ସମ୍ବଲପୁର,୦୬/୦୭/୨୦୨୬ (ଓଡ଼ିଶା ସମାଚାର)-ସମ୍ବଲପୁରରେ ଗତ ୫ ଦିନ ଧରି ପ୍ରବଳରୁ ଅତି ପ୍ରବଳ ବର୍ଷା ଜାରି ରହିଛି । ଗତକାଲି ରାତି ତମାମ ଲଗାଣ ବର୍ଷା ଫଳରେ ସହରର ବିଭିନ୍ନ ତଳିଆ ଅଂଚଳ ଜଳମଗ୍ନ ହୋଇପଡିଛି । ସ୍ଥିତିର ସମୀକ୍ଷା ପାଇଁ ସମ୍ବଲପୁର ଜିଲାପାଳ ସିଦ୍ଧେଶ୍ୱର ବଳିରାମ ବୋନ୍ଦର ଏବଂ ସମ୍ବଲପୁର ମହାନଗର ନିଗମ ଆୟୁକ୍ତ ରେହାନ ଖତ୍ରି ବିଭିନ୍ନ ପ୍ରଭାବିତ ଅଂଚଳ ପରିଦର୍ଶନ କରି ସ୍ଥିତିର ସମୀକ୍ଷା କରିଥିଲେ । ଏହାସହ ପ୍ରଭାବିତ ଲୋକଙ୍କ ସହ ଆଲୋଚନା କରି ସମସ୍ୟା ବୁଝିବା ସହ ଜଳନିଷ୍କାସନ ଓ ରିଲିଫ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ପ୍ରଶାସନିକ ଅଧିକାରୀମାନଙ୍କୁ ନିର୍ଦେଶ ଦେଇଛନ୍ତି ।
ଏହି ବର୍ଷା ଓ ଜଳମଗ୍ନ ଅଂଚଳକୁ ଦୃଷ୍ଟିରେ ରଖି ସମ୍ବଲପୁର ମହାନଗର ନିଗମ ଅଂଚଳ ଏବଂ ଧନକଉଡା ବ୍ଲକର ସମସ୍ତ ବିଦ୍ୟାଳୟକୁ ସୋମବାର ପାଇଁ ଛୁଟି ଘୋଷଣା କରାଯାଇଛି । ଅନ୍ୟପକ୍ଷେ ସେଂଟଜୋନ୍ସ ସ୍କୁଲ ସଙ୍କର୍ମା ରାସ୍ତା ତଥା ରେଙ୍ଗାଲୀ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ନିବାଗଡ଼ିଆପଡ଼ା ନିକଟରେ ଗତକାଲି ଦୁଇ ଜଣ ଏକ ବାଇକ୍ରେ ଆସୁଥିବା ବେଳେ ବର୍ଷାର ସୁଅ ରାସ୍ତା ଅବରୋଧ କରିଥିଲା । ଏପରିକି ଗାଡ଼ି ସହ ଦୁଇ ଜଣ ଗଭୀର ସ୍ରୋତରେ ଭାସି ଯାଇଥିଲେ । ଗଛଲଟା ଧରି ଜଣେ ଗୋବର୍ଦ୍ଧନ ନାମକ ବ୍ୟକ୍ତି ନିଜକୁ ପାଣି ସ୍ରୋତରୁ ଅଟକାଇ ରଖିଥିବା ବେଳେ ସୁରେଶ ମହାରଣା ନାମକ ଅନ୍ୟ ଜଣଙ୍କର କୌଣସି ପତା ମିଳିପାରିନଥିଲା । ଖବର ପାଇ ଅଗ୍ନିଶମ ବାହିନୀ ତୁରନ୍ତ ଘଟଣାସ୍ଥଳରେ ପହଂଚି ଖୋଜଖବର କରିବା ପରେ ପାଣି ମଝିରେ ଲଟକି ରହିଥିବା ଯୁବକକୁ ଉଦ୍ଧାର କରିଥିଲା ବେଳେ ସୋମବାର ଅପରାହ୍ନରେ ସୁରେଶଙ୍କ ମୃତଦେହ ଉଦ୍ଧାର ହୋଇଛି ।
