ଓଡ଼ିଶା ଆଦର୍ଶ ବିଦ୍ୟାଳୟ ପୁରୁଷୋତ୍ତମପୁର ର ତୃତୀୟ ବାର୍ଷିକ ଉତ୍ସବ 

ଗୁଣାତ୍ମକ,ଆଧ୍ୟାତ୍ମିକ ଶିକ୍ଷା ସହିତ ସଂସ୍କାର ଶିକ୍ଷା ଦିଆଯାଉ : ବିଧାୟକ

“ଆଦର୍ଶ ବିଦ୍ୟାଳୟ ର ବିଦ୍ୟାର୍ଥୀ ଭବିଷ୍ୟତରେ  ଆଦର୍ଶ ବ୍ୟକ୍ତି ହୁଅନ୍ତୁ”

ଭୁବନ,୨୬/୦୧/୨୦୨୫ (ଓଡ଼ିଶା ସମାଚାର)- ଭୁବନ ସହର ଉପକଣ୍ଠସ୍ଥ ଓଡ଼ିଶା ଆଦର୍ଶ ବିଦ୍ୟାଳୟ , ପୁରୁଷୋତ୍ତମପୁର ର ତୃତୀୟ ବାର୍ଷିକ ଉତ୍ସବ (ସାଇନୋସିଓର) ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟ ଅଧ୍ୟକ୍ଷ ସୁବାସ ଚନ୍ଦ୍ର ପାତ୍ର ଙ୍କ ସଭାପତିତ୍ବ ଓ ଶିକ୍ଷୟିତ୍ରୀ ରିତାଞ୍ଜଳି ସାହୁ ଙ୍କ ସଂଯୋଜନାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ କାମାକ୍ଷା ନଗର ବିଧାୟକ ଶତ୍ରୁଘ୍ନ ଜେନା ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଥିଲେ ଯେ,ଆଦର୍ଶ ବିଦ୍ୟାଳୟରେ ଉନ୍ନତ ମାନର ଶିକ୍ଷା ଦିଆଯାଉଛି । ଗୁଣାତ୍ମକ,ଆଧ୍ୟାତ୍ମିକ ଶିକ୍ଷା ସହିତ ସଂସ୍କାର ଶିକ୍ଷା ଦିଆଯିବା ଉଚିତ। ଅଭିଭାବକ ମାନେ ସହଯୋଗ କଲେ ଶିକ୍ଷକ, ଶିକ୍ଷୟିତ୍ରୀ ଙ୍କ ମନୋବଳ ଦୃଢ଼ ହେବ,ସେମାନେ ଉତ୍ସାହିତ ହେବେ ବୋଲି ବିଧାୟକ ଶ୍ରୀଯୁକ୍ତ ଜେନା କହିଥିଲେ ।

ସମ୍ମାନିତ ଅତିଥି ଭାବେ ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ସିପ୍ରା ବରାଳ ଯୋଗଦେଇ କହିଥିଲେ ଯେ ,ପୂର୍ବରୁ କୌଣସି ବ୍ଲକ ରେ ସରକାରୀ ଇଂରାଜୀ ମାଧ୍ୟମ ବିଦ୍ୟାଳୟ ନଥିଲା । ଓଡ଼ିଆ ମେଧାବୀ ବିଦ୍ୟାର୍ଥୀ ମାନଙ୍କୁ ଇଂରାଜୀ ମାଧ୍ୟମ ବିଦ୍ୟାଳୟରେ ପାଠ ପଢ଼ିବାକୁ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶିକ୍ଷା କ୍ଷେତ୍ରରେ ବୈପ୍ଲବିକ ପରିବର୍ତ୍ତନ ଆଣି ପ୍ରତି ବ୍ଲକ ରେ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସ୍ଥାପନ କରିଛନ୍ତି,ଆପଣ ମାନେ ଏହାର ଫାଇଦା ନିଅନ୍ତୁ ବୋଲି କହିଥିଲେ । ଅନ୍ୟତମ ସମ୍ମାନିତ ଅତିଥି ଭାବେ ଭୁବନ ନଗରପାଳ ଶୁଭେନ୍ଦୁ କୁମାର ସାହୁ ଯୋଗଦେଇ ଆଦର୍ଶ ବିଦ୍ୟାଳୟ ର ପ୍ରତ୍ୟେକ ବିଦ୍ୟାର୍ଥୀ ଭବିଷ୍ୟତରେ ଜଣେ ଜଣେ ଭଲ ମଣିଷ ଓ ଆଦର୍ଶ ବ୍ୟକ୍ତି ହୁଅନ୍ତୁ ବୋଲି କହିଥିଲେ । ଭୁବନ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଆୟୁଶୀ ମହାପାତ୍ର ସମ୍ମାନିତ ଅତିଥି ଭାବେ ଯୋଗଦେଇ ଛାତ୍ର ଛାତ୍ରୀ ଙ୍କ ଲୁକ୍କାୟିତ ପ୍ରତିଭାର ପ୍ରଦର୍ଶନ ପାଇଁ ବାର୍ଷିକ ଉତ୍ସବ ପାଳନ କରାଯିବା ଉଚିତ୍ ବୋଲି କହିଥିଲେ । ମୁଖ୍ୟବକ୍ତା ଭାବେ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଢେଙ୍କାନାଳ ର ନୋଡାଲ ପ୍ରିନ୍ସପାଲ୍ ପ୍ରଫୁଲ୍ଲ କୁମାର ମହାନ୍ତି ଯୋଗଦେଇଥିବା ବେଳେ ଏ ବି ଇ ଓ ରାଜଲକ୍ଷ୍ମୀ ଟୁଡୁ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ଅଧ୍ୟକ୍ଷ ସୁବାସ ଚନ୍ଦ୍ର ପାତ୍ର ବାର୍ଷିକ ବିବରଣୀ ପାଠ ମାଧ୍ୟମରେ ବିଦ୍ୟାଳୟର ସଫଳତା ଓ ଅଭାବ ଅସୁବିଧା ସଂପର୍କରେ ଅତିଥି ଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। କୃତୀ ବିଦ୍ୟାର୍ଥୀ ମାନଙ୍କୁ ଅତିଥି ଙ୍କ ଦ୍ଵାରା ପୁରସ୍କୃତ କରାଯାଇଥିଲା। ଶିକ୍ଷୟିତ୍ରୀ ଶିବାନୀ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ। ଶେଷରେ ଛାତ୍ର ଛାତ୍ରୀ ମାନଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା । ଶିକ୍ଷକ ପ୍ରଦୀପ୍ତ କୁମାର ବେହେରା,ସିଦ୍ଧାର୍ଥ ବସନ୍ତିଆ, ଶିକ୍ଷୟିତ୍ରୀ ଐଶ୍ୱର୍ଯ୍ୟl ରଥ, ରୁବି ରାଉତ,ନିରୁପମା ନାୟକ ଓ କର୍ମଚାରୀ ମାନେ ସକ୍ରିୟ ଅଂଶ ଗ୍ରହଣ କରିଥିଲେ। ଅଭିଭାବକ ମାନେ କାର୍ଯ୍ୟକ୍ରମରେ ସକ୍ରିୟ ଭୂମିକା ନେଇ କାର୍ଯ୍ୟକ୍ରମକୁ ସଫଳ କରିଥିଲେ।

Leave a Reply

Your email address will not be published. Required fields are marked *