ପୁରୀ ଯାଇ ଉପଯୁକ୍ତ ପଦକ୍ଷେପ ନେବା ପାଇଁ ଆଇନ ମନ୍ତ୍ରୀ ଙ୍କୁ ମୁଖ୍ୟମନ୍ତ୍ରୀ ଙ୍କ ନିର୍ଦ୍ଧେଶ

ପୁରୀ, ୯/୭/୨୦୨୪ (ଓଡ଼ିଶା ସମାଚାର)- ଶ୍ରୀକ୍ଷେତ୍ରର ଶରଧାବାଲିରେ ଆଡ଼ପ ପହଣ୍ଡି ସମୟରେ ଅଘଟଣ ଘଟିଛି। ବଡ଼ଠାକୁର ପ୍ରଭୁ ବଳଭଦ୍ରଙ୍କ ପହଣ୍ଡି ବିଜେ ନୀତି ବେଳେ ଏହି ଅଘଟଣ ଘଟିଛି। ଫଳରେ ୮ ଜଣ ସେବାୟତ ଆହତ ହୋଇଥିବା ଜଣାପଡ଼ିଛି। ଆହତମାନଙ୍କୁ ପୁରୀ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସୂଚନା ଅନୁସାରେ ଆଜି ସନ୍ଧ୍ୟା ପ୍ରାୟ ସାଢ଼େ ୭ଟାରେ ଶ୍ରୀଜିଉମାନଙ୍କର ଗୋଟି ପହଣ୍ଡି ଆରମ୍ଭ ହୋଇଥିଲା। ପ୍ରଥମେ ଚକ୍ରରାଜ ସୁଦର୍ଶନଙ୍କ ପହଣ୍ଡି ହୋଇଥିଲା। ଏହା ପରେ ବଡ଼ଠାକୁର ବଳଭଦ୍ରଙ୍କୁ ତାଳଧ୍ବଜରୁ ପହଣ୍ଡିରେ ତଳକୁ ଅଣାଯାଉଥିଲା। ମହାପ୍ରଭୁଙ୍କୁ ଚାଳମାଳର ଅଧବାଟରେ ଥିବା ବେଳେ କୌଣସି ତ୍ରୁଟି କାରଣରୁ ଝୁଙ୍କି ପଡ଼ିଥିଲେ। କିନ୍ତୁ ସେବାୟତମାନେ ସତର୍କତାର ସହିତ ଠାକୁରଙ୍କୁ ଧରିଥିଲେ। ତେବେ ଏହି ଅପ୍ରୀତିକର ଘଟଣାରେ ୮ ଜଣ ସେବାୟତ ଆହତ ହୋଇଥିଲେ। ଆହତମାନଙ୍କୁ ତୁରନ୍ତ ଉଦ୍ଧାର କରାଯାଇ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଏହି ଘଟଣାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦୁଃଖ ପ୍ରକାଶ କରିଛନ୍ତି । ତୁରନ୍ତ ପୁରୀ ଯାଇ ଉପଯୁକ୍ତ ପଦକ୍ଷେପ ନେବାପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଆଇନ ମନ୍ତ୍ରୀ ପୃଥୀରାଜ ହରିଚନ୍ଦନ ଙ୍କୁ ନିର୍ଦ୍ଧେଶ ଦେଇଛନ୍ତି । ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡ଼ା ମଧ୍ୟ ଘଟଣାର ଅନୁଧ୍ୟାନ ପାଇଁ ପୁରୀ ଅଭିମୁଖେ ବାହାରିଛନ୍ତି ।

Leave a Reply

Your email address will not be published. Required fields are marked *