ଓଡ଼ିଶା ସାହିତ୍ୟ ଏକାଡେମୀର ୬୯ତମ ସ୍ୱନକ୍ଷତ୍ର ଦିବସ

ଭୁବନେଶ୍ୱର,୨୫/୦୭/୨୦୨୬ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ଆଜି ଭୁବନେଶ୍ୱର ସ୍ଥିତ ରବିନ୍ଦ୍ର ମଣ୍ଡପ ଠାରେ ଓଡ଼ିଶା ସାହିତ୍ୟ ଏକାଡେମୀର ୬୯ତମ ସ୍ୱନକ୍ଷତ୍ର ଦିବସ ପାଳିତ ହୋଇଯାଇଛି।

ଆଜିର କାର୍ଯ୍ୟକ୍ରମରେ ଏକାମ୍ର ବିଧାୟକ ଶ୍ରୀ ବାବୁ ସିଂ, ସମ୍ବାଦ ଖବରକାଗଜର ସମ୍ପାଦିକା ଶ୍ରୀମତୀ ତନୟା ପଟ୍ଟନାୟକ, ବିଶିଷ୍ଟ ଶିଶୁ ସାହିତ୍ୟିକ ପ୍ରଫେସର ଦାଶ ବେନହୁର, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଶାସନ ସଚିବ ଡ଼. ବିଜୟ କେତନ ଉପାଧ୍ୟାୟ, ସ୍ୱତନ୍ତ୍ର ଶାସନ ସଚିବ ଶ୍ରୀ ଦେବ ପ୍ରସାଦ ଦାଶ ପ୍ରମୁଖ ଅତିଥି ଭାବେ ଯୋଗଦେଇଥିଲେ।

ଏକାମ୍ର ବିଧାୟକ ଶ୍ରୀ ବାବୁ ସିଂ କହିଥିଲେ ଯେ, ଭାଷା ହେଉଛି ଗୋଟିଏ ଜାତିର ମେରୁଦଣ୍ଡ। ଭାଷା ବିନା ଆମର ଅସ୍ତିତ୍ୱ ନାହିଁ। ୧୯୩୬ ମସିହାରେ ଭାଷା ଭିତ୍ତିରେ ଓଡ଼ିଶା ସ୍ୱତନ୍ତ୍ର ପ୍ରଦେଶର ମାନ୍ୟତା ପ୍ରାପ୍ତ କରିଥିଲା। ଆମ ଭାଷା ହେଉଛି ଆମ ପରିଚୟ। ଓଡ଼ିଆ ଭାଷା ଓ ସାହିତ୍ୟକୁ ସମୃଦ୍ଧ କରିବା ଦିଗରେ ଓଡ଼ିଶା ସାହିତ୍ୟ ଏକାଡେମୀ ଦୀର୍ଘ ବର୍ଷ ଧରି ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଆସୁଛି। ବିଭିନ୍ନ ପୁସ୍ତକ ପ୍ରକାଶନ ଓ ଆଲୋଚନା ଚକ୍ରର ଆୟୋଜନ ମାଧ୍ୟମରେ ଓଡ଼ିଆ ସାହିତ୍ୟର ବହୁଳ ପ୍ରଚାର ଓ ପ୍ରସାର କରିବା ଏବଂ ସାହିତ୍ୟ ଜଗତର ସାରସ୍ୱତ ସ୍ରଷ୍ଟାମାନଙ୍କର ଆଦର୍ଶକୁ ଉଜ୍ଜୀବିତ କରି ରଖିବା ଦିଗରେ ଓଡ଼ିଶା ସାହିତ୍ୟ ଏକାଡେମୀର କାର୍ଯ୍ୟ ଅତୀବ ପ୍ରଶଂସନୀୟ। ଆଗାମୀ ଦିନରେ ମଧ୍ୟ ଓଡ଼ିଆ ସାହିତ୍ୟକୁ ବିଶ୍ୱବିଦିତ କରିବା ଦିଗରେ ସାହିତ୍ୟ ଏକାଡେମୀ ନିଜର ନିରନ୍ତର ପ୍ରୟାସ ଜାରି ରଖିବ ବୋଲି ବିଧାୟକ ଶ୍ରୀ ବାବୁ ସିଂ ଆଶାବ୍ୟକ୍ତ କରିଛନ୍ତି।

