ଜିଲ୍ଲା ସ୍ତରୀୟ “ବିକାଶର ଧାରା, ଓଡ଼ିଶା ସାରା” ସମ୍ମିଳନୀ ଉଦଯାପିତ

— ୨୦୩୬ ସୁଦ୍ଧା ବିକଶିତ ଓଡ଼ିଶା ଗଠନ ପାଇଁ ରୋଡ଼ ମ୍ୟାପ୍ ପ୍ରସ୍ତୁତ ହୋଇସାରିଛି: ମନ୍ତ୍ରୀ ପ୍ରଦିପ ବଳସାମନ୍ତ

— ଯାଜପୁର ହେଉଛି ଓଡ଼ିଶା ବିକାଶର ଇଞ୍ଜିନ: ବିଧାୟକ ଆକାଶ ଦାସନାୟକ

ଯାଜପୁର,୨୩/୦୬/୨୬(ଓଡ଼ିଶା ସମାଚାର)-  ଜିଲ୍ଲା ସ୍ତରୀୟ “ବିକାଶର ଧାରା, ଓଡ଼ିଶା ସାରା” ସମ୍ମିଳନୀ ଉଦଯାପନ ହୋଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସମବାୟ, ହସ୍ତତନ୍ତ ଓ ବୟନଶିଳ୍ପ ମନ୍ତ୍ରୀ ପ୍ରଦିପ ବଳ ସାମନ୍ତଙ୍କ ସମେତ ସମ୍ମାନିତ ଅତିଥି ଭାବେ ଜିଲ୍ଲା ଯୋଜନା ବୋର୍ଡ଼ ଅଧ୍ୟକ୍ଷ ତଥା କୋରେଇ ବିଧାୟକ ଆକାଶ ଦାସନାୟକ, ଜିଲ୍ଲାପାଳ ଅମ୍ବର କୁମାର କର, ମୁଖ୍ୟ ଉନ୍ନୟନ ଅଧିକାରୀ ଦେବୀ ପ୍ରସାଦ ମହାନ୍ତି, ଅତିରିକ୍ତ ଉନ୍ନୟନ ଅଧିକାରୀ ଲମ୍ବୋଦର ଖୁଣ୍ଟିଆ ଯୋଗ ଦେଇଥିଲେ।

ଜିଲ୍ଲାପାଳ ଅମ୍ବର କୁମାର କର ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିଲେ। ବିକାଶର ରିପୋର୍ଟ ପ୍ରଦାନ କରିବା ଏକ ଉତ୍ତରଦାୟୀ ସରକାରକୁ ସୂଚାଉଛି ବୋଲି ଜିଲ୍ଲାପାଳ କହିଥିଲେ। ମନ୍ତ୍ରୀ ଶ୍ରୀ ବଳସାମନ୍ତ କହିଥିଲେ ଯେ ଶେଷ ଧାଡ଼ିରେ ଥିବା ଲୋକଙ୍କ ପାଖରେ ବିକାଶ ପହଞ୍ଚାଇବା ପାଇଁ ସରକାର ଚେଷ୍ଟା କରିଛନ୍ତି। ୨୦୩୬ ସୁଦ୍ଧା ବିକଶିତ ଓ ସମୃଦ୍ଧ ଓଡ଼ିଶା ଗଠନ କରିବା ପାଇଁ ରୋଡ଼ ମ୍ୟାପ୍ ପ୍ରସ୍ତୁତ ହୋଇସାରିଛି। ଏହାସହ ଗତ ଦୁଇ ବର୍ଷରେ ସରକାରଙ୍କ ସୁଭଦ୍ରା ଶକ୍ତି, ଅନ୍ତ୍ୟୋଦୟ ଯୋଜନା, ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା, ଲକ୍ଷପତି ଦିଦି ଯୋଜନା, ଆୟୁଷ୍ମାନ ଭାରତ, ଦକ୍ଷତା ବିକାଶ, ପିଏମ୍ ଶ୍ରୀ ସ୍କୁଲ, ପ୍ରଧାନମନ୍ତ୍ରୀ ଆଦର୍ଶ ଗ୍ରାମ ଯୋଜନା, ସମୃଦ୍ଧ କୃଷକ ଯୋଜନା, ଉଠା ଜଳସେଚନ ପ୍ରକଳ୍ପ, ପିଏମ୍ ମତ୍ସ୍ୟ ସମ୍ପଦ ଯୋଜନା, ଶ୍ରୀଜଗନ୍ନାଥ ଦର୍ଶନ ଯୋଜନା, ବରିଷ୍ଠ ନାଗରିକ ତୀର୍ଥଯାତ୍ରୀ ଯୋଜନା ଭଳି ଅନେକ ବିକାଶମୂଳକ ଯୋଜନାର ସଫଳତା ସମ୍ପର୍କରେ ମନ୍ତ୍ରୀ ତଥ୍ୟ ଉପସ୍ଥାପନ କରିଥିଲେ। ଜିଲ୍ଲା ଯୋଜନା ବୋର୍ଡ଼ ଅଧ୍ୟକ୍ଷ ତଥା କୋରେଇ ବିଧାୟକ ଆକାଶ ଦାସ ନାୟକ “ବିକାଶର ଧାରା, ଓଡ଼ିଶା ସାରା” କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ସମ୍ପର୍କରେ ଉଲ୍ଲେଖ କରିଥିଲେ।

ସେ କହିଥିଲେ, ଯାଜପୁର ଜିଲ୍ଲାର ବିକାଶ ବିନା ରାଜ୍ୟର ବିକାଶ ହୋଇପାରିବ ନାହିଁ। ଯାଜପୁର ହେଉଛି ଓଡ଼ିଶା ବିକାଶର ଇଞ୍ଜିନ। ବିଧାୟକ ଆକାଶ ଦାସନାୟକ କହିଛନ୍ତି ଯେ ସରକାରଙ୍କ ପ୍ରଚେଷ୍ଟା ଯୋଗୁଁ ଚାଷ କ୍ଷେତ୍ରରେ ଆଗ୍ରହ ଏବଂ କୃଷକଙ୍କ ଆୟ ବଢ଼ିଛି। ସରକାର ଦୁର୍ନୀତି ବିରୋଧରେ ଶୂନ୍ୟ ସହନଶୀଳତା ନୀତି ଆପଣେଇଛନ୍ତି ଏବଂ କଡ଼ା କାର୍ଯ୍ୟାନୁଷ୍ଠାନ ନେଇଛନ୍ତି। ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ଯୋଜନାରେ ପ୍ରତ୍ୟେକ ପ୍ରାଥମିକ ବିଦ୍ୟାଳୟ ପାଇଁ ପ୍ରାୟ ୫ କୋଟି ଟଙ୍କାରେ ମଡେଲ ସ୍କୁଲ ବିକଶିତ କରାଯାଇଛି। ପ୍ରତ୍ୟେକ ବ୍ଲକରେ ଜାତୀୟ ସ୍ତରର ଷ୍ଟାଡିୟମ ନିର୍ମାଣ ପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି। କୋରେଇରେ ପ୍ରାୟ ୧୮ କୋଟି ଟଙ୍କା ବ୍ୟୟରେ ଷ୍ଟାଡିୟମ ତିଆରି ହେଉଛି। ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନାରେ ହିତାଧିକାରୀ ପିଛା ଅତିରିକ୍ତ ୫ କିଲୋ ଚାଉଳ ମାଗଣା ମିଳିବା ପରେ କ୍ଷୁଧା ନିବାରଣ ହୋଇପାରିବ। ଯାଜପୁର ରୋଡ଼-ଧାମରା ରେଳ ଲାଇନ୍ ଏବଂ ଜାତୀୟ ଜଳପଥ-୫ ପ୍ରକଳ୍ପ ସରକାରଙ୍କ ପକ୍ଷରୁ ଯାଜପୁର ପାଇଁ ବଡ଼ ଅବଦାନ, ଯାହା ଦ୍ୱାରା ଜିଲ୍ଲାର ଅର୍ଥନୈତିକ ପ୍ରଗତି ହେବ। ଏହାସହ ବନ୍ୟାର ନିରାକରଣ ପାଇଁ ଦୀର୍ଘସ୍ଥାୟୀ ଯୋଜନା ମଧ୍ୟ ପ୍ରସ୍ତୁତ କରାଯାