କେନ୍ଦ୍ରାପଡ଼ା, ୦୭/୦୭/୨୦୨୬ (ଓଡ଼ିଶା ସମାଚାର)- କେନ୍ଦ୍ରାପଡା ଜିଲାର ଆଳି ବ୍ଲକ ଅଧିନ ଅଟାଳ ଗ୍ରାମପଂଚାୟତରେ ଗାଁସାଥୀ(ମେଟ) ଭାବରେ କାର୍ଯ୍ୟରତ ସୁଜାତା ପରିଡାଙ୍କୁ ପଂଚାୟତ ପକ୍ଷରୁ ଏନ. ଏମ. ଏମ. ଏସ. ଆପ୍ ପ୍ରଦାନ କରାନଯିବା ପ୍ରତିବାଦରେ ସେ ଆଜି ଜିଲାପାଳଙ୍କ ନିକଟରେ ଅଭିଯୋଗ କରିଛନ୍ତି । ଶ୍ରୀମତୀ ପରିଡା ତାଙ୍କ ଅଭିଯୋଗରେ ଦର୍ଶାଇଛନ୍ତି ଯେ ସେ ଗତ ୨୦୦୮ମସିହାରୁ ଅଟାଳ ପଂଚାୟତରେ ଗାଁସାଥୀ(ମେଟ) ଭାବରେ ସୂଚାରୁ ରୂପେ କାର୍ଯ୍ୟ କରିଆସୁଛନ୍ତି ।
କିନ୍ତୁ ଏବେ ତାଙ୍କୁ ପଂଚାୟତ ପକ୍ଷରୁ ବେଆଇନ ଭାବେ ଏମଜିଏନଆରଇଜିଏସ ପ୍ରକଳ୍ପରେ କାର୍ଯ୍ୟ କରିବାକୁ ନଦିଆଯିବା ସହ ଏନ. ଏମ. ଏମ. ଏସ. ଆପ ପ୍ରଦାନ କରାଯାଉନି । ଏସମ୍ପର୍କରେ ସେ ଆଳି ବ୍ଲକରେ ହୋଇଥିବା ଜିଲା ସ୍ତରୀୟ ଜନ ଶୁଣାଣି ଶିବିରରେ ମଧ୍ୟ ଅଭିଯୋଗ କରିଥିଲେ । ଏହାପରେବି ତାଙ୍କୁ ପଂଚାୟତ ପକ୍ଷରୁ ଏନଏମଏମଏସ ଆପ ପ୍ରଦାନ କରାଯାଉନାହିଁ । ତେଣୁ ସେ ଆଜି ଜିଲାପାଳଙ୍କ ଅନୁପସ୍ଥିତିରେ ଗାଁସାଥୀ ସଂଘ ଜିଲା ସଭାପତି ଅନିଲ କୁମାର ଜେନାଙ୍କ ସମେତ ଅନ୍ୟ କର୍ମକର୍ତାମାନଙ୍କ ସହ ଅତିରିକ୍ତ ଜିଲାପାଳ ରବୀନ୍ଦ୍ର କୁମାର ମଲ୍ଲିକଙ୍କୁ ଭେଟି ଲିଖିତ ଅଭିଯୋଗ କରିଥିଲେ । ଅତିରିକ୍ତ ଜିଲାପାଳ ଏହା ଉପରେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଆଳି ବିଡିଓଙ୍କୁ ନିର୍ଦ୍ଧେଶ ଦେଇଥିବା ଜଣାପଡିଛି ।
