ନୂଆଦିଲ୍ଲୀ/ ଭୁବନେଶ୍ୱର,୨୩/୦୬/୨୦୨୬(ଓଡ଼ିଶା ସମାଚାର/ଦୀପ୍ତିରଂଜନ କାନୁନଗୋ)- ରାଷ୍ଟ୍ରପତି ଦ୍ରୋପଦୀ ମୁର୍ମୁ ମଙ୍ଗଳବାର ଦେଶର ସର୍ବୋଚ୍ଚ ସମ୍ମାନ ପଦ୍ମ ପୁରସ୍କାର ପ୍ରଦାନ କରିଛନ୍ତି । ୨୦୨୬ ବର୍ଷ ପାଇଁ ୨ ଜଣଙ୍କୁ ପଦ୍ମ ବିଭୂଷଣ, ୭ ଜଣଙ୍କୁ ପଦ୍ମ ଭୂଷଣ ଏବଂ ୫୬ ଜଣଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରିଛନ୍ତି । ଏହି ଅବସରରେ ୩ ଜଣ ଓଡ଼ିଆ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ ହୋଇଛନ୍ତି । ସେମାନେ ହେଲେ ମହେନ୍ଦ୍ର କୁମାର ମିଶ୍ର, ସୀମାଂଚଳ ପାତ୍ର ଓ ଚରଣ ହେମ୍ବ୍ରମ । ସାନ୍ତାଳୀ ଭାଷାର ବିଶିଷ୍ଟ ଲେଖକ ଚରଣ ହେମ୍ବ୍ରମଙ୍କୁ ସାହିତ୍ୟ ଓ ଶିକ୍ଷା କ୍ଷେତ୍ରରେ ଏହି ସମ୍ମାନ ମିଳିଛି । ସେହିପରି ମହେନ୍ଦ୍ର କୁମାର ମିଶ୍ରଙ୍କୁ ସାହିତ୍ୟ ଓ ଶିକ୍ଷାକ୍ଷେତ୍ର କ୍ଷେତ୍ରରେ ଏହି ସମ୍ମାନ ମିଳିଥିବାବେଳେ ସୀମାଂଚଳ ପାତ୍ରଙ୍କୁ ଲୋକକଳା ପାଇଁ ପ୍ରଦାନ କରାଯାଇଛି । ରାଷ୍ଟ୍ରପତିଙ୍କଠାରୁ ପଦ୍ମଶ୍ରୀ ପୁରସ୍କାର ଗ୍ରହଣ କରିଥିବା ଓଡ଼ିଶାର ସମସ୍ତ ବ୍ୟକ୍ତିତ୍ୱଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆନ୍ତରିକ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି । ଏହି ପୁରସ୍କାର ସମାରୋହରେ ଉପରାଷ୍ଟ୍ରପତି ସିପି ରାଧାକ୍ରୀଷ୍ଣନ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଅନ୍ୟମାନେ ଉପସ୍ଥିତ ଥିଲେ ।
୩ ଓଡ଼ିଆଙ୍କୁ ମିଳିଲା ପଦ୍ମଶ୍ରୀ – – ମହେନ୍ଦ୍ର କୁମାର ମିଶ୍ର, ସୀମାଂଚଳ ପାତ୍ର ଓ ଚରଣ ହେମ୍ବ୍ରମ
