ରଥରେ ରଘୁନାଥ ବେଶ
ନିଳାଦ୍ରୀ ବିଜେ କଲେ ଶ୍ରୀବଳଦେବଜୀଉ
କେନ୍ଦ୍ରାପଡ଼ା, ୨୬/୦୭/୨୦୨୬ (ଓଡ଼ିଶା ସମାଚାର)- ତୁଳସୀକ୍ଷେତ୍ରରେ ଶେଷ ହୋଇଛି ଘୋଷ ଯାତ୍ରା । ଘୋଷଯାତ୍ରାର ଶେଷ ଦିବସରେ ରଥ ଉପରେ ସିଦ୍ଧ ବଳଦେବଜୀଉଙ୍କ ରଘୁନାଥ ବେଶ ହୋଇଛି । ଏହାପରେ ଶ୍ରୀବଳଦେବଜୀଉ ନିଳାଦ୍ରୀ ବିଜେ କରିଛନ୍ତି ।
ରଥଯାତ୍ରାର ଶେଷ ଦିବସରେ ରଥାରୁଢ ଚତୁର୍ଦ୍ଧାମୂର୍ତିଙ୍କୁ ରଘୁନାଥ ବେଶରେ ଦର୍ଶନ କରିବା ପାଇଁ ତୁଳସୀକ୍ଷେତ୍ରରେ ହଜାର ହଜାର ଭକ୍ତଙ୍କ ସମାଗମ ହୋଇଥିଲା । ରୂପା ଅଳଙ୍କାରରେ ସ୍ୱତନ୍ତ୍ର ଭାବେ ଶ୍ରୀବଳଦେବଜୀଉ, ଭାଇ ଶ୍ରୀଜଗନ୍ନାଥ ଓ ଭଉଣୀ ସୁଭଦ୍ରାଙ୍କୁ ସଜ୍ଜିତ କରାଯାଇଥିଲା । ଏହି ଦୁର୍ଲ୍ଲଭ ବେଶ ଦେଖିବା ପାଇଁ କେନ୍ଦ୍ରାପଡା ଜିଲାର ପୁରପଲ୍ଲୀରୁ ହଜାର ହଜାର ଭକ୍ତ ଓ ଶ୍ରଦ୍ଧାଳୁମାନେ ରଥଦାଣ୍ଡରେ ସମାଗମ ହୋଇଥିଲେ । ଏହି ବେଶ ଦେଖି ଭକ୍ତମାନେ ମହାଆନନ୍ଦ ଲାଭ କରିଥିବା ପ୍ରକାଶ କରିଛନ୍ତି । ରଥାରୁଢ ହୋଇ ଭକ୍ତମାନଙ୍କୁ ଦର୍ଶନ ଦେବା ପାଇଁ ଭାଇ ଭଉଣୀଙ୍କୁ ସାଙ୍ଗରେ ଧରି ରତ୍ନବେଦୀରୁ ବାହାରିଥିବା ଶ୍ରୀବଳଦେବଜୀଉ ୯ ଦିନ ବ୍ୟାପୀ ଜନ୍ମ ବେଦୀରେ ଲୀଳା ସାରିବା ପରେ ପୁନର୍ବାର ରତ୍ନବେଦୀକୁ ଫେରିଛନ୍ତି ।
ରତ୍ନବେଦୀକୁ ଫେରିବା ପୂର୍ବରୁ ଶ୍ରୀଜୀଉମାନଙ୍କୁ ରବିବାର ରଥ ଉପରେ ରଘୁନାଥ ବେଶ କରାଯାଇଥିଲା । ଏହି ବେଶ ଦେଖିବା ପାଇଁ ରବିବାର ରଥଦାଣ୍ଡ ଲୋକାରଣ୍ୟ ହୋଇଥିଲା । ରୂପା ଖଚିତ ଅଳଙ୍କାର ଚତୁର୍ଦ୍ଧା ମୂର୍ତିଙ୍କୁ ପିନ୍ଧା ଯାଇଥିଲା । ଶ୍ରୀପୟର, ଶ୍ରୀଭୂଜ, ଶ୍ରୀକିରଟି, ଧନୁ, ତୀର, ହାର ଇତ୍ୟାଦି ରୂପାରେ ନିର୍ମିତ ହୋଇଥିଲା । ଏହି ରୂପା ଅଳଙ୍କାରକୁ ଶ୍ରୀଜୀଉମାନଙ୍କୁ ପିନ୍ଧା ଯାଇଥିଲା । ଫଳରେ ଚତୁର୍ଦ୍ଧାମୂର୍ତିିର୍ ଏହି ବେଶରେ ବେଶ ଝଟକିଥିଲେ । ଏହି ସ୍ୱତନ୍ତ୍ର ଓ ମନଲୋଭା ବେଶ ଦର୍ଶନ କରିବା ପାଇଁ କେନ୍ଦ୍ରାପଡ଼ା ଜିଲାର ବିଭିନ୍ନ କୋଣ ଅନୁକୋଣ ସମେତ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ଶ୍ରଦ୍ଧାଳୁମାନଙ୍କ ସମାଗମ ହୋଇଥିଲେ । ଏହି ବେଶ ସାଢେ ୬ଟା ପର୍ଯ୍ୟନ୍ତ ରହିଥିଲା । ସନ୍ଧ୍ୟା ସାଢେ ୬ଟା ପରେ ବେଶ ଓଲାଗି ହୋଇଥିଲା ।
ପୁରୀ ସୁନା ବେଶରେ ଯେଉଁ ସବୁ ଅଳଙ୍କାର ବ୍ୟବହାର କରାଯାଏ ଠିକ ଅନୁରୂପ ଭାବେ କେନ୍ଦ୍ରାପଡ଼ା ତୁଳସୀକ୍ଷେତ୍ରରେ ହୋଇଥିବା ରଘୁନାଥ ବେଶରେ ରୂପାରେ ତିଆରି ଅଳଙ୍କାରରେ ଠାକୁରମାନଙ୍କୁ ସଜିତ କରାଯାଇଥିଲା । କେନ୍ଦ୍ରାପଡ଼ାର ଜଣେ ଭକ୍ତ ୫୦ ଲକ୍ଷରୁ ଊଦ୍ଧ୍ୱର୍ ବ୍ୟୟରେ ଏହି ରୂପା ଅଳଙ୍କାର ଦାନ କରିଛନ୍ତି । ତାଙ୍କ ଦ୍ୱାରା ପ୍ରଦାନ କରାଯାଇଥିବା ଏହି ଅଳଙ୍କାରରେ ଶ୍ରୀବଳଦେବଜୀଉଙ୍କ ସମେତ ଚକା ଆଖି ଶ୍ରୀଜଗନ୍ନାଥ ଓ ଦେବି ସୁଭଦ୍ରାଙ୍କୁ ସଜିତ କରାଯାଇଥିଲା ।
ଦାନ କରିଥିବା ଭକ୍ତ ଜଣକ ନିଜ ନାମ ଗୋପନ ରଖିବାକୁ ମନ୍ଦିର ପ୍ରଶାସନକୁ ଅନୁରୋଧ କରିଥିଲେ । ମନ୍ଦିର ପ୍ରଶାସନ ପକ୍ଷରୁ ସଂପୃକ୍ତ ଭକ୍ତଙ୍କୁ କୃତଜ୍ଞତା ଜ୍ଞାପନ କରାଯାଇଛି । ରଘୁନାଥ ବେଶ ପରେ ରଥ ନିର୍ମାଣରେ ସଂପୃକ୍ତ ଥିବା ମହାରଣା ସେବକ, ଦରଜି ସେବକ, ଭୋଇ ସେବକ, କମାର ସେବକ ଓ ଅନ୍ୟାନ୍ୟ ୧୫୦ରୁ ଊଦ୍ଧ୍ୱର୍ ସେବକଙ୍କ ମଥାରେ ସିରିପା ବନ୍ଧାଯାଇ ସେମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏହାପରେ ରଥ ଉପରେ ଅଧର ପଣା ନୀତି ହୋଇଥିଲା । ଅଧରପଣା ନୀତି ଶେଷ ହେବା ପରେ ପହଣ୍ଡି କରାଯାଇ ରଥାରୁଢ ଚତୁର୍ଦ୍ଧା ମୂର୍ତିଙ୍କୁ ରତ୍ନବେଦୀକୁ ବିଜେ କରାଯାଇଥିଲା ।
