କେନ୍ଦ୍ରାପଡା ଅବକାରୀ ଅଧିକ୍ଷକ ନିଲମ୍ବିତ

କେନ୍ଦ୍ରାପଡ଼ା, ୨୦/୦୪/୨୦୨୪ (ଓଡ଼ିଶା ସମାଚାର)- କେନ୍ଦ୍ରାପଡା ଅବକାରୀ ଅଧିକ୍ଷକ ଦେବୀ ପ୍ରସାଦ ମିଶ୍ରଙ୍କୁ ରାଜ୍ୟ ଅବକାରୀ ବିଭାଗ ନିଲମ୍ବିତ କରିଥିବା ଜଣାପଡିଛି । ରାଜ୍ୟ ଅବକାରୀ ବିଭାଗ ପକ୍ଷରୁ ଏସଙ୍କ୍ରାନ୍ତରେ ପତ୍ର ସଂଖ୍ୟା – ୨୫୬୭ ତା ୧୯.୦୪.୨୦୨୪ରିଖରେ ନିର୍ଦେଶନାମା ପ୍ରକାଶ ପାଇଛି । ଏଠାରେ ସୂଚନା ଯୋଗ୍ୟ ଯେ କେନ୍ଦ୍ରାପଡା ଅବକାରୀ ଅଧିକ୍ଷକ ଶ୍ରୀ ମିଶ୍ର ଲାଂଚ ମାଗୁଥିବା ଏକ ଅଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ସହିତ ଦେଶୀ ଓ ବିଦେଶୀ ମଦ ଦୋକାନୀଙ୍କୁ ଲାଇସେନ୍ସ ରିନୁ୍ୟଆଲ ନିମନ୍ତେ ଲକ୍ଷାଧିକ ଟଙ୍କା ଲାଂଚ ମାଗି ତାହା ନମିଳିବାରୁ ସେମାନଙ୍କ ଦୋକାନ ସିଲ କରିଦେଇଥିବା ବିଷୟରେ କେନ୍ଦ୍ରାପଡା ଜିଲାପାଳ ଓ ରାଜ୍ୟ ଅବକାରୀ କମିଶନରଙ୍କ ନିକଟରେ ଅଭିଯୋଗ ହୋଇଥିଲା । ଅଭିଯୋଗ ପାଇବା ପରେ ଅବକାରୀ କମିଶନରଙ୍କ ନିର୍ଦେଶରେ ଘଟଣାର ତଦନ୍ତ ପାଇଁ ଅବକାରୀ ବିଭାଗ ଡେପୁଟୀ କମିଶନର ରାମଚନ୍ଦ୍ର ମିଶ୍ର କେନ୍ଦ୍ରାପଡା ଅବକାରୀ ଅଧିକ୍ଷକଙ୍କ କାର୍ଯ୍ୟାଳୟରେ ପହଂଚି ବିଭିନ୍ନ କାଗଜପତ୍ର ତନଖି କରିବା ସହ ତାଙ୍କ ତଦନ୍ତ ରିପୋର୍ଟ କମିଶନରଙ୍କୁ ପ୍ରଦାନ କରିଥିଲେ । କମିଶନର ରିପୋର୍ଟ ପାଇବା ପରେ ସେହି ରିପୋର୍ଟକୁ ଅବକାରୀ ବିଭାଗକୁ କେନ୍ଦ୍ରାପଡା ଅବକାରୀ ଅଧିକ୍ଷକ ଶ୍ରୀ ମିଶ୍ରଙ୍କ ବିରୁଦ୍ଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ସୁପାରିଶ ସହ ପଠାଇଦେଇଥିଲେ । ରାଜ୍ୟ ଅବକାରୀ ବିଭାଗ କମିଶନରଙ୍କ ଠାରୁ ତଦନ୍ତ ରିପୋର୍ଟ ଏବଂ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ସୁପାରିଶ ପାଇବା ପରେ କେନ୍ଦ୍ରାପଡା ଅବକାରୀ ଅଧିକ୍ଷକ ଶ୍ରୀ ମିଶ୍ରଙ୍କୁ ନିଲମ୍ବିତ କରିବା ସହ ନିଲମ୍ବନ ସମୟରେ ତାଙ୍କ ମୁଖ୍ୟାଳୟ ସମ୍ବଲପୁରସ୍ଥିତ ଉତର ଡିଭିଜନର ଅବକାରୀ ଉପ ଅଧିକ୍ଷକଙ୍କ କାର୍ଯ୍ୟାଳୟରେ ସ୍ଥିର କରାଯାଇଛି ।

Leave a Reply

Your email address will not be published. Required fields are marked *