କୌଣସି ସନ୍ଦେହଜନକ ବସ୍ତୁ କିମ୍ବା ବିସ୍ଫୋରକ ସାମଗ୍ରୀ ଠାବ ହୋଇ ନାହିଁ
ଭୁବନେଶ୍ୱର,୦୮/୦୭/୨୦୨୬ (ଓଡ଼ିଶା ସମାଚାର)- ଭୁବନେଶ୍ବର କୋର୍ଟରେ ବୋମା ଆତଙ୍କ । କୋର୍ଟ ପରିସରରେ ଭୟର ବାତାବରଣ । ଏହା ମଧ୍ୟରେ କୋର୍ଟରେ ବୋମା ନିଷ୍କ୍ରିୟକାରୀ ଟିମ୍ର ଛାନ୍ଭିନ୍ । କଡ଼ା ସୁରକ୍ଷା ମଧ୍ୟରେ ଚାଲିଛି ଯାଞ୍ଚ । ତେବେ ବୋମା ଧମକ ମିଳିବା ପରେ ଫୋର୍ସ ମୁତୟନ ହୋଇଛନ୍ତି ।
ରାଜଧାନୀ ଭୁବନେଶ୍ୱର କୋର୍ଟକୁ ବୋମା ଧମକ ମିଳିବା ପରେ ସମଗ୍ର କୋର୍ଟ ପରିସରରେ ହାଇ ଆଲର୍ଟ ଜାରି କରାଯାଇଛି। ଧମକ ଖବର ପାଇବା ମାତ୍ରେ କମିଶନରେଟ ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଥିବା ବେଳେ ଅତିରିକ୍ତ ପୋଲିସ ଟିମ୍ ମୁତୟନ କରାଯାଇଛି।
ସୂଚନା ଅନୁଯାୟୀ, ବୋମା ଥିବା ନେଇ ଧମକ ମିଳିବା ପରେ ପୋଲିସ ତୁରନ୍ତ କୋର୍ଟ ପରିସରକୁ ସୁରକ୍ଷା ବଳୟ ମଧ୍ୟକୁ ନେଇଥିଲା। ପରେ ବୋମା ନିଷ୍କ୍ରିୟକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି କୋର୍ଟ ପରିସରରେ ବୋମା / ସନ୍ଦେହଜନକ ବସ୍ତୁ କିମ୍ବା ବିସ୍ଫୋରକ ସାମଗ୍ରୀ ଖୋଜାଖୋଜି ଅଭିଯାନ ଆରମ୍ଭ କରିଥିଲେ। ସନ୍ଧାନୀ କୁକୁର ଓ ଅନ୍ୟାନ୍ୟ ଉପକରଣ ସହାୟତାରେ ପରିସରର ବିଭିନ୍ନ ସ୍ଥାନରେ ଯାଞ୍ଚ କରାଯାଉଛି।
ସୁରକ୍ଷା ଦୃଷ୍ଟିରୁ କୋର୍ଟ ପରିସରରେ ପ୍ରବେଶ ଓ ଯାତାୟାତ ଉପରେ କଡ଼ା ନଜର ରଖାଯାଇଛି। କିଏ ଏହି ଧମକ ଦେଇଛନ୍ତି ଜାଣିବା ପାଇଁ ତଦନ୍ତ ଆରମ୍ଭ କରାଯାଇଛି।
ଶେଷ ଖବର ସୁଦ୍ଧା କୋର୍ଟ ପରିସରରୁ କୌଣସି ସନ୍ଦେହଜନକ ବସ୍ତୁ କିମ୍ବା ବିସ୍ଫୋରକ ସାମଗ୍ରୀ ଠାବ ହୋଇ ନାହିଁ । ପୋଲିସ ପକ୍ଷରୁ ଯାଞ୍ଚ ଜାରି ରହିଛି। ତଦନ୍ତ ସରିବା ପରେ ଘଟଣା ସମ୍ପର୍କରେ ଅଧିକ ସୂଚନା ଦିଆଯିବ ବୋଲି ପୋଲିସ ପକ୍ଷରୁ କୁହାଯାଇଛି।
