ଲୋକ ସମ୍ପର୍କ ନିର୍ଦେଶକଙ୍କୁ ଭେଟିଲେ ଜାତୀୟ ସାମ୍ବାଦିକ କଲ୍ୟାଣ ବୋର୍ଡ଼ର ପ୍ରତିନିଧି ଦଳ

ଭୁବନେଶ୍ୱର,୦୨/୦୯/୨୦୨୬ (ଓଡ଼ିଶା ସମାଚାର)- ରାଜ୍ୟ ତଥା କେନ୍ଦ୍ର ସରକାରଙ୍କ ସମସ୍ତ ଯୋଜନା ଏବଂ ଜନସାଧାରଣଙ୍କ ନିମିତ ସମସ୍ତ ତଥ୍ୟକୁ ଲୋକଙ୍କ ନିକଟରେ ପହଂଚାଇବା କ୍ଷେତ୍ରରେ ଜାତୀୟ ସାମ୍ବାଦିକ କଲ୍ୟାଣ ବୋର୍ଡ଼ ଓଡ଼ିଶା ଶାଖା ସବୁମତେ ରାଜ୍ୟ ସରକାରଙ୍କୁ ସାହାଯ୍ୟ ସହଯୋଗ କରିଆସୁଛି । ସରକାର ଏବଂ ସାମ୍ବାଦିକମାନଙ୍କ ମଧ୍ୟରେ ସୁସମ୍ପର୍କ ସ୍ଥାପନ ନିମିତ ଜାତୀୟ ସାମ୍ବାଦିକ କଲ୍ୟାଣ ବୋର୍ଡ଼ର ଏକ ପ୍ରତିନିଧି ତଳ ବୁଧବାର ସୂଚନା ଓ ଲୋକ ସମ୍ପର୍କ ବିଭାଗର ନିର୍ଦେଶକ ସଞ୍ଜୟ କୁମାର ବିଶ୍ୱାଳଙ୍କୁ ସାକ୍ଷାତ ଓ ଆଲୋଚନା କରିଥିଲେ ।

ଏହି ଅବସରରେ ସାମ୍ବାଦିକଙ୍କ ପ୍ରତିନିଧି ମଣ୍ଡଳୀ କେତୋଟି ମୁଖ୍ୟ ପ୍ରସଙ୍ଗ ଉପରେ ଆଲୋଚନା କରି ସେ ଦିଗରେ ସରକାରଙ୍କ ଧ୍ୟାନ ଆକର୍ଷଣ ନିମିତ ନିର୍ଦେଶକ ଶ୍ରୀ ବିଶ୍ୱାଳଙ୍କୁ ଅନୁରୋଧ କରିଥିଲେ । ସେଗୁଡ଼ିକ ମଧ୍ୟରେ ରହିଥିଲା ସ୍ୱୀକୃତିପ୍ରାପ୍ତ ସାମ୍ବାଦିକଙ୍କ ମୃତୁ୍ୟ କ୍ଷେତ୍ରରେ ପତ୍ନୀଙ୍କ ସମେତ ନିର୍ଭରଶୀଳ ପରିବାରବର୍ଗଙ୍କୁ ୪ ଲକ୍ଷ ଟଙ୍କା ଆର୍ଥିକ ସହାୟତା ଦେବା ପାଇଁ ଅନୁରୋଧ କରଯାଇଥିଲା । ସେହିଭଳି ନୂତନ ସାମ୍ବାଦିକମାନେ ରାଜ୍ୟ ସରକାରଙ୍କ ସ୍ୱୀକୃତିପ୍ରାପ୍ତ ତାଲିକାଭୁକ୍ତ ହେବା ପାଇଁ ଆବେଦନ କଲେ ସେମାନଙ୍କୁ ପ୍ରୋଭିଜନାଲ ଆକି୍ରଡେସନ ତାଲିକାଭୁକ୍ତ କରିବାକୁ ଅନୁରୋଧ କରାଯାଇଥିଲା ।

ଅନ୍ୟ ରାଜ୍ୟରେ ସାମ୍ବାଦିକମାନଙ୍କୁ ପେନସନ ଦେବା ବ୍ୟବସ୍ଥା କାର୍ଯ୍ୟକାରୀ ହୋଇସାରିଥିବା ବେଳେ ଓଡ଼ିଶା ସରକାର ଏହାକୁ ତୁରନ୍ତ କାର୍ଯ୍ୟକାରୀ କରି ପେନସନ ଦେବାକୁ ଅନୁରୋଧ କରାଯାଇଥିଲା । ସ୍ୱୀକୃତିପ୍ରାପ୍ତ ସାମ୍ବାଦିକମାନଙ୍କୁ ଲୋକସେବା ଭବନ, ଖାରବେଳ ଭବନ ଓ ରାଜୀବ ଭବନକୁ ପ୍ରବେଶ କରିବା ପାଇଁ ସ୍ୱତନ୍ତ୍ର ପାସ୍ ବଦଳରେ ସ୍ୱୀକୃତିପ୍ରାପ୍ତ ସାମ୍ବାଦିକମାନଙ୍କ ଅନୁମତି ପତ୍ରକୁ ପ୍ରବେଶ ପତ୍ର ଭାବରେ ଗ୍ରହଣ କରିବା ପାଇଁ ଅନୁରୋଧ କରାଯାଇଥିଲା । ବର୍ତମାନ ରାଜ୍ୟର ୭୬୩୦ ଜଣ ସାମ୍ବାଦିକଙ୍କୁ ରାଜ୍ୟ ସରକାର ୫ ଲକ୍ଷ ଟଙ୍କାର ଗୋପବନ୍ଧୁ ସ୍ୱାସ୍ଥ୍ୟବୀମା ଯୋଜନାରେ ନବୀକରଣ କରିବାକୁ ଅନୁରୋଧ କରାଯାଇଥିଲା ।

ଏହି କ୍ଷେତ୍ରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ ଏବଂ ସୂଚନା ଓ ଲୋକ ସମ୍ପର୍କ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ହେମନ୍ତ ଶର୍ମା ପ୍ରମୁଖ ସାମ୍ବାଦିକମାନଙ୍କର ସମସ୍ୟା ପ୍ରତି ସହୃଦୟତାର ସହ ବି•ର କରିଥିବାରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଧେଶ୍ୟରେ ନିର୍ଦେଶକଙ୍କ ମାଧ୍ୟମରେ କୃତଜ୍ଞତା ଓ ଧନ୍ୟବାଦ ଅର୍ପଣ କରାଯାଇଥିଲା । ସୂଚନା ଓ ଲୋକ ସମ୍ପର୍କ ନିର୍ଦେଶକ ସଞ୍ଜୟ କୁମାର ବିଶ୍ୱାଳଙ୍କ ସହ ଆଲୋଚନରେ ଜାତୀୟ ସାମ୍ବାଦିକ କଲ୍ୟାଣ ବୋର୍ଡ଼ର ଓଡ଼ିଶା ଶାଖା ସଭାପତି ତଥା ବରିଷ୍ଠ ସାମ୍ବାଦିକ ପ୍ରଦୋଷ ପଟ୍ଟନାୟକ, ସାଧାରଣ ସମ୍ପାଦକ ସନତ ମିଶ୍ର, ଉପସଭାପତି ପ୍ରଦୁ୍ୟମ୍ନ କୁମାର ମହାନ୍ତି ଓ ନିର୍ଦେଶକ ମଣ୍ଡଳୀ ସଦସ୍ୟ ବିବେକାନନ୍ଦ ଜେନା ଓ କିଶୋର ମଙ୍ଗରାଜ ପ୍ରମୁଖ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *