ତିନି ଅଧିକାରୀଙ୍କ ନାଁରେ ଥାନାରେ ଏତଲା,
କଟକ ସଦର,୦୭/୦୭/୨୦୨୬ (ଓଡ଼ିଶା ସମାଚାର/ବିଷ୍ଣୁ ବେହେରା): କଟକ ଓଏମପି ଛକରୁ କନ୍ଦରପୁର ଦେଇ ଜଗତସିଂହପୁର ଜିଲ୍ଲା ନୂଆଗାଁ ୯୪ କିମି ୫୫ ନମ୍ବର ଜାତୀୟ ରାଜପଥର ସଂପ୍ରସାରଣ ଓ ଉନ୍ନତି କରଣ କାର୍ଯ୍ୟ ଦୀର୍ଘ ବର୍ଷ ହେଲା ଚାଲିଥିବା ବେଳେ ତାହା କେବେ ଶେଷ ହେବ ତାହା ଅନିଶ୍ଚିତତା ମଧ୍ୟରେ ରହିଛି। ସେଥିରେ କାର୍ଯ୍ୟରେ ଅବହେଳା ଓ ନିମ୍ନ ମାନର କାର୍ଯ୍ୟ ହେଉଥିବା ଅଭିଯୋଗ ଉପରେ ଜଗତସିଂହପୁର ଜିଲ୍ଲାପାଳ ଜେ ସୋନାଲ ଓ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଅଙ୍କିତ ବର୍ମା ରାସ୍ତାର ଅଵସ୍ଥା ତଦାରଖ କରି କଡା ଆକ୍ସନ ମୁଡକୁ ଆସିଥିବା ଜଣାପଡିଛି।
ଏଥିପାଇଁ ଜିଲ୍ଲାପାଳ ଙ୍କ ନିର୍ଦ୍ଦେଶରେ ଉପ ଜିଲ୍ଲାପାଳ ପ୍ରଶାନ୍ତ ତରାଇ ଏନ୍ ଏଚ୍ ଏ ଆଇ ଅଧିକ୍ଷଣ ଯନ୍ତ୍ରୀ ଆଦର୍ଶ ପାଣିଗ୍ରାହୀ, ସହକାରୀ ଯନ୍ତ୍ରୀ ଶେଖର ସାମଲଙ୍କ ସହିତ ଠିକା ସଂସ୍ଥା ଏ ଆର୍ ଏସ୍ ଏସ୍ ର ପ୍ରକଳ୍ପ ପରିଚାଳକ କିଶୋର ପରିଡ଼ାଙ୍କ ନାଁ ରେ ଜଗତସିଂହପୁର ଥାନାରେ ଏତଲା ଦେଇଥିବା ଜଣାପଡିଛି। ସେହିପରି କଟକ ଜିଲ୍ଲା ପ୍ରଶାସନ ଅଧିନରେ ଥିବା ମାତ୍ର ୧୫ କିମି ରାସ୍ତାର କନ୍ଦରପୁର ରେଲୱେ ଲେଵୁଲକ୍ରସିଂ ଠାରେ କଛପ ଗତିରେ ଚାଲିଥିବା ଓଭରଵ୍ରିଜ ପାଇଁ କଡ଼ରେ ଯାଇଥିବା ନିମ୍ନମାନର ଆପ୍ରୋଚ୍ ରୋଡ ଏବେ ମରଣଯନ୍ତା ପାଲଟିଛି। ଯେଉଁଥିପାଇଁ ପ୍ରତ୍ୟେକ ଦିନ ଲୋକମାନେ ଏଠାରେ ନାହିଁ ନଥିବା ଦୁର୍ଦ୍ଦଶାର ଶିକାର ହେଉଥିବା ଦେଖାଯାଉଛି। ଯଦି ଜଗତସିଂହପୁର ଜିଲ୍ଲାପାଳ ଏଥିପାଇଁ ଆକ୍ସନ ମୁଡ଼୍ କୁ ଆସିଛନ୍ତି ତେବେ କଟକ ଜିଲ୍ଲାପାଳ କେବେ ଆକ୍ସନ ମୁଡ଼୍ କୁ ଆସୁଛନ୍ତି ତାକୁ କେବଳ ଦେଖିବାକୁ ବାକି ରହିଲା।
