ହତ୍ୟା ମାମଲାରେ ଯୁବକଙ୍କୁ ଆଜୀବନ କାରାଦଣ୍ଡ

କେନ୍ଦ୍ରାପଡ଼ା, ୨୩/୦୬/୨୦୨୬ (ଓଡ଼ିଶା ସମାଚାର)- ଏକ ହତ୍ୟା ମାମଲାର ବିଚାର କରି କେନ୍ଦ୍ରାପଡା ଜିଲା ସେସନ୍ସ କୋର୍ଟ ଜଣେ ଅଭିଯୁକ୍ତକୁ ଦୋଷୀ ସାବ୍ୟସ୍ତ କରିବା ସହ ଆଜୀବନ ଦଣ୍ଡରେ ଦଣ୍ଡିତ କରିଛନ୍ତି । ଏହାସହ ୫ହଜାର ଟଙ୍କା ଜୋରିମାନା ଦଣ୍ଡରେ ଦଣ୍ଡିତ କରିଛନ୍ତି । ଜୋରିମାନା ଅନାଦେୟ ଆଉ ଏକ ବର୍ଷ ସଶ୍ରମ କାରାଦଣ୍ଡ ଭୋଗିବା ପାଇଁ ବିଚାରପତି ଦୀପକ କୁମାର ତାଙ୍କ ରାୟରେ ଉଲ୍ଲେଖ କରିଛନ୍ତି । ଅଭିଯୁକ୍ତ ଜଣଙ୍କ ହେଉଛନ୍ତି ସୁମନ୍ତ ଶେଖର ନାୟକ । ମାମଲାର ବିବରଣୀରୁ ପ୍ରକାଶ କେନ୍ଦ୍ରାପଡା ଜିଲାର ମାର୍ଶାଘାଇ ଥାନା ଅନ୍ତର୍ଗତ ବଡପାଳ ରଣସିଂହସାହିର କୁଞ୍ଜବିହାରୀ ନାୟକଙ୍କର ପଡୋଶୀ ସୂର୍ଯ୍ୟମଣୀ ନାୟକଙ୍କ ସହ ଜମିବାଡି ବିବାଦ ପୂର୍ବରୁ ରହିଥିଲା । ଏନେଇ କୁଞ୍ଜବୁିହାରୀ କୋର୍ଟର ଦ୍ୱାରସ୍ତ ହୋଇଥିଲେ ।

ସୂର୍ଯ୍ୟମଣୀ ଜୋରଜବରଦସ୍ତ ବିବାଦୀୟ ସ୍ଥାନରେ ଘର ନିର୍ମାଣ କରୁଥିଲେ । ଏହାକୁ କୁଞ୍ଜବିହାରୀ ବିରୋଧ କରିବାରୁ ତାଙ୍କୁ ଜହୀବନରୁ ମାରିଦେବାକୁ ସୂର୍ଯ୍ୟମଣୀ ଏବଂ ତାଙ୍କ ଦୁଇପୁଅ ମଂଟୁ ଓ ପିଂଟୁ ଧମକ ଦେଇଥିଲେ । କୋର୍ଟ ଆଦେଶ ପରେ ପୋଲିସ ଘଟଣାସ୍ଥଳକୁ ଆସି କାମ ବନ୍ଦ କରିବାକୁ କହିଥିଲା । କୁଞ୍ଜବିହାରୀ କାହିଁକି ଆଇନର ଆଶ୍ରୟ ନେଲେ ଯାହାଫଳରେ ଘଟଣାସ୍ଥଳକୁ ପୋଲିସ ଆସିଲା ତାହାକୁ ନେଇ ଉଭୟ ପରିବାର ମଧ୍ୟରେ ଯୁକ୍ତିତର୍କ ହୋଇଥିଲା । କୁଞ୍ଜବିହାରୀ ୨୦୧୯ମସିହା ଜୁନ ୫ତାରିଖ ଅପରାହ୍ନ ୫ଟାରେ ବିଲରୁ କାମ ସାରି ଘରକୁ ଫେରୁଥିବା ବେଳେ ସୂର୍ଯ୍ୟମଣୀଙ୍କ ଦୁଇପୁଅ ମଂଟୁ ଓ ପିଂଟୁ ତାଙ୍କୁ ମାରଣାସ୍ତ୍ରରେ ହାଣି ହତ୍ୟା କରିଥିଲେ । ଏନେଇ ଖୁଲଣା ମାର୍ଶାଘାଇ ଥାନାରେ ଏତଲା ଦେଇଥିଲେ ।

ସେହି ଏତଲାକୁ ଭିତିକରି ମାର୍ଶାଘାଇ ଥାନା ପୋଲିସ ଅଭିଯୁକ୍ତ ସୂର୍ଯ୍ୟମଣୀ ଓ ପିଂଟୁ ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ପୋଲିସ କୋର୍ଟରେ ଅଭିଯୋଗଫର୍ଦ୍ଧ ଦାଖଲ କରିବା ପରେ ମାମଲାର ବିଚାର ଚାଲିଥିଲା । ଏହି ମାମଲାରେ ସୂର୍ଯ୍ୟମଣୀ ନାୟକ ନିର୍ଦ୍ଧୋଶରେ ଖଲାସ ହୋଇଥିବା ବେଳେ ସୁମନ୍ତଶେଖର ନାୟକ ଓରଫ ପିଂଟୁକୁ କୋର୍ଟ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଥିଲେ । ସରକାରଙ୍କ ପକ୍ଷରୁ ପବ୍ଲିକ ପ୍ରସିକୁ୍ୟଟର ଏସ.ଏ. ପଟ୍ଟନାୟକ କୋର୍ଟରେ ମାମଲା ପରିଚାଳନା କରୁଥିଲେ ।

 

Leave a Reply

Your email address will not be published. Required fields are marked *