ଭୁବନ ୦୯/୦୭/୨୦୨୬ (ଓଡ଼ିଶା ସମାଚାର)- ଢେ଼ଙ୍କାନାଳ ଜିଲ୍ଲା ଭୁବନ ବାଜି ରାଉତ ସ୍ମୃତି ମହାବିଦ୍ୟାଳୟର ୫୧ ତମ ପ୍ରତିଷ୍ଠା ଦିବସ ମହା ସମାରୋହରେ ପାଳିତ ହୋଇଯାଇଛି । ଭାରପ୍ରାପ୍ତ ଅଧ୍ୟକ୍ଷ ପ୍ରଫୁଲ୍ଲ କୁମାର ଭୂୟାଁ ଙ୍କ ସଭାପତିତ୍ବରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ କାମାକ୍ଷା ନଗର ବିଧାୟକ ଶତ୍ରୁଘ୍ନ ଜେନା ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଥିଲେ ଯେ ଏହି ମହାବିଦ୍ୟାଳୟଟି ୫୧ ବର୍ଷ ପୂର୍ବେ ଆଜିର ଦିନରେ ସହିଦ୍ ବାଜି ରାଉତ ଙ୍କ ନାମରେ ପ୍ରତିଷ୍ଠା ହୋଇ ଶିକ୍ଷା,ସଂସ୍କୃତି ର ଉଜ୍ଜ୍ବଳ ପ୍ରତୀକ ଭାବେ ଦିନକୁ ଦିନ ଅଗ୍ରଗତି କରିଚାଲିଛି ।
ଛାତ୍ର ଛାତ୍ରୀ ମାନେ କଠିନ ପରିଶ୍ରମ କରି ନିଜର ଲକ୍ଷ୍ୟ ପ୍ରାପ୍ତି ହେବା ସହ କଲେଜ ପାଇଁ ଗୌରବ ଅର୍ଜନ କରନ୍ତୁ ବୋଲି ବିଧାୟକ ଶ୍ରୀଯୁକ୍ତ ଜେନା ପରାମର୍ଶ ଦେଇଥିଲେ । ମୁଖ୍ୟ ବକ୍ତା ଭାବେ ବିଡ଼ିଓ ଶ୍ରୀମତୀ ଆୟୁଷୀ ମହାପାତ୍ର ଯୋଗଦେଇ କଲେଜର ଉନ୍ନତି ପାଇଁ ପୁରାତନ ଛାତ୍ର ଛାତ୍ରୀ ମାନେ ସହଯୋଗ କରିବା ଜରୁରୀ ବୋଲି କହିଥିଲେ । ସମ୍ମାନୀତ ଅତିଥି ଭାବେ କାମାକ୍ଷାନଗର ଉପ ଜିଲ୍ଲାପାଳ ତଥା ମହାବିଦ୍ୟାଳୟ ପରିଚାଳନା କମିଟି ସଭାପତି ବିକାଶ କୁମାର ମହାନ୍ତି,ଅଧ୍ୟାପକ ଅନିଲ କୁମାର ଧୀର ଯୋଗଦେଇଥିଲେ । ମୋ କଲେଜ, ମୋ ଗୌରବ ସଂଯୋଜକ ଅଧ୍ୟାପକ ପ୍ରଭାତ କୁମାର ଜେନା ସ୍ୱାଗତ ଭାଷଣ,ଅତିଥି ପରିଚୟ ପ୍ରଦାନ ସହିତ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।
ଅଧ୍ୟକ୍ଷ ଶ୍ରୀଯୁକ୍ତ ଭୂୟାଁ ବାର୍ଷିକ ବିବରଣୀ ପାଠ ଜରିଆରେ ମହାବିଦ୍ୟାଳୟ ର ସଫଳତା ଓ ଅଭାବ ଅସୁବିଧା ସଂପର୍କରେ ଅତିଥି ଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଗ୍ରନ୍ଥାଗାରିକ ନନ୍ଦ କିଶୋର ଧୀର ଧନ୍ୟବାଦ ଅର୍ପଣ କରିଥିଲେ । ଏ ବି ଭି ପି ର ପ୍ରତିଷ୍ଠା ଦିବସ ଅବସରରେ କଲେଜ ପରିସରରେ ବୃକ୍ଷ ରୋପଣ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ମୁଖ୍ୟ କିରାଣୀ କୈଳାସ ଚନ୍ଦ୍ର ବେହେରା ଙ୍କ ସମେତ ସମସ୍ତ ଅଧ୍ୟାପକ,ଅଧ୍ୟାପିକା ଓ କର୍ମଚାରୀ ମାନେ ସକ୍ରିୟ ଅଂଶ ଗ୍ରହଣ କରିଥିଲେ।
