ପ୍ରଯୁକ୍ତି ଓ କୃତ୍ରିମ ବୁଦ୍ଧିମତା ଆଇନଗତ ବିଚାରର ବିକଳ୍ପ ହୋଇପାରିବ ନାହିଁ: ମୁଖ୍ୟ ବିଚାରପତି

ଭୁବନେଶ୍ୱର,୧୮/୦୭/୨୦୨୬(ଓଡ଼ିଶା ସମାଚାର)- ପ୍ରଯୁକ୍ତିର ଅଗ୍ରଗତି ଓ କୃତ୍ରିମ ବୁଦ୍ଧିମତା (ଏଆଇ)ର ଆବିର୍ଭାବ ଅଦାଲତର କାର୍ଯ୍ୟ ପରିଚାଳନାରେ ଦକ୍ଷତା ବୃଦ୍ଧି କରିଥିଲେ ମଧ୍ୟ ଏହା କେବେ ମଧ୍ୟ ସଚେତନ ସମ୍ବେଦନଶୀଳତା, ସ୍ୱତନ୍ତ୍ର ଓ ସ୍ୱାଧୀନ ଆଇନଗତ ବିଚାରର ବିକଳ୍ପ ହୋଇପାରିବ ନାହିଁ ବୋଲି ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ନ୍ୟାୟମଚର୍ତିି ହରିଶ ଟଣ୍ଡନ ଶନିବାର କହିଛନ୍ତି ।
ସୋଆ (ଶିକ୍ଷା ‘ଓ’ ଅନୁସନ୍ଧାନ) ଡିମ୍ଡ-ଟୁ-ବି ବିଶ୍ୱବିଦ୍ୟାଳୟ ପକ୍ଷରୁ ଆୟୋଜିତ ସ୍ୱତନ୍ତ୍ର ସମାବର୍ତନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ନ୍ୟାୟମୂର୍ତି ଶ୍ରୀ ଟଣ୍ଡନ କହିଥିଲେ ଯେ, ପ୍ରଯୁକ୍ତିର ବିକାଶ ପାରଂପରିକ ଅଦାଲତ ବ୍ୟବସ୍ଥାରେ ଏକ ବୈପ୍ଳବିକ ପରିବର୍ତନ ଆଣିପାରିଥାଏ, କିନ୍ତୁ ଏହା କେବେ ବି ମାନବୀୟ ବିଚାର ଶକ୍ତିର ସ୍ଥାନ ନେଇପାରିବ ନାହିଁ । ନ୍ୟାୟମୂର୍ତି ଶ୍ରୀ ଟଣ୍ଡନ୍ କହିଥିଲେ “ମୁଁ ପ୍ରଯୁକ୍ତିକୁ ବିରୋଧ କରୁନାହିଁ । କାରଣ ଏହା କାର୍ଯ୍ୟଦକ୍ଷତା ବୃଦ୍ଧି କରିବା ସହ ଅତ୍ୟନ୍ତ ଦ୍ରୁତ ଗତିରେ ସୂଚନା ପ୍ରକ୍ରିୟାକରଣରେ ସହାୟକ ହେଉଛି । କିନ୍ତୁ ଏହା କେବେ ବି ମାନବୀୟ ସମ୍ବେଦନଶୀଳତା ଓ ଆଇନଗତ ଯୁକ୍ତିର ସ୍ଥାନ ନେଇପାରିବ ନାହିଁ” ବୋଲି ସେ କହିଥିଲେ । ସୋଆ ବିଶ୍ୱବିଦ୍ୟାଳୟର ସ୍ୱତନ୍ତ୍ର ସମାବର୍ତନ ଉତ୍ସବ ପରିପ୍ରେକ୍ଷୀରେ ୩୦୦ରୁ ଅଧିକ ଗବେଷକଙ୍କୁ ପିଏଚ୍.ଡି. ଉପାଧି ପ୍ରଦାନ କରାଯାଇଥିଲା ।
ଏହି ଅବସରରେ ସୋଆ ପକ୍ଷରୁ ଓଡ଼ିଶା ହାଇକୋର୍ଟର ବିଚାରପତି ନ୍ୟାୟମୂର୍ତି କୃଷ୍ଣ ଶ୍ରୀପଦ ଦୀକ୍ଷିତଙ୍କୁ ସମ୍ମାନସୂଚକ ଡକ୍ଟର ଅଫ୍ ଲ’ ଉପାଧି ପ୍ରଦାନ କରାଯାଇଥିଲା । ସମାବର୍ତନ ଉତ୍ସବରେ ଓଡ଼ିଶା ହାଇକୋର୍ଟର ୧୫ ଜଣ ଏବଂ କର୍ଣ୍ଣାଟକ ହାଇକୋର୍ଟର ୫ ଜଣ ବିଚାରପତି ଉପସ୍ଥିତ ଥିଲେ ।
