କଟକ, ୧୦/୦୧/୨୦୨୪ (ଓଡ଼ିଶା ସମାଚାର)-ଚଳିତବର୍ଷ ଦଶମ ଶ୍ରେଣୀ ପରୀକ୍ଷାରେ ଭଲ ରେଜେଲ୍ଟ କଲେ ଛାତ୍ରଛାତ୍ରୀଙ୍କୁ କଟକ ମହାନଗର ନିଗମ (ସିଏମସି) ପକ୍ଷରୁ ପୁରସ୍କୃତ କରାଯିବ । ଯେଉଁ ହାଇସ୍କୁଲରେ ଅଧିକ ସଂଖ୍ୟକ ଛାତ୍ରଛାତ୍ରୀ ଭଲ ମାର୍କ ରଖି ମାଟ୍ରିକ ପରୀକ୍ଷାରେ କୃତକାର୍ଯ୍ୟ ହେବେ ସେହି ସ୍କୁଲକୁ ପୁରସ୍କାର ଦିଆଯିବ । ସହରରେ ଶିକ୍ଷାର ଉନ୍ନତି ପାଇଁ ସିଏମସି ପକ୍ଷରୁ ଏଭଳି ନିଷ୍ପତି ନିଆଯାଇଛି । ଚଳିତ ଶିକ୍ଷାବର୍ଷ ଠାରୁ ଏହି ବ୍ୟବସ୍ଥା ଆରମ୍ଭ କରାଯାଇଛି । ଛାତ୍ରଛାତ୍ରୀମାନଙ୍କର ପାଠପଢାକୁ ନେଇ ଯଦି କିଛି ଦ୍ୱନ୍ଦ୍ୱ ଥିବ ତାହାକୁ ଶିକ୍ଷକମାନେ ଦୂର କରିବେ । ଏଥିପାଇଁ ପ୍ରତି ହାଇସ୍କୁଲର ପ୍ରଧାନ ଶିକ୍ଷକ ଏବଂ ଶ୍ରେଣୀ ଶିକ୍ଷକମାନେ ଏକ ମାସ ଧରି ସ୍ୱତନ୍ତ୍ର ଭାବେ ପାଠ ପଢାଇବେ । ଏନେଇ ମେୟର ସୁବାସ ସିଂହଙ୍କ ଅଧ୍ୟକ୍ଷତାରେ ସହରର ସମସ୍ତ ହାଇସ୍କୁଲର ପ୍ରଧାନ ଶିକ୍ଷକ ଓ ପ୍ରଧାନ ଶିକ୍ଷୟିତ୍ରୀଙ୍କୁ ନେଇ ସିଏମସିରେ ଆୟୋଜିତ ବୈଠକରେ ନିଷ୍ପତି ନିଆଯାଇଛି । ଶିକ୍ଷକମାନେ ସଠିକ୍ ଭାବେ ପାଠ ପଢାଉଛନ୍ତି କି ନାହିଁ ତାହାକୁ ଜିଲା ଶିକ୍ଷା ବିଭାଗର ଅଧିକାରୀ ଏବଂ ସିଏମସିର ଅଧିକାରୀମାନେ ମିଳିତ ଭାବେ ଯାଂଚ କରିବେ । ଏଥିସହ ସମସ୍ତ ଅଭିଭାବକଙ୍କ ସହ ଯୋଗାଯୋଗ କରାଯିବ । ଯେଉଁ ଛାତ୍ରଛାତ୍ରୀ ସ୍କୁଲକୁ ଆସିବାକୁ ସକ୍ଷମ ନଥିବେ ଦରକାର ପଡିଲେ ସମ୍ପୃକ୍ତ ଛାତ୍ରଛାତ୍ରୀଙ୍କ ଘରକୁ ଶିକ୍ଷକ ଏବଂ ଅଧିକାରୀମାନେ ଯିବେ । ଜିଲା ଶିକ୍ଷା ଅଧିକାରୀ ଏବଂ ମେୟର ଏହି କାର୍ଯ୍ୟକୁ ସମୀକ୍ଷା କରିବେ ବୋଲି ନିଷ୍ପତି ନିଆଯାଇଛି । ଏହି କାର୍ଯ୍ୟକ୍ରମରେ ସିଏମସି କମିଶନର ନିଖିଳ ପବନ କଲ୍ୟାଣ, ଡେପୁଟି କମିଶନର ସୁକାନ୍ତ ବେଉରା, ସିଏମସି ଅଧିକାରୀ ଓ ସମସ୍ତ ସରକାରୀ ସ୍କୁଲର ପ୍ରଧାନ ଶିକ୍ଷକ ଓ ଶିକ୍ଷୟିତ୍ରୀମାନେ ଉପସ୍ଥିତ ଥିଲେ ।