ଆନ୍ତର୍ଜାତିକ ମହିଳା ଦିବସ-୨୦୨୬’ ପାଳିତ: ସମାନତା ଓ ନ୍ୟାୟ ପାଇଁ ଗଣଶପଥ

ପଞ୍ଚୁପଲ୍ଲୀ, ଜଟଣୀ (ଖୋର୍ଦ୍ଧା) ୦୮/୦୩/୨୦୨୬ (ଓଡ଼ିଶା ସମାଚାର)-ଦେଶର ପ୍ରଗତି ମହିଳାମାନଙ୍କ ବିକାଶ ସହିତ ଓତପ୍ରୋତ ଭାବେ ଜଡ଼ିତ। ଏହି ପରିପ୍ରେକ୍ଷୀରେ, ଆନ୍ତର୍ଜାତିକ ମହିଳା ଦିବସ-୨୦୨୬ ଅବସରରେ ଖୋର୍ଦ୍ଧା ଜିଲ୍ଲା ଜଟଣୀ ବ୍ଲକ୍ ଅନ୍ତର୍ଗତ ପଞ୍ଚୁପଲ୍ଲୀ ଗ୍ରାମ ପଞ୍ଚାୟତରେ ଏକ ଭବ୍ୟ ସାମାଜିକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଭୁବନେଶ୍ୱରସ୍ଥିତ ସାମାଜିକ ସଂଗଠନ ‘ସହଯୋଗ’ (SAHAYOG) ଏବଂ ନୂଆଦିଲ୍ଲୀର ‘ବିଶ୍ୱ ଯୁବକ କେନ୍ଦ୍ର’(VYK)ର ମିଳିତ ଆନୁକୁଲ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମ ଚଳିତ ବର୍ଷର ଆଭିମୁଖ୍ୟ”ଅଧିକାର, ନ୍ୟାୟ ଏବଂ ସମସ୍ତ ମହିଳା ଓ ବାଳିକାଙ୍କ ପାଇଁ କାର୍ଯ୍ୟାନୁଷ୍ଠାନ”ଉପରେ ପର୍ଯ୍ୟବେସିତ ଥିଲା। ଏଥିରେ ପଞ୍ଚୁପଲ୍ଲୀ ପଞ୍ଚାୟତର ସ୍ୱୟଂ ସହାୟକ ଗୋଷ୍ଠୀ (SHG), ଆଶା ଓ ଅଙ୍ଗନବାଡ଼ି କର୍ମୀ, ଜନପ୍ରତିନିଧି, ଶିକ୍ଷକ, ଛାତ୍ରଛାତ୍ରୀ ଏବଂ ସ୍ଥାନୀୟ ଜନସାଧାରଣଙ୍କ ସମେତ ଦୁଇ ଶହରୁ ଅଧିକ ପ୍ରତିଭାଗୀ ଅଂଶଗ୍ରହଣ କରିଥିଲେ।

କାର୍ଯ୍ୟକ୍ରମରେ ପୌରୋହିତ୍ୟ କରି ‘ସହଯୋଗ’ର ସମ୍ପାଦିକା ବିଜୟଲକ୍ଷ୍ମୀ ରାଉତରାୟ ଅତିଥିମାନଙ୍କୁ ସ୍ୱାଗତ କରିବା ସହ ମହିଳା ଦିବସର ତାତ୍ପର୍ଯ୍ୟ ଏବଂ ବିଶ୍ୱ ଯୁବକ କେନ୍ଦ୍ରର ବିଭିନ୍ନ ଜନହିତକର କାର୍ଯ୍ୟ ସମ୍ପର୍କରେ ସୂଚନା ଦେଇଥିଲେ। ସେ କହିଥିଲେ ଯେ, ୨୦୨୬ ର ଜେଣ୍ଡର ଗ୍ୟାପ୍ ରିପୋର୍ଟ (Gender Gap Report) ଅନୁଯାୟୀ ଭାରତର ମାନ୍ୟତା ୧୩୧ ରହିଛି, ଯାହା ଚିନ୍ତାଜନକ। ଲିଙ୍ଗଗତ ପାର୍ଥକ୍ୟ ଦୂର କରିବା ପାଇଁ ଆମକୁ ଆଉ ଏକ ଶତାବ୍ଦୀ ଅପେକ୍ଷା ନକରି ଆଜିଠାରୁ ହିଁ ଘରୁ ଝିଅମାନଙ୍କୁ ସଶକ୍ତ କରିବାକୁ ପଡ଼ିବ। ‘ସହଯୋଗ’ ପକ୍ଷରୁ ମାର୍ଚ୍ଚ ୬ ତାରିଖରୁ ସପ୍ତାହବ୍ୟାପୀ ବିଭିନ୍ନ ପ୍ରତିଯୋଗିତା ମାଧ୍ୟମରେ ଏହି ସଚେତନତା ଅଭିଯାନ ଜାରି ରହିଛି।

