ଜୁନାଗଡ଼,୦୨/୦୯/୨୦୨୬ (ଓଡ଼ିଶା ସମାଚାର)-ଭାରତୀୟ ଜନତା ପାର୍ଟି (ବିଜେପି)ର ବରିଷ୍ଠ ନେତା ତଥା ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ (ଆର୍ଏସ୍ଏସ୍)ର ତୃଣମୂଳ ସ୍ତରର ସ୍ୱୟଂ ସେବକ ବେଦ ପ୍ରକାଶ ଗୋଏଲଙ୍କ ୭୭ ବର୍ଷ ବୟସରେ ଆଜି ଅପରାହ୍ନ ୪ଟା ସମୟରେ ପରଲୋକ ଘଟିଛି। ତାଙ୍କ ବିୟୋଗରେ ଜୁନାଗଡ଼ ସମେତ ସମଗ୍ର କଳାହାଣ୍ଡି ଜିଲ୍ଲାର ବିଜେପି ମହଲରେ ଶୋକର ଛାୟା ଖେଳିଯାଇଛି।
ସ୍ୱର୍ଗତ ଗୋଏଲ କଳାହାଣ୍ଡିରେ ବିଜେପି ସଂଗଠନକୁ ତୃଣମୂଳ ସ୍ତରରେ ମଜବୁତ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇଥିଲେ। ଏକଦା କଳାହାଣ୍ଡି ବିଜେପିରେ ତାଙ୍କର ଦୃଢ଼ ନେତୃତ୍ୱ ରହିଥିଲା। ସେ ଦଳର ବହୁ ବରିଷ୍ଠ ନେତାଙ୍କ ସହ ଘନିଷ୍ଠ ସମ୍ପର୍କରେ ଥିଲେ। ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ଅଟଳ ବିହାରୀ ବାଜପେୟୀ, ବରିଷ୍ଠ ବିଜେପି ନେତା ଲାଲକୃଷ୍ଣ ଆଡ଼ଭାଣୀ ଏବଂ ସ୍ୱର୍ଗତ ପ୍ରମୋଦ ମହାଜନଙ୍କ ସହ ତାଙ୍କର ସୁସମ୍ପର୍କ ଥିବା କୁହାଯାଏ।ସେ ୟଙ୍ଗ ବ୍ଲଡ଼ ପବ୍ଲିକ ସ୍କୁଲ, ସରସ୍ବତୀ ଶିଶୁମନ୍ଦିର କେସିଙ୍ଗା, ଶିଶୁମନ୍ଦିର ଜୁନାଗଡ଼, ଥୁଆମୂଳ ରାମପୁର ଶିଶୁମନ୍ଦିର ଆବାସିକ ବିଦ୍ୟାଳୟ ତଥା ବିଭିନ୍ନ ଶିକ୍ଷlନୁଷ୍ଠାନ ର ପ୍ରତିଷ୍ଠା ଓ ପରିଚାଳନା ରେ ତାଙ୍କ ଅତୁଳନୀୟ ଅବଦାନ ରହିଛି l ବେଦୁ ଭାଇ ହିସାବରେ ସାରା ଓଡିଶା ରେ ପରିଚିତ ଥିଲେ l
ଦେଶରେ ଜରୁରୀକାଳୀନ ପରିସ୍ଥିତି ସମୟରେ ଗଣତନ୍ତ୍ରର ସୁରକ୍ଷା ପାଇଁ ସେ ସକ୍ରିୟ ଭୂମିକା ନେଇଥିଲେ ଏବଂ ୧୯୭୭ ମସିହାରେ ଜେଲ ଯାଇଥିଲେ। ଦଳ ପ୍ରତି ତାଙ୍କର ନିଷ୍ଠା, ସାଂଗଠନିକ ଦକ୍ଷତା ଓ ଦୃଢ଼ ନେତୃତ୍ୱ ପାଇଁ ସେ ଦଳୀୟ କର୍ମୀଙ୍କ ମଧ୍ୟରେ ଏକ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଥିଲେ।
ସ୍ୱର୍ଗତ ବେଦ ପ୍ରକାଶ ଗୋଏଲଙ୍କ ଶେଷକୃତ୍ୟ ଆସନ୍ତାକାଲି ସକାଳ ୯ଟା ସମୟରେ ଜୁନାଗଡ଼ସ୍ଥିତ ସ୍ୱର୍ଗଦ୍ୱାରଠାରେ ସମ୍ପନ୍ନ କରାଯିବବୋଲି ତାଙ୍କ ପରିବାର ତରଫରୁ ସୂଚନା ଦିଆ ଯାଇଛି l