ଓଡ଼ିଶାର ଜଗନ୍ନାଥ ସଂସ୍କୃତି, ଓଡ଼ିଶୀ ନୃତ୍ୟ ଏବଂ ଆମ ଭାଷା ଓଡ଼ିଆ ଓ ଓଡ଼ିଆ ସଂସ୍କୃତି ପାଇଁ ଆମେ ଗର୍ବିତ। ଏହା ଆମକୁ ବିଶ୍ୱ ଦରବାରରେ ଏକ ସ୍ୱତନ୍ତ୍ର ସ୍ଥାନ ପ୍ରଦାନ କରିଛି। ଓଡ଼ିଆ ସାହିତ୍ୟ ମଧ୍ୟ ଆଜିର ଯୁବପିଢ଼ିଙ୍କ ମଧ୍ୟରେ ବେଶ୍ ଆଦୃତି ଲାଭ କରିଛି। ସ୍ୱନକ୍ଷତ୍ର ଦିବସ ଅବସରରେ ଓଡ଼ିଶା ସାହିତ୍ୟ ଏକାଡେମୀକୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇବା ସହ ଆଗାମୀ ଦିନରେ ସାହିତ୍ୟ ଏକାଡେମୀ ଏବଂ ଆମ ଯୁବପିଢ଼ି ଓଡ଼ିଆ ସାହିତ୍ୟର ବହୁଳ ପ୍ରଚାର ଓ ପ୍ରସାର ଦିଗରେ କାର୍ଯ୍ୟ କରି ସଫଳତା ଅର୍ଜନ କରନ୍ତୁ ବୋଲି ସମ୍ବାଦ ଖବରକାଗଜର ସମ୍ପାଦିକା ଶ୍ରୀମତୀ ତନୟା ପଟ୍ଟନାୟକ କହିଥିଲେ।

ଶିଶୁ ସାହିତ୍ୟିକ ପ୍ରଫେସର ଦାଶ ବେନହୁର କହିଥିଲେ ଯେ, ସାହିତ୍ୟ ହେଉଛି ଆମ ସମାଜର ପ୍ରତିବିମ୍ବ। ବହୁ ସାରସ୍ୱତ ସ୍ରଷ୍ଟାଙ୍କ କାଳଜୟୀ ରଚନା ଓଡ଼ିଆ ସାହିତ୍ୟକୁ ରୁଦ୍ଧିମନ୍ତ କରିଛି। ସେହି ସାହିତ୍ୟ ସର୍ଜନାକୁ ଆଜିର ଯୁବବର୍ଗଙ୍କ ନିକଟରେ ପହଞ୍ଚାଇବା, ସାହିତ୍ୟ ସୃଜନକୁ ପ୍ରୋତ୍ସାହନ ଦେବା, କିମ୍ବଦନ୍ତୀ ପୁରୁଷମାନଙ୍କ ଆଦର୍ଶକୁ ଉଜ୍ଜୀବିତ କରି ରଖିବା ଦିଗରେ ସାହିତ୍ୟ ଏକାଡେମୀର କାର୍ଯ୍ୟ ପ୍ରେରଣାଦାୟୀ ବୋଲି ପ୍ରଫେସର ଦାଶ ବେନହୁର ମତପ୍ରକାଶ କରିଥିଲେ।

