ଯାଜପୁର,୨୯/୧୦/୨୦୨୬(ଓଡ଼ିଶା ସମାଚାର)-ଯାଜପୁର ଜିଲ୍ଲାର ଗଣପର୍ବ କାଳୀପୂଜା ଓ ଲକ୍ଷ୍ମୀନାରାୟଣ ପୂଜାକୁ ଶାନ୍ତିଶୃଙ୍ଖଳା ଓ ସୌହାର୍ଦ୍ଦ୍ୟପୂର୍ଣ୍ଣ ପରିବେଶରେ ପାଳନ କରିବା ନିମନ୍ତେ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଦ୍ୱିତୀୟ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଯୁଧିଷ୍ଠିର ନାଏକଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ବୈଠକରେ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଶ୍ରୀ ଶିତିକଣ୍ଠ କାନୁନଗୋ, ଉପଜିଲ୍ଲାପାଳ ଶ୍ରୀ ତାପସ ରଞ୍ଜନ ଦେହୁରୀ, ଉପଖଣ୍ଡ ଆରକ୍ଷୀ ଅଧୀକ୍ଷକ ଶ୍ରୀ ପ୍ରଶାନ୍ତ କୁମାର ମାଝୀ, ସହକାରୀ ଜିଲ୍ଲାପାଳ ଶ୍ରୀମତୀ ନିବେଦିତା ପ୍ରଧାନଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀ, ପୂଜା କମିଟିର କର୍ମକର୍ତ୍ତା, ଶାନ୍ତି କମିଟିର ସଦସ୍ୟ ଓ ଗଣମାଧ୍ୟମ ପ୍ରତିନିଧି ଯୋଗଦେଇଥିଲେ।
ବୈଠକରେ ଅଧ୍ୟକ୍ଷତା କରି ଅତିରିକ୍ତ ଜିଲ୍ଲାପାଳ କହିଥିଲେ ଯେ ସମସ୍ତ ବିଭାଗ ଓ ପୂଜା କମିଟି ପାରସ୍ପରିକ ସମନ୍ୱୟ ରକ୍ଷା କରି ନିଜ ନିଜ ଦାୟିତ୍ୱ ସମ୍ପାଦନ କରିବା ଉଚିତ, ଯାହାଦ୍ୱାରା ଯାଜପୁର ଜିଲ୍ଲାରେ ଏକ ଆଦର୍ଶ ଓ ଶୃଙ୍ଖଳିତ ପୂଜା ପରିବେଶ ସୃଷ୍ଟି ହୋଇପାରିବ।
ଚଳିତ ବର୍ଷ ପୂଜା ଓ ଭସାଣି ଉତ୍ସବକୁ ଶାନ୍ତି, ମୈତ୍ରୀ, ସଦ୍ଭାବନା ଓ ଭାଇଚାରାର ପରିବେଶରେ ସମାପନ କରିବା ପାଇଁ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଶ୍ରୀ ଶିତିକଣ୍ଠ କାନୁନଗୋ ସମସ୍ତ ପୂଜା କମିଟିର କର୍ମକର୍ତ୍ତାଙ୍କ ସହଯୋଗ କାମନା କରିଥିଲେ।
ସହରର ମୁଖ୍ୟ ରାସ୍ତା, ପୂଜା ମଣ୍ଡପ ଓ ପାର୍କିଂ ସ୍ଥଳରେ ପର୍ଯ୍ୟାପ୍ତ ପୁଲିସ ଫୋର୍ସ ନିୟୋଜନ କରାଯିବ। ଯାତାୟାତ ବ୍ୟବସ୍ଥାକୁ ସୁଗମ ରଖିବା ପାଇଁ ସ୍ୱତନ୍ତ୍ର ଟ୍ରାଫିକ୍ ରୁଟ୍ ଚାର୍ଟ ପ୍ରସ୍ତୁତ କରାଯାଇଛି। ଆଇନଶୃଙ୍ଖଳା ପରିସ୍ଥିତି ଉପରେ ନଜର ରଖିବା ଓ ଜରୁରୀକାଳୀନ ସ୍ଥିତିରେ ତ୍ୱରିତ ପଦକ୍ଷେପ ଗ୍ରହଣ କରିବା ପାଇଁ ପୁଲିସ କଣ୍ଟ୍ରୋଲ ରୁମ୍ କାର୍ଯ୍ୟକ୍ଷମ ରହିବ ବୋଲି ଉପଖଣ୍ଡ ଆରକ୍ଷୀ ଅଧୀକ୍ଷକ ଶ୍ରୀ ପ୍ରଶାନ୍ତ କୁମାର ମାଝୀ ସୂଚନା ଦେଇଥିଲେ ।
ସୁନା ଓ ଚାନ୍ଦି ମେଢ଼ ସମେତ ଅନ୍ୟାନ୍ୟ ପ୍ରମୁଖ ମେଢ଼ ନିକଟରେ ସିସିଟିଭି କ୍ୟାମେରା ଲଗାଇବା ଉପରେ ଗୁରୁତ୍ୱ ଦିଆଯାଇଥିଲା। ପ୍ରତ୍ୟେକ ପୂଜା ମଣ୍ଡପରେ ୧୦ ଜଣ ଲେଖାଏଁ ସ୍ୱେଚ୍ଛାସେବୀ ନିୟୋଜିତ କରିବାକୁ ପ୍ରସ୍ତାବ ରଖାଯାଇଥିଲା। ପୂଜା ଓ ଭସାଣି ସମୟରେ ଉତ୍ତମ କାର୍ଯ୍ୟ କରୁଥିବା ସ୍ୱେଚ୍ଛାସେବୀମାନଙ୍କୁ ପୁଲିସ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ପୁରସ୍କୃତ କରାଯିବା ପାଇଁ ମଧ୍ୟ ଆଲୋଚନା ହୋଇଥିଲା। ଭସାଣି ଶୋଭାଯାତ୍ରାରେ ଡିଜେ ବ୍ୟବହାର ନକରିବା ଉପରେ ଗୁରୁତ୍ୱ ଦିଆଯାଇଥିଲା।
ପୂଜା ଅବସରରେ ବିଭିନ୍ନ ଖାଦ୍ୟ ଦୋକାନରେ ବିକ୍ରି ହେଉଥିବା ଖାଦ୍ୟ ସାମଗ୍ରୀର ଗୁଣବତ୍ତା ଓ ସ୍ୱଚ୍ଛତା ନିଶ୍ଚିତ କରିବା ପାଇଁ ଖାଦ୍ୟ ସୁରକ୍ଷା ବିଭାଗ ପକ୍ଷରୁ ନିୟମିତ ଯାଞ୍ଚ କରିବା ଉପରେ ଗୁରୁତ୍ୱ ଦିଆଯାଇଥିଲା। ବୈଠକରେ ପୂଜା କମିଟିର ସଦସ୍ୟମାନଙ୍କ ପକ୍ଷରୁ ମୀନାବଜାର ଆୟୋଜନ ନିମନ୍ତେ ପ୍ରସ୍ତାବ ଦିଆଯାଇଥିଲା।
ଏଥିସହ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଆମ୍ବୁଲାନ୍ସ, ଚିକିତ୍ସା ଦଳ ଓ ପ୍ରାଥମିକ ଚିକିତ୍ସା ବ୍ୟବସ୍ଥା ପ୍ରସ୍ତୁତ ରଖାଯିବା ସହ ଟ୍ରାଫିକ୍ ନିୟନ୍ତ୍ରଣ, ଆଇନଶୃଙ୍ଖଳା, ବିଦ୍ୟୁତ୍ ଯୋଗାଣ, ରାସ୍ତାଘାଟ ମରାମତି, ପରିମଳ ବ୍ୟବସ୍ଥା, ସାଂସ୍କୃତିକ କାର୍ଯ୍ୟକ୍ରମ, ମାଦକ ଦ୍ରବ୍ୟ ନିୟନ୍ତ୍ରଣ, ଅଗ୍ନି ନିରାପତ୍ତା, ପୂଜା ମଣ୍ଡପର ସାଜସଜ୍ଜା, ସ୍ୱାସ୍ଥ୍ୟ ସୁରକ୍ଷା, ପାନୀୟ ଜଳ ଯୋଗାଣ ଏବଂ ଭସାଣି ଓ ବିସର୍ଜନ ବ୍ୟବସ୍ଥା ସମ୍ପର୍କରେ ବିସ୍ତୃତ ଆଲୋଚନା ହୋଇଥିଲା।
ଶେଷରେ ଉପଜିଲ୍ଲାପାଳ ଶ୍ରୀ ତାପସ ରଞ୍ଜନ ଦେହୁରୀ ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।
-0-
ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଙ୍କ ସୌଜନ୍ୟ ରୁ