ମୁଖ୍ୟ ବକ୍ତା ଭାବେ ବ୍ରହ୍ମକୁଣ୍ଡଳ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ଶ୍ରୀଯୁକ୍ତ ମନୋଜ କୁମାର ରଥ  ଯୋଗଦେଇ କହିଥିଲେ ଯେ, ସମାଜରେ ଆଇନର ସଠିକ୍ କାର୍ଯ୍ୟକାରିତା ପାଇଁ ଜନସାଧାରଣ ସଚେତନ ହେବା ଜରୁରୀ। ପୁରୁଷ ଓ ମହିଳା ଗୋଟିଏ ରଥର ଦୁଇ ଚକ ସଦୃଶ; ତେଣୁ ମହିଳାଙ୍କ ବିନା ଦେଶର ପ୍ରଗତି ଅସମ୍ଭବ। ସମ୍ମାନିତ ଅତିଥି ସମାଜସେବୀବିକ୍ରମ ସ୍ୱାଇଁମହିଳାମାନଙ୍କୁ ଶିକ୍ଷା ଓ ସ୍ୱାସ୍ଥ୍ୟ କ୍ଷେତ୍ରରେ ଅଧିକ ନିଷ୍ପତ୍ତିମୂଳକ ଭୂମିକା ଗ୍ରହଣ କରିବାକୁ ଆହ୍ୱାନ ଦେଇଥିଲେ। ଅନ୍ୟତମ ସମ୍ମାନିତ ଅତିଥି ସ୍ଥାନୀୟ କୃଷି ସେବା ସମବାୟ ସମିତି ଅଧ୍ୟକ୍ଷ ଶ୍ରୀଯୁକ୍ତ ବସନ୍ତ ସ୍ଵାଇଁ କନ୍ୟା ସନ୍ତାନର ଗୁରୁତ୍ଵ ଉପରେ ଆଲୋକ ପାତ କରିକହିଥିଲେ ଯେଉଁଠି ନାରୀ ପୂଜା ପାଆନ୍ତି, ସେଠାରେ ଦେବତା ବାସ କରନ୍ତି।ନାରୀର ସମ୍ମାନ ଓ ସୁରକ୍ଷାକୁ ଆମର ପ୍ରାଥମିକତାଦେବା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ।ମୁଖ୍ୟଅତିଥି ପଞ୍ଚୁପଲ୍ଲୀ ସରପଞ୍ଚ ଶ୍ରୀମତୀ ବନଜା ଜେନା ନିଜ ଅଭିଭାଷଣରେ ପଞ୍ଚାୟତକୁ ‘ଲିଙ୍ଗଗତ ହିଂସାମୁକ୍ତ’ ଏବଂ ‘ବାଲ୍ୟବିବାହ ମୁକ୍ତ’ କରିବା ସହ ସମସ୍ତ ବାଳିକାଙ୍କ ଶିକ୍ଷା ସମାପ୍ତି ଉପରେ ଗୁରୁତ୍ୱାରୋପ କରିଥିଲେ।

କାର୍ଯ୍ୟକ୍ରମ ଶେଷରେ ବିଭିନ୍ନ ପ୍ରତିଯୋଗିତାର କୃତି ପ୍ରତିଯୋଗୀମାନଙ୍କୁ ଟ୍ରଫି ଓ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା। ସମସ୍ତ ଉପସ୍ଥିତ ସଭ୍ୟ କନ୍ୟା ଭ୍ରୂଣ ହତ୍ୟା ରୋକିବା, ନାରୀ ଶିକ୍ଷାକୁ ପ୍ରୋତ୍ସାହନ ଦେବା ଏବଂ ବାଲ୍ୟବିବାହ ବିରୋଧରେ କାର୍ଯ୍ୟ କରିବା ପାଇଁ ଗଣଶପଥ ଗ୍ରହଣ କରିଥିଲେ। ପରିଶେଷରେ ‘ସହଯୋଗ’ର କର୍ମଚାରୀଜନ୍ମେଜୟ ସ୍ୱାଇଁସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।।

Leave a Reply

Your email address will not be published. Required fields are marked *