ଆଜି ଓଡ଼ିଶା ସାହିତ୍ୟ ଏକାଡେମୀର ୬୯ତମ ସ୍ୱନକ୍ଷତ୍ର ଦିବସ ଅବସରରେ “ବ୍ରଜନାଥ ଗ୍ରନ୍ଥାବଳୀ”, “ଅର୍ଜୁନ ଦାସ ରଚନାବଳୀ”, “ଅଷ୍ଟବକ୍ର ଗୀତା”, “କୋଣାର୍କ ପଞ୍ଚଶଖା ବିଶେଷାଙ୍କ”, “ବାଗ୍ମୀ ଗୌରୀକୁମାର ବ୍ରହ୍ମା” ଆଦି ପୁସ୍ତକ ଉନ୍ମୋଚିତ ହୋଇଥିଲା। ଏଥିସହିତ ଅତିବଡ଼ି ଜଗନ୍ନାଥ ଦାସ, ସାରଳା ଦାସ, ସନ୍ଥକବି ଭୀମଭୋଇ, କବିସୂର୍ଯ୍ୟ ବଳଦେବ ରଥ, କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ, ବ୍ୟାସକବି ଫକୀର ମୋହନ ସେନାପତି, ମା’ ରମାଦେବୀଙ୍କ ଜୀବନୀ ଓ ଜୀବନ ଦର୍ଶନକୁ ନେଇ ନିର୍ମିତ ହୋଇଥିବା ପ୍ରମାଣିକ ଚଳଚ୍ଚିତ୍ର ଉନ୍ମୋଚିତ ହୋଇଥିଲା।

ଏଥିସହିତ ରାଜ୍ୟ ସ୍ତରୀୟ ପ୍ରବନ୍ଧ, ବକ୍ତୃତା, କବିତା ଓ ସାଧାରଣ ଜ୍ଞାନ ପ୍ରତିଯୋଗିତାରେ ପ୍ରଥମ, ଦ୍ଵିତୀୟ ଓ ତୃତୀୟ ସ୍ଥାନ ହାସଲ କରିଥିବା କୃତୀ ପ୍ରତିଭାମାନଙ୍କୁ ଯଥାକ୍ରମେ ୭ ହଜାର, ୬ ହଜାର ଓ ୫ ହଜାର ଟଙ୍କାର ଆର୍ଥିକ ପୁରସ୍କାର, ଟ୍ରଫି ଓ ମାନପତ୍ର ପ୍ରଦାନ କରାଯାଇଥିଲା। ସ୍ନାତକ ଓ ସ୍ନାତକୋତ୍ତର ପାଠ୍ୟକ୍ରମରେ ଓଡ଼ିଆ ବିଷୟରେ ସର୍ବୋଚ୍ଚ ନମ୍ବର ରଖି କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀମାନଙ୍କୁ ଯଥାକ୍ରମେ ୧୦ ହଜାର ଟଙ୍କା (ସ୍ନାତକ ଶ୍ରେଣୀ ପାଇଁ) ଓ ୧୫ ହଜାର ଟଙ୍କାର (ସ୍ନାତକୋତ୍ତର ଶ୍ରେଣୀ ପାଇଁ) ଆର୍ଥିକ ପୁରସ୍କାର ପ୍ରଦାନ କରାଯାଇଥିଲା।

ଓଡ଼ିଶା ସାହିତ୍ୟ ଏକାଡେମୀର ସଚିବ ଡ଼. ଚନ୍ଦ୍ର ଶେଖର ହୋତା ସାହିତ୍ୟ ଏକାଡେମୀର ସମସ୍ତ କାର୍ଯ୍ୟାବଳୀ ସମ୍ବନ୍ଧରେ ସବିସ୍ତୃତ ବିବରଣୀ ପ୍ରଦାନ କରିବା ସହ ଆଜିର କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।

-0-

ଅମ୍ଳାନ ଦାସ ,ଲୋକସମ୍ପର୍କ ଅଧିକାରୀ ଙ୍କ ସୌଜନ୍ୟ ରୁ

Leave a Reply

Your email address will not be published. Required fields are marked *