ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ରଙ୍କ ଦ୍ୱାରା ପଞ୍ଚମ ବରିଷ୍ଠ ନାଗରିକ ତୀର୍ଥଯାତ୍ରାର ଶୁଭାରମ୍ଭ

ବାଲେଶ୍ୱର,୧୩/୧୦/୨୦୨୬(ଓଡ଼ିଶା ସମାଚାର)- ବରିଷ୍ଠ ନାଗରିକମାନଙ୍କୁ ଦେଶର ପ୍ରମୁଖ ଧାର୍ମିକ ଓ ଆଧ୍ୟାତ୍ମିକ ସ୍ଥଳ ପରିଦର୍ଶନର ସୁଯୋଗ ପ୍ରଦାନ କରିବା ଉଦ୍ଦେଶ୍ୟରେ ଓଡ଼ିଶା ସରକାରଙ୍କ ପକ୍ଷରୁ ପ୍ରଚଳିତ ‘ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନା ୨୦୨୬-୨୭’ ଅନ୍ତର୍ଗତ ପଞ୍ଚମ ତୀର୍ଥଯାତ୍ରା ବାଲେଶ୍ୱର ରେଳଷ୍ଟେସନର ୪ ନମ୍ବର ପ୍ଲାଟଫର୍ମରୁ ଶୁଭାରମ୍ଭ ହୋଇଛି। ରାଜ୍ୟର ଗୃହ ଓ ନଗର ଉନ୍ନୟନ ତଥା ସାର୍ବଜନୀନ ଉଦ୍ୟୋଗ ମନ୍ତ୍ରୀ ଶ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର, ରେମୁଣା ବିଧାୟକ ଏବଂ ବାଲେଶ୍ୱର ସଦର ବିଧାୟକ ଉପସ୍ଥିତ ରହି ସବୁଜ ପତାକା ଦେଖାଇ ଏହି ତୀର୍ଥଯାତ୍ରାର ଶୁଭାରମ୍ଭ କରିଥିଲେ।

 ମୁଖ୍ୟ ଅତିଥି ମାନ୍ୟବର ମନ୍ତ୍ରୀ, ଗୃହ ନିର୍ମାଣ, ନଗର ଉନ୍ନୟନ ଓ ସାଧାରଣ ଉଦ୍ୟୋଗ, ଓଡ଼ିଶା ସରକାର ଶ୍ରୀଯୁକ୍ତ କୃଷ୍ଣଚନ୍ଦ୍ର ମହାପାତ୍ର ସବୁଜ ପତାକା ଦେଖାଇ ଯାତ୍ରାର ଶୁଭାରମ୍ଭ କରିଥିଲେ । ଏହି ଅବସରରେ ତାଙ୍କ ସହିତ ସରକାରୀ ଦଳର ଉପ ମୁଖ୍ୟ ସଚେତକ ତଥା ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ଗୋବିନ୍ଦ ଚନ୍ଦ୍ର ଦାସ, ମାନ୍ୟବର ବିଧାୟକ ମାନସ କୁମାର ଦତ୍ତ, ମାନ୍ୟବର ସଭାପତି, ବାଲେଶ୍ୱର ଜିଲ୍ଲାପରିଷଦ ଶ୍ରୀଯୁକ୍ତ ନାରାୟଣ ପ୍ରଧାନ, ମାନ୍ୟବର ଅଧ୍ୟକ୍ଷା, ବାଲେଶ୍ୱର ପୌରପାଳିକା ଶ୍ରୀମତୀ ସବିତା ସାହୁ, ଜିଲ୍ଲାପାଳ ଶ୍ରୀଯୁକ୍ତ ସୂର୍ଯ୍ୟବଂଶୀ ମୟୂର ବିକାଶ, ବାଲେଶ୍ୱର ଉପ ଜିଲ୍ଲାପାଳ ଶ୍ରୀଯୁକ୍ତ ଶିବ ମାଲବ୍ୟ, ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ଶ୍ରୀଯୁକ୍ତ ତପନ କୁମାର ଖୁଣ୍ଟିଆ, ଅତିରିକ୍ତ କାର୍ଯ୍ୟ ନିର୍ବାହୀ ଅଧିକାରିଣୀ ଡଃ ମଧୁସ୍ମିତା ସାମନ୍ତରାୟ, ଜିଲ୍ଲା ପର୍ଯ୍ୟଟନ ଅଧିକାରୀ ଶ୍ରୀଯୁକ୍ତ ବିଶ୍ୱଜିତ ବେହେରା, ପର୍ଯ୍ୟଟନ କାର୍ଯ୍ୟନିର୍ବାହୀ ଅଧିକାରୀ, ଆଇଆରସିଟିସି ଶ୍ରୀଯୁକ୍ତ ସଂଘମିତ୍ରା ରାଉଳଙ୍କ ସହିତ ଅନେକ ଜିଲ୍ଲା ପ୍ରଶାସନର ଅଧିକାରୀ ଗଣ ଉପସ୍ଥିତ ଥିଲେ ।

