ଗୋମାତାଙ୍କ ସେବା, ସୁରକ୍ଷା ଓ ସମ୍ମାନ ଆଇନ ପ୍ରଣୟନ ଦାବି

କେନ୍ଦ୍ରାପଡ଼ା, ୨୭/୦୭/୨୦୨୬ (ଓଡ଼ିଶା ସମାଚାର)- ଗୋ ସମ୍ମାନ ଆହ୍ୱାନ ଅଭିଯାନ ଦ୍ୱିତୀୟ ଚରଣ କାର୍ଯ୍ୟକ୍ରମ ସମ୍ପୂର୍ଣ୍ଣ ହୋଇଛି । ଜୁଲାଇ ୨୫ତାରିଖରେ ଦେଶର ୭୯୦ଟି ଜିଲାରେ ୧୫କୋଟିରୁ ଉଦ୍ଧ୍ୱର୍ ଦସ୍ତଖତ ସମ୍ବଳିତ ପ୍ରାର୍ଥନାପତ୍ର ରାଷ୍ଟ୍ରପତି,ପ୍ରଧାନମନ୍ତ୍ରୀ, ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ପ୍ରଦାନ କରାଯାଇଛି । ଏଥିରେ ଗୋମାତାଙ୍କୁ ରାଷ୍ଟ୍ରମାତା ଭାବରେ ସ୍ୱୀକୃତି ପ୍ରଦାନ ଏବଂ ଗୋହତ୍ୟା ନିଷେଧ ଆଇନ କେନ୍ଦ୍ରୀୟ ମନ୍ତ୍ରଣାଳୟ ଦ୍ୱାରା ସ୍ଥାପନ ଭଳି ୩୦ରୁ ଉଦ୍ଧ୍ୱର୍ ଦାବି ଗୋମାତାଙ୍କ ସୁରକ୍ଷା ଦିଗରେ ସରକାରଙ୍କ ନିକଟରେ ପ୍ରାର୍ଥନା ପତ୍ର ମାଧ୍ୟମରେ ଦାବି ରଖାଯାଇଛି ।

ଗୋମାତାଙ୍କ ସେବା, ସୁରକ୍ଷା, ସମ୍ମାନ ନିଶ୍ଚିତ କରିବା ଉଦ୍ଧେଶ୍ୟରେ ସମଗ୍ର ଦେଶରେ ସଂଚଳିତ ଗୋସମ୍ମାନ ଆହ୍ୱାନ ଅଭିଯାନ ଦ୍ୱିତୀୟ ଚରଣ ବର୍ତମାନ ପୂରା ହୋଇଛି । ବିଗତ ୬ମାସ ଧରି ଦେଶଭରି ସାଧୁ, ସନ୍ଥ, ଗୋସେବକ, ଗୋଭକ୍ତ ମାନଙ୍କ ନେତୃତ୍ୱରେ ଗୋ-ସମ୍ମାନ ଆହ୍ୱାନ ଅଭିଯାନ ଚାଲୁଅଛି । ଏହି ଅଭିଯାନ ମାଧ୍ୟମରେ ସମ୍ପୂର୍ଣ୍ଣ ଭାରତ ବର୍ଷରେ ଗୋହତ୍ୟା ନିଷେଧ ନିମନ୍ତେ କେନ୍ଦ୍ରୀୟ ଆଇନ ପ୍ରଣୟନ କରିବା, ଗୋଚର ଭୂମି ଗୁଡିକରୁ ଜବରଦଖଲ ଉଛେଦ କରିବା, କେନ୍ଦ୍ରୀୟ ଗୋ -ମନ୍ତ୍ରଣାଳୟ ସ୍ଥାପନ କରିବା, କେନ୍ଦ୍ରୀୟ ଗୋ-ଚାରାନୀତି ପ୍ରସ୍ତୁତ କରିବା, କୃଷି, ଚିକିତ୍ସା, ପର୍ଯ୍ୟାବରଣ, ଶିକ୍ଷା ଏବଂ ମାନବଜୀବନ ସହିତ ଯୋଡି ହୋଇଥିବା ଅନେକ ମହତ୍ୱପୂର୍ଣ୍ଣ ବିଷୟ ଗୁଡିକୁ ଗୋ-କେନ୍ଦ୍ରିତ ରାଷ୍ଟ୍ରୀୟନୀତିର ଅଂଶ ବିଶେଷ କରାଇବା ସହିତ ୩୦ରୁ ଅଧିକ ପ୍ରମୁଖ ଦାବି ସରକାରଙ୍କ ନିକଟରେ ରଖାଯାଇଛି ।

ଏହି ଦାବି ଗୁଡିକ ସମଗ୍ର ଦେଶରେ ଏକ ଜନଜାଗୃତିର ରୂପ ନେଇଅଛି । ଏଠାରେ ସୂଚନା ଯୋଗ୍ୟ ଯେ ଅଭିଯାନର ପ୍ରଥମ ଚରଣ ଜୁଲାଇ ୨୫ତାରିଖରେ ପାହଜାର ତହସିଲ ଗୁଡିକରେ ଦାବିପତ୍ର ପ୍ରଦାନ କରାଯାଇଥିଲା । ଦ୍ୱିତୀୟ ଚରଣରେ ୭୯୦ ଜିଲା ମୁଖ୍ୟାଳୟରେ ଦାବିପତ୍ର ପ୍ରଦାନ କରାଯାଇଛି । ଏହି ପରିପ୍ରେକ୍ଷୀରେ କେନ୍ଦ୍ରାପଡା ଜିଲାରେ ମଧ୍ୟ ଅତିରିକ୍ତ ଜିଲାପାଳ ନବକ୍ରିଷ୍ଣ ଜେନାଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି । ଜିଲାରେ ଦ୍ୱିତୀୟ ଚରଣରେ ୩ଲକ୍ଷରୁ ଉଦ୍ଧ୍ୱର୍ ଦସ୍ତଖତ ସଂଗ୍ରହ କରାଯାଇ ସାଧୁସନ୍ଥମାନଙ୍କ ନେତୃତ୍ୱରେ ଏହି ଅଭିଯାନ ସମ୍ପୂର୍ଣ୍ଣ କରାଯାଇଛି । ଏହି ଅଭିଯାନରେ ଜିଲା ଗୋ ସମ୍ମାନ ଆହ୍ୱାନ ଅଭିଯାନର ପ୍ରମୁଖ ବିଶ୍ୱରୂପାନନ୍ଦ ସତସ୍ୱତୀ, ଶ୍ରୀମା ସ୍ୱାମୀ ଦିବ୍ୟସ୍ୱରୂପାନନ୍ଦ ସରସ୍ୱତୀ, ଜିଲା ସହପରିଚାଳକ ଶଶାଙ୍କ କୁମାର ଜେନାଙ୍କ ସମେତ ଶହ ଶହ ଗୋଭକ୍ତ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରାଇଛନ୍ତି ।

Leave a Reply

Your email address will not be published. Required fields are marked *