ବିଶ୍ୱବିଦ୍ୟାଳୟର କୁଳାଧିପତି ପ୍ରଫେସର (ଡା.) ଅମିତ ବାନାର୍ଜୀ ଏହି ସମାବର୍ତନ ଉତ୍ସବରେ ଅଧ୍ୟକ୍ଷତା କରିଥିବା ବେଳେ କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ବିଶ୍ୱବିଦ୍ୟାଳୟର ଅଗ୍ରଗତି ସଂପର୍କରେ ରିପୋର୍ଟ ଉପସ୍ଥାପନ କରିଥିଲେ । ନ୍ୟାୟମୂର୍ତି ଶ୍ରୀ ଟଣ୍ଡନ କହିଥିଲେ ଯେ ଏକ ସମାଜର ପ୍ରକୃତ ମୂଲ୍ୟାଙ୍କନ ତାହାର ନ୍ୟାୟସଙ୍ଗତ ଆଇନ ବ୍ୟବସ୍ଥା ଉପରେ ନିର୍ଭର କରେ । ଆଇନର ଶାସନ କେବଳ ଏକ ଧାରଣା ନୁହେଁ, ବରଂ ଏହା ନୈତିକତା, ସତ୍ୟନିଷ୍ଠା ଓ ସ୍ୱଚ୍ଛତାକୁ ନେଇ ଗଠିତ ଯାହାର ମୂଳ ଉଦ୍ଧେଶ୍ୟ ହେଉଛି ନ୍ୟାୟ ପ୍ରଦାନ । ସେ କହିଥିଲେ, “ସାମ୍ବିଧାନିକ ନୈତିକତା ହେଉଛି ଆମର ସଂଘୀୟ ବ୍ୟବସ୍ଥାର ପ୍ରାଣଶକ୍ତି । ଏହା ସମ୍ବିଧାନରେ ନିହିତ ଆଦର୍ଶଗୁଡ଼ିକୁ ସୁରକ୍ଷିତ ରଖିବା ସହ ନ୍ୟାୟ, ମର୍ଯ୍ୟାଦା ଓ ଦାୟିତ୍ୱବୋଧ ମାଧ୍ୟମରେ ସମାଜର ଅଗ୍ରଗତିକୁ ସୁନିଶ୍ଚିତ କରିଥାଏ ।” ଭାରତର ପୂର୍ବତନ ମୁଖ୍ୟ ବିଚାରପତି ନ୍ୟାୟମୂର୍ତି ଶ୍ରୀ ଡି.ୱାଇ. ଚନ୍ଦ୍ରଚୂଡ଼ଙ୍କ ‘ସନ୍ତୋଷ ସିଂହ ବନାମ ୟୁନିଅନ ଅଫ୍ ଇଣ୍ଡିଆ’ ମାମଲାର ରାୟକୁ ଉଲ୍ଲେଖ କରି ସେ କହିଥିଲେ ଯେ ଗଣତନ୍ତ୍ରର ପ୍ରକୃତ ଶକ୍ତି କେବଳ ସମ୍ବିଧାନର ବିଭିନ୍ନ ଧାରାରେ ନୁହେଁ, ବରଂ ଯେଉଁମାନେ ଏହାକୁ କାର୍ଯ୍ୟକାରୀ କରୁଛନ୍ତି ସେମାନଙ୍କର ଦାୟିତ୍ୱବୋଧ ଓ ପ୍ରତିବଦ୍ଧତାରେ ନିହିତ । ସେ କହିଥିଲେ ଯେ, ନ୍ୟାୟପୂର୍ଣ୍ଣ ସମାଜ ଗଠନ ପାଇଁ ବିଭିନ୍ନ ମତ ଓ ଚିନ୍ତାଧାରାକୁ ସମ୍ମାନ ଦେବା, ସହନଶୀଳତା ଏବଂ ସମାଜର ଅବହେଳିତ ଲୋକଙ୍କ ପ୍ରତି ସହାନୁଭୂତି ପ୍ରକାଶ କରିବା ଅତ୍ୟନ୍ତ ଆବଶ୍ୟକ ।

Leave a Reply

Your email address will not be published. Required fields are marked *