    ଏହି ତୀର୍ଥଯାତ୍ରାରେ ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର ଓ କେନ୍ଦୁଝର ଜିଲ୍ଲାରୁ ମୋଟ ୮୦୦ ଜଣ ଯାତ୍ରୀ ଅଂଶଗ୍ରହଣ କରିଛନ୍ତି। ସେଥିମଧ୍ୟରେ ୭୭୫ ଜଣ ବରିଷ୍ଠ ନାଗରିକ ଏବଂ ୨୫ ଜଣ ସହାୟକ ରହିଛନ୍ତି। ବରିଷ୍ଠ ତୀର୍ଥ ଯାତ୍ରୀ ମାନଙ୍କ ବୟସ ୬୦ ରୁ ୭୫ ବର୍ଷ  ମଧ୍ୟରେ ରହିଛି ।

    ଏହି ଯାତ୍ରାରେ ତୀର୍ଥଯାତ୍ରୀମାନେ ଉତ୍ତରପ୍ରଦେଶର ଦୁଇ ପ୍ରମୁଖ ଧାର୍ମିକ ସ୍ଥଳ ଅଯୋଧ୍ୟା ଓ ବାରାଣସୀ ପରିଦର୍ଶନ କରିବେ। ଏହି ପବିତ୍ର ତୀର୍ଥସ୍ଥଳଗୁଡ଼ିକର ଦର୍ଶନ ମାଧ୍ୟମରେ ବରିଷ୍ଠ ନାଗରିକମାନେ ଆଧ୍ୟାତ୍ମିକ ଅନୁଭୂତି ଲାଭ କରିବା ସହ ନିଜର ଧାର୍ମିକ ଭାବନାକୁ ପରିପୂରଣ କରିବାର ସୁଯୋଗ ପାଇବେ।

    ଯାତ୍ରା ସମୟରେ ତୀର୍ଥଯାତ୍ରୀମାନଙ୍କ ପାଇଁ ରେଳ ଟିକେଟ୍, ଖାଦ୍ୟପେୟ, ରହଣି ଓ ଅନ୍ୟାନ୍ୟ ଆବଶ୍ୟକୀୟ ସୁବିଧା ଆଇ. ଆର. ସି. ଟି. ସି. ପକ୍ଷରୁ ଯୋଗାଇ ଦିଆଯାଉଛି। ଏହାଦ୍ୱାରା ବରିଷ୍ଠ ନାଗରିକମାନେ ନିରାପଦ ଓ ସୁବିଧାଜନକ ଭାବରେ ତୀର୍ଥସ୍ଥଳ ପରିଦର୍ଶନ କରିପାରିବେ।

   ତୀର୍ଥଯାତ୍ରାରେ ଯୋଗଦେବା ପାଇଁ ଆସିଥିବା ଯାତ୍ରୀମାନଙ୍କ ରହିବା ବ୍ୟବସ୍ଥା ଗତ ୧୧ ଅକ୍ଟୋବରରେ ବାଲେଶ୍ୱରସ୍ଥିତ ପଦ୍ମାବତୀ ପାର୍କଠାରେ କରାଯାଇଥିଲା। ଆଜି ଯାତ୍ରା ଆରମ୍ଭ ପୂର୍ବରୁ ବାଲେଶ୍ୱର ରେଳ ଷ୍ଟେସନର ୧ ନମ୍ବର ପ୍ଲାଟଫର୍ମଠାରେ ଏକ ସାଧାରଣ ସଭା ଆୟୋଜିତ ହୋଇଥିଲା। ଏହି ସଭାରେ ତୀର୍ଥଯାତ୍ରୀମାନଙ୍କୁ ରେଳ ଟିକେଟ୍ ସହ ଯାତ୍ରା ସମୟରେ ଆବଶ୍ୟକ ହେଉଥିବା ଯାତ୍ରା କିଟ୍ ପ୍ରଦାନ କରାଯାଇଥିଲା। ଏହା ସହିତ ଯାତ୍ରା ସମୟରେ ଆବଶ୍ୟକ ସତର୍କତା ଅବଲମ୍ବନ କରିବା ଓ ଉପଲବ୍ଧ ସୁବିଧାର ସଦୁପଯୋଗ କରିବାକୁ ଯାତ୍ରୀମାନଙ୍କୁ ପରାମର୍ଶ ଦିଆଯାଇଥିଲା।

   ଜିଲ୍ଲା ପର୍ଯ୍ୟଟନ ବିଭାଗ ପକ୍ଷରୁ ଆୟୋଜିତ ଏହି ତୀର୍ଥଯାତ୍ରାର ଉଦ୍ଦେଶ୍ୟ ହେଉଛି ବରିଷ୍ଠ ନାଗରିକମାନଙ୍କୁ ତୀର୍ଥସ୍ଥଳ ପରିଦର୍ଶନର ସୁଯୋଗ ଦେବା ସହ ସେମାନଙ୍କ ଜୀବନରେ ଆଧ୍ୟାତ୍ମିକ ଆନନ୍ଦ ଓ ସନ୍ତୋଷ ଆଣିବା। ଏହି ଯାତ୍ରା ସମାପ୍ତ କରି ତୀର୍ଥଯାତ୍ରୀମାନେ ଆସନ୍ତା ୧୭ ଅକ୍ଟୋବର ୨୦୨୬ରେ ବାଲେଶ୍ୱର ଫେରିବେ।

-0-

ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ , ବାଲେଶ୍ୱର ଙ୍କ ସୌଜନ୍ୟରୁ

Leave a Reply

Your email address will not be published. Required fields are marked *