ବିଟ୍ ହାଉସ କିମ୍ବା ଫାଣ୍ଡି ଖୋଲିବାକୁ ଦାବି
ପାଟକୁରା, ୧୫/୦୧/୨୦୨୪ (ଓଡ଼ିଶା ସମାଚାର)- ଗରଦପୁର ବ୍ଲକ୍ ଅନ୍ତର୍ଗତ ତେଣ୍ଡାକୁଡ଼ା ପଂଚାୟତଟି କେନ୍ଦ୍ରାପଡ଼ା, କଟକ ଓ ଜଗତସିଂହପୁର ଜିଲାର କେନ୍ଦ୍ର ସ୍ଥଳରେ ଅବସ୍ଥିତ । ପୂର୍ବରୁ ଏହି ଅଂଚଳଟି ୨୨ କିଲୋମିଟର ଦୂର ପାଟକୁରା ଥାନା ଅଧିନରେ ଥିଲା । ପରେ ୮ କିଲୋମିଟର ଦୂର କୁଦାନଗରୀ ଠାରେ ଏକ ପୋଲିସ ଫାଣ୍ଡି ଖୋଲିଲା ଓ ତେଣ୍ଡାକୁଡ଼ା ଅଂଚଳ ଟି କୁଦାନଗରୀ ପୋଲିସ ଫାଣ୍ଡି ଅଧିନରେ ରହିଲା । କିନ୍ତୁ ପରେ ଏହି ଫାଣ୍ଡି ୧୨ କିମି ଦୂର କୋରୁଆ କୁ ଉଠିଯାଇଥିଲା । ଏବେ କୋରୁଆ ଠାରେ ଥିବା କୁଦାନଗରୀ ପୋଲିସ ଫାଣ୍ଡି କୁ ଥାନା ଭାବେ ଉନ୍ନିତ କରାଯାଇ ତେଣ୍ଡାକୁଡ଼ା ଅଂଚଳଟି କୁଦାନଗରୀ ଥାନା ଅଧିନରେ ରହିଛି , ଯାହାକି ତେଣ୍ଡାକୁଡ଼ା ଠାରୁ ୧୨ କିଲୋମିଟର ଦୂରରେ ରହିଛି । ତେଣ୍ଡାକୁଡ଼ା ଅଂଚଳଟି କେନ୍ଦ୍ରାପଡ଼ା, କଟକ ଓ ଜଗତସିଂହପୁର ଜିଲାର କେନ୍ଦ୍ର ସ୍ଥଳରେ ଅବସ୍ଥିତ ହୋଇଥିଲେ ମଧ୍ୟ ତେଣ୍ଡାକୁଡ଼ା ଠାରେ ପୋଲିସ ବିଟ୍ ହାଉସ କିମ୍ବା ଫାଣ୍ଡି ଖୋଲି ପାରିନାହିଁ , ହେଲେ କଟକ ଜିଲାର ମାହାଳହାଟ ଓ ନରେନ୍ଦ୍ରପୁର ଠାରେ ପୋଲିସ ଫାଣ୍ଡି ଖୋଲିଥିବାବେଳେ ଜଗତସିଂହପୁର ଜିଲାର କୃଷ୍ଣାନନ୍ଦପୁର ଠାରେ ପୋଲିସ ଫାଣ୍ଡି ଖୋଲି ତାହା ଥାନାରେ ପରିଣତ ହୋଇସାରିଲାଣି । ତେଣ୍ଡାକୁଡ଼ା ଅଂଚଳର ଅପରାଧିକ କାର୍ଯ୍ୟକଳାପକୁ ବିଚାର କରାଗଲେ ଏଠାରେ ଏକ ପୋଲିସ ବିଟ୍ ହାଉସ କିମ୍ବା ଫାଣ୍ଡି ଖୋଲାଯିବାର ଆବଶ୍ୟକତା ରହିଛି । କୁଦାନଗରୀ ଫାଣ୍ଡି ଥାନା ହେବା ପରେ ସ୍ଥାନୀୟ ଜନସାଧାରଣଙ୍କ ଦାବି ଫଳରେ କେନ୍ଦ୍ରାପଡ଼ା ଏସପି ତେଣ୍ଡାକୁଡ଼ା ଅଂଚଳ ପରିଦର୍ଶନ କରିଥିଲେ । ହେଲେ ଆଜି ପର୍ଯ୍ୟନ୍ତ ତେଣ୍ଡାକୁଡ଼ା ଠାରେ ପୋଲିସ ଫାଣ୍ଡି ଖୋଲି ପାରିନାହିଁ । ଏବେ ଗତ ୧୦ ତାରିଖ ସନ୍ଧ୍ୟା ସମୟରେ ଏକାଧିକ ସଶସ୍ତ୍ର ଯୁବକ ତେଣ୍ଡାକୁଡ଼ା ଅଂଚଳରେ କାରବାର ହେବା ଓ ବିଲହାଟ ବଜାରରେ ଥିବା ସରକାରୀ ଲାଇସେନ୍ସ ପ୍ରାପ୍ତ ମଦ ଦୋକାନ ନିକଟରେ ଫାଙ୍କା ଗୁଳି ଚାଳନା କରିବା ଖବର ବିଭିନ୍ନ ଗଣ ମାଧ୍ୟମରେ ପ୍ରକାଶ ପାଇବା ପରେ କେନ୍ଦ୍ରାପଡ଼ା ଜିଲା ପୋଲିସ ଏବେ ଆକସନ୍ କୁ ଆସିଛି । ଗତକାଲି ରବିବାର ବିଳମ୍ବିତ ରାତିରେ ତେଣ୍ଡାକୁଡ଼ା ସାଇଫନ୍ ନିକଟରେ ଏକ ସଶସ୍ତ୍ର ପୋଲିସ କ୍ୟାମ୍ପ (ବର୍ଡ଼ର ଚେକ୍ ପୋଷ୍ଟ) ଖୋଲିÿିଛି । ଏହି କ୍ୟାମ୍ପ ରେ ଜଣେ ଅଫିସର ଓ ୪ ଜଣ ସଶସ୍ତ୍ର ପୋଲିସ ବଳ ରହିଛନ୍ତି । ପୋଲିସ ର ଏହି ଚେକ୍ ପୋଷ୍ଟ ଖୋଲିବା ଜାଣିବା ପରେ ସ୍ଥାନୀୟ ଲୋକଙ୍କ ମନରୁ ଭୟ ଦୂର ହୋଇଛି ଓ ଏହି ଚେକ୍ ପୋଷ୍ଟ କୁ ସାଧାରଣରେ ସ୍ୱାଗତ କରାଯାଇଛି । ସାଇଫନ୍ ଛକରେ ପୋଲିସ ଯାଂଚ କଡ଼ା କଡ଼ି କରାଯାଇଥିବା ଦେଖିବାକୁ ମିଳିଛି । ହେଲେ ତେଣ୍ଡାକୁଡ଼ା ଠାରେ ପୋଲିସ ବିଟ୍ ହାଉସ କିମ୍ବା ଫାଣ୍ଡି ଖୋଲାଯିବାକୁ ସାଧାରଣରେ ଦାବି ହେଉଛି ।