ଜଗତସିଂହପୁର,୧୭/୦୧/୨୦୨୪ (ଓଡ଼ିଶା ସମାଚାର)- ପବିତ୍ର ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାର୍ଯ୍ୟକ୍ରମର ଶୁଭ ଅବସରରେ ଜଗତସିଂହପୁର ବ୍ଲକ ଅନ୍ତର୍ଗତ ପୁନଙ୍ଗ ପଞ୍ଚାୟତରେ ସ୍ଥାନୀୟ ବିଧାୟକ ତଥା ସରକାରୀ ଦଳ ମୁଖ୍ୟ ସଚେତକ ପ୍ରଶାନ୍ତ କୁମାର ମୁଦୁଲି ଙ୍କ ଦ୍ଵାରା ବିଭିନ୍ନ ପ୍ରକଳ୍ପର ମାରାଥନ ଭିତ୍ତିପ୍ରସ୍ତର ସ୍ଥାପନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି। ଆଉ ଦିନ କେଇଟା ପରେ ୨୦୨୪ ସାଧାରଣ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇବ। ଆଚରଣ ବିଧି ଲାଗୁ ହେବା ପୂର୍ବରୁ ଆରମ୍ଭ ହୋଇଗଲାଣି ବିଧାୟକ ମାନଙ୍କ ଦ୍ଵାରା ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ଶୁଭାରମ୍ଭ। ଏହି ପରିପ୍ରେକ୍ଷୀରେ ଜଗତସିଂହପୁର ବିଧାନସଭା ନିର୍ବାଚନ ମଣ୍ଡଳୀର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ର ଭିତ୍ତିପ୍ରସ୍ତର ସ୍ଥାପନ କାର୍ଯ୍ୟକ୍ରମ ବିଧାୟକ ଶ୍ରୀମୁଦୁଲିଙ୍କ କରକମଳରେ ଶୁଭ ଦିଆଯାଇଛି। ଜଗତସିଂହପୁର ବ୍ଲକ ଅନ୍ତର୍ଗତ ପୁନଙ୍ଗ ପଞ୍ଚାୟତର ଜାତୀୟ କବି ବୀରକିଶୋର ଦାସ ପାର୍କର ଉନ୍ନତି କରଣ, କେନାଲ ଉପରେ କଲଭଟ୍ ନିର୍ମାଣ, କେନାଲ ରାସ୍ତା ଉନ୍ନତି କରଣ, ପୋଲିସ ବ୍ୟାରାକ ନିକଟରେ ପୋଲ ନିର୍ମାଣ ଆଦି କାର୍ଯ୍ୟର ଭିତ୍ତି ପ୍ରସ୍ତର ସ୍ଥାପନ କାର୍ଯ୍ୟକ୍ରମ ବିଧାୟକଙ୍କ ଦ୍ଵାରା ଶୁଭ ଦିଆଯାଇଛି। ଏହି କାର୍ଯ୍ୟକ୍ରମରେ ବ୍ଲକ ଅଧ୍ୟକ୍ଷା କନକ ପ୍ରଭା ଲେଙ୍କା, ବ୍ଲକ ଉପାଧ୍ୟକ୍ଷ ରତିରଞ୍ଜନ ବେହେରା, ଜିଲ୍ଲା ପରିଷଦ ସଭାପତି ମନୋଜ କୁମାର ଭୋଇ, ସ୍ଥାନୀୟ ସରପଞ୍ଚ, ସମିତି ସଭ୍ୟ, ଜଳ ସମ୍ପଦ ବିଭାଗର ଯନ୍ତ୍ରୀ, ଅଧିକାରୀ ଓ ବିଜୁ ଜନତା ଦଳର ମହିଳା, ଯୁବ,ଛାତ୍ର ଓ ବରିଷ୍ଠ କର୍ମକର୍ତ୍ତାମାନେ ଯୋଗ ଦେଇଥିଲେ।
ଜଗତସିଂହପୁର ବିଧାୟକଙ୍କ ମାରାଥନ ଭିତ୍ତିପ୍ରସ୍ତର ସ୍ଥାପନ
