ସଂଧ୍ୟା ଆଳତି, ସାଢ଼େ ୬ଟାରୁ ୮ଟା ଭିତରେ ସଂଧ୍ୟାଧୂପ, ୯ଟା ୧୫ରେ ଆଲଟଲାଗି, ରାତି ୧୦ଟାରେ ପଣାଭୋଗ ଓ ଚନ୍ଦନ ଠାକୁରଙ୍କ ବାହୁଡ଼ା ବିଜେ ନୀତି ଅନୁଷ୍ଠିତ ହେବ। ସାଢ଼େ ୧୦ଟାରେ ମଇଲମ ଓ ଚନ୍ଦନଲାଗି ପରେ ସାଢ଼େ ୧୧ଟାରେ ବଡ଼ସିଂହାର ବେଶ, ରାତି ୧୨ଟାରେ ବଡ଼ସିଂହାର ଭୋଗ ଓ ସାଢ଼େ ୧୨ଟାରେ ରାତ୍ର ପହୁଡ଼ ହେବ। ମେ ମାସ ୧୫ ତାରିଖରେ ନୀଳାଦ୍ରି ମହୋଦୟାଷ୍ଟମୀ ନୀତି, ମେ ମାସ ୨୨ ତାରିଖ ନୃସିଂହ ଜନ୍ମ ନୀତି ଏବଂ ମେ ମାସ ୨୯ ତାରିଖ ଦିନ ଶ୍ରବଣା ମକର ନକ୍ଷତ୍ରରେ ଭଉଁରି ଯାତ୍ରା ହେବା ନେଇ ନୀତି ନିର୍ଘଣ୍ଟ ସ୍ଥିର ହୋଇଛି। ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ, ଏସ୍‌ପି ପିନାକ ମିଶ୍ର, ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ ପ୍ରଦୀପ ସାହୁ, ନୀତି ପ୍ରଶାସକ ଜିତେନ୍ଦ୍ର ସାହୁଙ୍କ ସମେତ ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ, ସମସ୍ତ ନିଯୋଗର ସଭାପତି, ସମ୍ପାଦକ, ବରିଷ୍ଠ ସେବାୟତବୃନ୍ଦ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *