କଳପଡା ବଜାରରୁ ଦୋକାନ ଉଚ୍ଛେଦ ପ୍ରସଙ୍ଗ

ଜମି ବେପାରୀଙ୍କ ସହ ହାତମିଳାଇଛନ୍ତି ତହସିଲଦାର
ଜିଲାପାଳଙ୍କ ସହ କଥାହେଲେ ଜିଲା ବିଜେପି ନେତ୍ରୀ
କେନ୍ଦ୍ରାପଡ଼ା, ୧୦/୦୭/୨୦୨୬ (ଓଡ଼ିଶା ସମାଚାର)- କେନ୍ଦ୍ରାପଡ଼ା ବ୍ଲକ ଅନ୍ତର୍ଗତ କଳପଡ଼ା ବଜାରରେ କେତେକ ଶିକ୍ଷିତ ଯୁବକ ବ୍ୟବସାୟ କରି ପରିବାର ପ୍ରତିପୋଷଣ କରୁଥିଲେ । କେନ୍ଦ୍ରାପଡ଼ା ଜିଲା ଏକ ଶିଳ୍ପ ବିହୀନ ଜିଲା ହୋଇଥିବାରୁ ଶିକ୍ଷିତ ଯୁବଗୋଷ୍ଠୀ ବ୍ୟବସାୟ ଉପରେ ନିର୍ଭର କରି ନିଜର ଭବିଷ୍ୟତ ଗଠନ କରିବା ଛଡା ଅନ୍ୟ କୌଣସି ପନ୍ଥା ନାହିଁ । କିନ୍ତୁ ଏହି ବ୍ୟବସାୟୀଙ୍କ ଉପରେ ଦାଉ ସାଜିଛନ୍ତି ବଗଡ଼ା ରାଜସ୍ୱ ନୀରିକ୍ଷକ, ତହସିଲଦାର ଓ ଉପଜିଲାପାଳ । କାରଣ ରାଜସ୍ୱ ନିରୀକ୍ଷକ, ତହସିଲଦାର ଓ ଉପଜିଲାପାଳ ଜମି ବେପାରୀଙ୍କ ସହ ହାତ ମିଳାଇଛନ୍ତି । ଜମି ବେପାରୀମାନେ ନିଜ ଜମିରେ ମାର୍କେଟ୍ କଂପ୍ଲେକ୍ସ କରିବା ପାଇଁ ଯୋଜନା କରିଛନ୍ତି । ମାର୍କେଟ କଂପ୍ଲେକ୍ସକୁ ଯିବା ଆସିବା କରିବା ପାଇଁ ଏହି ଦୋକାନ ଗୁଡିକ ସମସ୍ୟା ସୃଷ୍ଟି କରୁଥିଲା । ତେଣୁ ଦୋକାନୀଙ୍କୁ ହଟାଇବା ପାଇଁ ଜମି ବେପାରୀମାନେ ରାଜସ୍ୱ ନିରୀକ୍ଷକ ଏବଂ ତହସିଲଦାରଙ୍କ ସହ ହାତ ମିଳାଇଥିଲେ । ଜମି ବେପାରୀଙ୍କ ଇସାରାରେ ଏହି ଉଚ୍ଛେଦ କରାଯାଇଛି ବୋଲି ବିଜେପି ଜିଲା ସଭାନେତ୍ରୀ ଡ. ଜ୍ୟୋତ୍ସ୍ନାରାଣୀ ଜେନା ଜିଲାପାଳ ରଘୁରାମ ଆର.ଆୟରଙ୍କ ସହ କଥା ହୋଇଛନ୍ତି ।

ସେ କହିଛନ୍ତି ଯେ କେନ୍ଦ୍ରାପଡ଼ା ସହରରେ ବେପାରୀମାନେ ରାସ୍ତାକୁ ଜବରଦଖଲ କରି ରଖିଛନ୍ତି । ହେଲେ ତାହାକୁ ଉଚ୍ଛେଦ କରାଯାଉ ନାହିଁ । କିନ୍ତୁ କଳପଡ଼ା ଭଳି ଏକ ଗ୍ରାମାଂଚଳ ବଜାରରେ ଶିକ୍ଷିତ ଯୁବକମାନେ ଚାକିରି ନ ପାଇ ପାନ ଦୋକାନ, ମାଛ ଦୋକାନ, ପରିବା ଦୋକାନ, ଫଳ ଦୋକାନ, ଫାଷ୍ଟ ଫୁଡ ଦୋକାନ, ଜଳଖିଆ ଦୋକାନ କରି ପରିବାର ପ୍ରତିପୋଷଣ କରୁଛନ୍ତି । କିନ୍ତୁ ସେମାନଙ୍କ ଉପରେ ପ୍ରଶାସନ ଦାଉ ସାଜୁଛି । ଯାହା ଅତ୍ୟନ୍ତ ବେଆଇନ୍ କାର୍ଯ୍ୟ । ପ୍ରଶାସନ ପକ୍ଷରୁ ଯଦି ଏହି ଉଚ୍ଛେଦକୁ ବନ୍ଦ କରା ନ ଯାଏ ତେବେ ମୁଖ୍ୟମନ୍ତ୍ରୀଙ୍କ ନକଟରେ ଅଭିଯୋଗ କରିବା ପାଇଁ ହଜାର ହଜାର ମହିଳାଙ୍କ ସହ ଡ. ଜେନା ପଦଯାତ୍ରା କରି ରାଜଧାନୀ ଯିବେ ବୋଲି କହିଛନ୍ତି । ସେ କହିଛନ୍ତି କେନ୍ଦ୍ରାପଡ଼ା ଜିଲା ଏକ କୃଷି ପ୍ରଧାନ ଜିଲା ।

ଏଠାରେ ଶିଳ୍ପ କାରଖାନା ନାହିଁ । ଯୁବକମାନେ ଦାଦନ ଖଟିବାକୁ ରାଜ୍ୟ ବାହାରକୁ ଯାଉଛନ୍ତି । ୨୪ ବର୍ଷ ମଧ୍ୟରେ ବିଜେଡି ସରକାର କେନ୍ଦ୍ରାପଡ଼ା ଯୁବପିଢିଙ୍କ ପାଇଁ କଳକାରଖାନା କରିପାରିଲେ ନାହିଁ । ତେଣୁ ଯୁବପିଢି ଛୋଟ ମୋଟ ଦୋକାନ କରି ପରିବାର ପ୍ରତିପୋଷଣ କରୁଛନ୍ତି । ଏହା ମଧ୍ୟରେ ତହସିଲଦାର ଓ ଉପଜିଲାପାଳ ଏହି ଯୁବକମାନଙ୍କ ପେଟକୁ ନାତ ମାରିଛନ୍ତି ବୋଲି ସେ କହିଛନ୍ତି । ଯେଉଁମାନଙ୍କର ଦୋକାନ ଉଚ୍ଛେଦ ହୋଇଛି ସେମାନେ ଅଭିଯୋଗ କରିଛନ୍ତି ଯେ ଜମି ମାଫିଆଙ୍କୁ ସହଯୋଗ କରିବା

ପାଇଁ ଆର.ଆଇ, ତହସିଲଦାର ଓ ଉପଜିଲାପାଳ ଏହି ପଦକ୍ଷେପ ନେଇଛନ୍ତି । ଚାକିରି ସୁଯୋଗ ନ ମିଳିବାରୁ ଆମେ ବ୍ୟବସାୟ କରି ପରିବାର ପ୍ରତିପୋଷଣ କରୁଥିଲୁ । ହେଲେ ଏହି ଅଧିକାରୀମାନେ ଆମ ଦୋକାନ ଉଚ୍ଛେଦ କରିଛନ୍ତି । ଏହାଦ୍ୱାରା ଆମେ ବେକାର ହୋଇଯିବୁ । ଫଳରେ ଆମ ପରିବାରର ଅର୍ଥନୈତିକ ସ୍ଥିତି ଦୋହଲି ଯିବ । ଆମେ କିପରି ପରିବାର ପ୍ରତିପୋଷଣ କରିବୁ ବୋଲି ଯୁବ ବ୍ୟବସାୟୀମାନେ ପ୍ରଶ୍ନ କରିଛନ୍ତି ।

Leave a Reply

Your email address will not be published. Required fields are marked *