ସିଦ୍ଧ ଶୀବଳଦେବଜୀଉଙ୍କ ନୂତନ ଭଜନ ଲୋକାର୍ପିତ

କେନ୍ଦ୍ରାପଡ଼ା, ୨୬/୦୭/୨୦୨୬ (ଓଡ଼ିଶା ସମାଚାର)-କେନ୍ଦ୍ରାପଡାର ଆରାଧ୍ୟ ପ୍ରଭୁ ସିଦ୍ଧ ଶ୍ରୀବଳଦେବଜୀଉଙ୍କ ଦୁଇଟି ଭଜନ ବାହୁଡାଯାତ୍ରା ଅବସରରେ ଗୁଣ୍ଡିଚା ମନ୍ଦିର ପ୍ରାଙ୍ଗଣରେ ଲୋକାର୍ପିତ ହୋଇଯାଇଛି । ସଂଗୀତ ନିର୍ଦେଶକ ସତ୍ୟପ୍ରିୟ ଦାସଙ୍କ ବଳିଷ୍ଠ ସ୍ୱର ସଂଯୋଜନାରେ ଲୋକପ୍ରିୟ କଣ୍ଠଶିଳ୍ପୀ ଶ୍ରୀଚରଣ ମହାନ୍ତି ଏବଂ ଅନ୍ତରା ଚକ୍ରବର୍ତୀଙ୍କ ସୁମଧୁର କଣ୍ଠରେ ‘ରଥରେ ବସିଛି ବଳିଆ ସାଆନ୍ତ ଓ ରଥେ ହଳଧର’ ଭଜନରେ ଗୀତିକାର ସୁବାସ ପାତ୍ର ଗୀତ ରଚନା କରିଥିବା ବେଳେ ଶରତ ପଟ୍ଟନାୟକ ପ୍ରଯୋଜନା କରିଛନ୍ତି । ଏମ.ପି. କ୍ରିଏସନ ଦ୍ୱାରା ମୁକ୍ତିଲାଭ କରିଥିବା ଗୀତ ଦୁଇଟି ଓଡିଶାର ଶ୍ରଦ୍ଧାଳୁ ଭକ୍ତମାନଙ୍କ ମଧ୍ୟରେ ଭାବର ଆବେଗ ସୃଷ୍ଟି ହେବ ବୋଲି ଆଶା କରାଯାଉଛି ।

ଏହି ଅବସରରେ ଏକ ବର୍ଣ୍ଣାଢ୍ୟ ସାଂସ୍କୃତିକ ମଂଚରେ କେନ୍ଦ୍ରାପଡା ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ତଥା ବିଶିଷ୍ଟ ସଂଗୀତଜ୍ଞ ଜ୍ୟୋତିରଞ୍ଜନ ଗୌଡା ମୁଖ୍ୟଅତିଥି, ଜିଲା ସଂସ୍କୃତି ଅଧିକାରୀ ତ୍ରିଭୂବନ ଜୟସିଂ, ବିଶିଷ୍ଟ କବି ଅଶୋକ ସାହୁ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ । କେନ୍ଦ୍ରାପଡା ବଳଦେବ ସଂସ୍କୃତି ପରିଷଦ ପକ୍ଷରୁ ଗୀତର ପ୍ରଯୋଜକ ଶରତ ପଟ୍ଟନାୟକଙ୍କୁ ତୁଳସୀକ୍ଷେତ୍ର ସମ୍ମାନରେ ସମ୍ବର୍ଦ୍ଧିତ କରାଯାଇଥିଲା । କେନ୍ଦ୍ରାପଡାର ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ବାଗଦେବୀ କଳାମନ୍ଦିରର ଛାତ୍ରୀମାନଙ୍କ ଦ୍ୱାରା ଚିତାକର୍ଷକ ନୃତ୍ୟ ଭଜନ ସମାରୋହ ଅନୁଷ୍ଠିତ ହୋଇଥିଲା ।

ସିଦ୍ଧାର୍ଥ ଟିଭିର ସୁନାମଧନ୍ୟ କଣ୍ଠଶିଳ୍ପୀ ଭାଗ୍ୟଶ୍ରୀ ସାହୁ ଏବଂ ପ୍ଲେବ୍ୟାକ୍ ସିଙ୍ଗର ରୋହିତ ପାତ୍ର ବଳଦେବଙ୍କ ଭଜନ ପରିବେଷଣ କରିଥିଲେ । ଦୂରଦର୍ଶନ ଓ ରେଡିଓ ଚକଲେଟ -୧୦୪ର ସଂଯୋଜକ ସାଇସ୍ୱରାଜ ଶତପଥୀ କାର୍ଯ୍ୟକ୍ରମଟିକୁ ସଂଯୋଜନା କରିଥିବା ବେଳେ ସାମ୍ବାଦିକ ମହେଶ ପାଢୀ ଓ ପ୍ରଦୀପ ବେହେରା ମଂଚ ପରିଚାଳନା କରିଥିଲେ ।

Leave a Reply

Your email address will not be published. Required fields are marked *