କୋଣାର୍କ,୧୧/୦୭/୨୦୨୬ (ଓଡ଼ିଶା ସମାଚାର)- କୋଣାର୍କ ବସ ଷ୍ଟାଣ୍ଡ ନିକଟରେ ଥିବା ବିଦେଶୀ ମଦ ଦୋକାନ ଉପରେ ବୋମା ମାଡ ହୋଇଛି । ତେବେ ବୋମା ମାଡ଼ରେ କେହି ମୃତ କିମ୍ବା ଆହତ ହୋଇ ନାହାନ୍ତି । ଘଟଣା ସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଆଜି ଶନିବାର ଦିନ ପ୍ରାୟ ସାଢ଼େ ୧୨ ଟା ସମୟରେ ମଦ ଦୋକାନ ଉପରେ ବୋମା ମାଡ ହୋଇଥିବା ସୂଚନା ମିଳିଛି ।
ସୂଚନାଯୋଗ୍ୟଯେ ,ଗତ ଦୁଇ ଦିନ ପୂର୍ବରୁ ଏହି ବିଦେଶୀ ମଦ ଦୋକାନ ଖୋଲିଥିଲା ।କୋଣାର୍କ ବସ ଷ୍ଟାଣ୍ଡ ନିକଟରେ ଗତ ଦୁଇ ଦିନ ତଳେ ନୂତନ କରି ଖୋଲିଥିବା ବିଦେଶୀ ମଦ ଦୋକାନ ଉପରକୁ ଜଣେ ଯୁବକ ଶନିବାର ମଧ୍ୟାହ୍ନରେ ତିନୋଟି ବୋମାମାଡ଼ କରି ଫେରାର ହୋଇଯାଇଥିଲା ।
ଦୁଇଟି ବୋମା ଘଟଣାସ୍ଥଳରେ ଫୁଟିଥିବାବେଳେ ଆଉ ଏକ ଅଫୁଟା ବୋମାକୁ ଘଟଣାସ୍ଥଳରୁ ପୋଲିସ ଜବତ କରିଛି। ବୋମା ଦୁଇଟି ମଦ ଦୋକାନ ଲୁହା ଗ୍ରୀଲରେ ବାଜି ଫୁଟିଥିବା ବେଳେ କାହାର କିଛି କ୍ଷତି ହୋଇନାହିଁ। ବୋମାମାଡ଼ କରିଥିବା ଯୁବକ ଜଣକ ପୁରୁଣା ମଦ ଦୋକାନର କର୍ମଚାରୀ ବୋଲି ସନ୍ଦେହ କରାଯାଉଛି। ଅଭିଯୋଗ ପରେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।
