ଗରଦପୁର, ୦୯/୦୭/୨୦୨୬ (ଓଡ଼ିଶା ସମାଚାର)- ଗରଦପୁର ବ୍ଲକ କାର୍ୟ୍ୟାଳୟରେ ଭିଜିଲାନ୍ସ ପହଞ୍ଚି ତଦନ୍ତ କରିଛି । ଆଜି କଟକ ଦୁର୍ନିତୀ ନିବାରଣ କାର୍ୟ୍ୟାଳୟ ର ଡିଏସପି ସୁଲୋଚନା ନାୟକ ଗରଦପୁର ବ୍ଲକ କାର୍ୟ୍ୟାଳୟରେ ପହଞ୍ଚି ସାମାଜିକ ସୁରକ୍ଷା ଅଧିକାରୀ ଙ୍କ କାର୍ୟ୍ୟାଳୟରେ ହଠାତ୍ ପ୍ରବେଶ କରି ବାର୍ଦ୍ଧକ୍ୟ, ବିଧବା ଓ ଭିନ୍ନକ୍ଷମ ଭତ୍ତା ସଠିକ ଭାବେରେ ଦିଆଯାଇଛି କି ନାହିଁ , ଏହାଛଡା ଏହି ବିଭାଗର କେତେ ହିତାଧିକାରୀ ଭତ୍ତା ପାଇଛନ୍ତି ଓ ହାତରେ କେତେ ଟଙ୍କା ରହିଛି ତାହା ଯାଞ୍ଚ କରିଥିଲେ ।
ଏହି ଯାଞ୍ଚ ପରେ ବନ୍ତଳା ଓ ବଡବେତରା ପଞ୍ଚାୟତ ର ଦାଇତ୍ୱ ରେ ଥିବା ଅଧିକାରୀ ଗତ ମାସ ଭତ୍ତା ବଣ୍ଟନ କରିସାରିଥିଲେ ମଧ୍ୟ ଅଦ୍ୟାବଧି ବଳକା ଟଙ୍କା ବ୍ଲକ କୋଷାଧ୍ୟକ୍ଷ ଙ୍କୁ ଫେରସ୍ତ ନକରି ନିଜ ପାଖରେ ରଖିଥିବା ଜାଣି ଭିଜିଲାନ୍ସ ଅଧିକାରିଣୀ ଅସନ୍ତୋଷ ପ୍ରକାଶ କରିଥିବା ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ଚୌଧୁରୀ ଦିପକ କୁମାର ସୂଚନା ଦେଇଛନ୍ତି। ପରେ ବ୍ଲକ ଫାଇନାନ୍ସ ଅଧିକାରୀଙ୍କ କାର୍ୟ୍ୟାଳୟ କୁ ଯାଇ କେତେକ ଅର୍ଥ ସମ୍ବଦ୍ଧିୟ ଫାଇଲ୍ ଦେଖିବାକୁ କହିଥିଲେ ।
ଚଳିତ ବର୍ଷ ସାମାଜିକ ସମୀକ୍ଷା ସରିଥିବା ବେଳେ କେତେ ଅର୍ଥ କେଉଁ ବିଭାଗ ରେ ଖର୍ଚ୍ଚ ହୋଇଛି ତାହା ଜାଣିବାକୁ ଚାହିଁଥିଲେ। ଏହି ଅବସରରେ ଅନ୍ତୋଦୟ ଗୃହ ଯୋଜନା ଓ ଗ୍ରାମୀଣ ଶୌଚାଳୟ ଯୋଜନା ସମ୍ପର୍କରେ ଆଲୋଚନା କରିଥିଲେ ବୋଲି ଫାଇନାନ୍ସ ଅଧିକାରୀ ସୁଦର୍ଶନ ବେହେରା ସୂଚନା ଦେଇଛନ୍ତି। ତେବେ ଭିଜିଲାନ୍ସ ଅଧିକାରିଣୀ ଙ୍କୁ ନିଜର ଏହି ଗସ୍ତ ଓ ବିଭିନ୍ନ ଫାଇଲ୍ ଯାଞ୍ଚ ସମ୍ପର୍କରେ ପଚାରିବାରୁ କୌଣସି ଉତ୍ତର ଦେଇନଥିଲେ ।
