କଲେଜ ସମ୍ମୁଖରେ ଖଣ୍ଡା ଧରି ଯୁବତୀଙ୍କୁ ଧମକ ଦେବା ଯୁବକ ଗିରଫ

କେନ୍ଦ୍ରାପଡ଼ା ୦୬/୦୬/୨୦୨୬ (ଓଡ଼ିଶା ସମାଚାର)- କେନ୍ଦ୍ରାପଡ଼ା ଜିଲା ଡେରାବିଶ କଲେଜ ସମ୍ମୁଖରେ ଯୁବତୀଙ୍କୁ ଖଣ୍ଡା ଦେଖାଇ ଭୟଭୀତ କରିବା ଅଭିଯୋଗରେ ଡେରାବିଶ ପୋଲିସ ଜଣେ ଯୁବକଙ୍କୁ ଗିରଫ କରିଛି । ଗିରଫ ଯୁବକ ହେଉଛନ୍ତି ମୀରପାଟଣା ଗ୍ରାମର ହିତିକ ଜେନା । ପୀଡିତା ମଧୁସ୍ମିତା ପଣ୍ଡା ମାହାଙ୍ଗା ଥାନା ଅନ୍ତର୍ଗତ ଅରଖଣ୍ଡ ଗ୍ରାମର ବୋଲି ଜଣାପଡ଼ିଛି । ସୂଚନା ଅନୁଯାୟୀ, ହିତିକ ଓ ମଧୁସ୍ମିତା ଉଭୟେ ଡେରାବିଶ କଲେଜର ଛାତ୍ରଛାତ୍ରୀ । କୌଣସି କାରଣକୁ ନେଇ ଆଜି ଶନିବାର ଦିନ ପ୍ରାୟ ଦୁଇ ପହର ସମୟରେ କଲେଜ ସମ୍ମୁଖରେ ହିତିକ ଖଣ୍ଡା ଦେଖାଇ ଯୁବତୀଙ୍କୁ ଧମକ ଦେଇଥିବା ଅଭିଯୋଗ ହୋଇଛି । ଏହି ଘଟଣା ପରେ ମଧୁସ୍ମିତା ଡେରାବିଶ ଥାନାରେ ଏତଲା ଦାଖଲ କରିଥିଲେ । ଏତଲାକୁ ଆଧାର କରି ପୋଲିସ କେସ୍ ନମ୍ବର ୧୫୦/୨୬ ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା । ପରବର୍ତୀ ସମୟରେ ଅଭିଯୁକ୍ତ ହିତିକ ଜେନାଙ୍କୁ ଗିରଫ କରାଯାଇ ଡାକ୍ତରୀ ପରୀକ୍ଷା ପରେ କୋର୍ଟ ଚାଲାଣ କରାଯାଇଥିବା ଜଣାପଡ଼ିଛି ।

ପୋଲିସ ପକ୍ଷରୁ ଅଭିଯୁକ୍ତଙ୍କ ବିରୁଦ୍ଧରେ ବିଏନଏସ୍ ର ଧାରା ୧୨୬(୨), ୧୧୫(୨) ଏବଂ ୨୯୬ ଅନୁଯାୟୀ ମାମଲା ରୁଜୁ କରାଯାଇଛି । ଘଟଣାକୁ ନେଇ ଅଂଚଳରେ ଚର୍ଚ୍ଚା ଜୋର ଧରିଥିବାବେଳେ ପୋଲିସ ତଦନ୍ତ ଜାରି ରଖିଛି । କଲେଜ ସମ୍ମୁଖରେ ଜଣେ ଯୁବକ ଖଣ୍ଡା ବୁଲାଇବା ଘଟଣାର ଭିଡିଓ / ଫଟୋ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେବା ପରେ ଅଂଚଳରେ ଚର୍ଚ୍ଚାର ବିଷୟ ପାଲଟିଛି । ଘଟଣାକୁ ନେଇ ବିଭିନ୍ନ କଲେଜରେ ପାଠ ପଢୁଥିବା ଛାତ୍ରଛାତ୍ରୀ ଏବଂ ଅଭିଭାବକଙ୍କ ମଧ୍ୟରେ ଭୟ ଓ ଅସୁରକ୍ଷାର ବାତାବରଣ ଦେଖିବାକୁ ମିଳିଛି । କଲେଜ ସମ୍ମୁଖରେ ଜଣେ ଯୁବକ ଖଣ୍ଡା ଧରି ସର୍ବସାଧାରଣ ସ୍ଥାନରେ ଭୟଭିତ କରିବା ଭିଡିଓ ସୋସିଆଲ ମିଡିଆରେ ଦ୍ରୁତ ଗତିରେ ପ୍ରସାରିତ ହୋଇଥିଲା । ଭିଡିଓ / ଫଟୋ ଭାଇରାଲ ହେବା ପରେ ଛାତ୍ରଛାତ୍ରୀଙ୍କ ସୁରକ୍ଷା ନେଇ ପ୍ରଶ୍ନ ଉଠିଥିଲା । ଅନେକ ଛାତ୍ରଛାତ୍ରୀ କହିଛନ୍ତି ଯେ, ଶିକ୍ଷାନୁଷ୍ଠାନ ପରିସର ନିକଟରେ ଏପରି ଘଟଣା ସେମାନଙ୍କ ମନରେ ଆତଙ୍କ ସୃଷ୍ଟି କରିଛି । ଅଭିଭାବକମାନେ ମଧ୍ୟ କଲେଜ ପରିସର ଏବଂ ଆଖପାଖ ଅଂଚଳରେ ପୋଲିସ ପାଟ୍ରୋଲିଂ ବୃଦ୍ଧି ସହ ଆବଶ୍ୟକ ସୁରକ୍ଷା ବ୍ୟବସ୍ଥା ଦାବି କରିଛନ୍ତି । ଏହି ଘଟଣାର ଗୁରୁତ୍ୱକୁ ଦୃଷ୍ଟିରେ ରଖି ଡେରାବିଶ ପୋଲିସ ତତ୍ପରତା ପ୍ରକାଶ କରିଥିବା ବେଳେ ଅଭିଯୁକ୍ତ ଯୁବକଙ୍କୁ ଗିରଫ କରାଯାଇଥିବା ସୂଚନା ମିଳିଛି । ପୋଲିସ ପକ୍ଷରୁ ଆଇନଶୃଙ୍ଖଳା ବଜାୟ ରଖିବା ସହ ଏଭଳି ଘଟଣା ବିରୁଦ୍ଧରେ କଠୋର ପଦକ୍ଷେପ ନିଆଯିବ ବୋଲି କୁହାଯାଇଛି ।

Leave a Reply

Your email address will not be published. Required fields are marked *