ରବିବାର ରଥ ଉପରେ ଜୟମଙ୍ଗଳା ଆଳତୀ, ନୀତି ସ୍ନାନ, ବଲ୍ଲବ ନୀତି, ଦ୍ୱିପହର ଧୂପ, ଉଠାଣି ଭୋଗ, ଆଳତୀ ଓ ସନ୍ଧ୍ୟା ଧୂପ ହୋଇଥିଲା । ରାତିରେ ଚତୁର୍ଦ୍ଧା ମୂର୍ତି ମନ୍ଦିରରେ ପ୍ରବେଶ କରିବା ପରେ ରାତ୍ର ଧୂପ ଓ ପରେ ବଡ଼ ସିଂହାର ବେଶ ହୋଇ ପହଡ଼ ପଡିଥିଲା । ରଥରେ ରଘୁନାଥ ବେଶ ଦର୍ଶନ କରିବା ପାଇଁ ବହୁ ଜନ ପ୍ରତିନିଧି, ପ୍ରଶାସନିକ ଅଧିକାରୀଙ୍କ ଭିଡ଼ ଜମିଥିଲା । ଭକ୍ତମାନେ ଧାଡିରେ ଯାଇ ରଥ ଉପରେ ରଘୁନାଥ ବେଶ ଦର୍ଶନ କରିଥିଲେ । ଶାନ୍ତିଶୃଙ୍ଖଳାର ସହ ଭକ୍ତଙ୍କୁ ରଘୁନାଥ ବେଶ ଦର୍ଶନ କରିବାକୁ ପୁଲିସ କର୍ମଚାରୀ ଓ ଅଧିକାରୀମାନେ ରଥଦାଣ୍ଡରେ ମୁତୟନ ହୋଇଥିଲେ ।
ଆରକ୍ଷୀ ଅଧୀକ୍ଷକ ସିଦ୍ଧାର୍ଥ କଟ୍ଟାରିଆ, ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ସୁଧାକର ସାହୁ, ଏସ୍ଡିପିଓ ଜ୍ୟୋତିରଞ୍ଜନ ଗୌଡ଼, ଟାଉନ ଥାନା ଅଧିକାରୀ ଶୁଭେନ୍ଦୁ ସାହୁ ପ୍ରମୁଖ ରଥଦାଣ୍ଡରେ ରହି ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ପ୍ରତି ଧ୍ୟାନ ଦେଇଥିଲେ । ଫଳରେ ଶାନ୍ତି ଶୃଙ୍ଖଳାର ସହ ରଘୁନାଥ ବେଶକୁ ହଜାର ହଜାର ଭକ୍ତ ଦର୍ଶନ କରିଥିଲେ ବୋଲି ଶ୍ରୀବଳଦେବଜୀଉ ଟ୍ରଷ୍ଟ ବୋର୍ଡ ନିର୍ବାହୀ ଅଧିକାରୀ ବଳଭଦ୍ର ପତ୍ରୀ ସୂଚନା ଦେଇଛନ୍ତି ।
ଟ୍ରଷ୍ଟବୋର୍ଡ ସଭାପତି ଅତିରିକ୍ତ ଜିଲାପାଳ ନବକ୍ରିଷ୍ଣ ଜେନା, ଉପଜିଲାପାଳ ଅରୁଣ ନାୟକ, ସଦସ୍ୟ ହୃଷିକେଶ ରଥ, ସେବକ ଟ୍ରଷ୍ଟି ନୃସିଂହ ପ୍ରସାଦ ପତ୍ରୀ, ସଭ୍ୟ ଧୀରେନ୍ ସାହୁ, ରଥ ପରିଚାଳନା କମିଟି ସଦସ୍ୟ ଅରୋବିନ୍ଦ ସାହୁ ପ୍ରମୁଖ ରଥଦାଣ୍ଡରେ ଉପସ୍ଥିତ ରହି ଶୃଙ୍ଖଳିତ ଦର୍ଶନ ପରିଚାଳନାରେ ସହଯୋଗ କରିଥିଲେ ।
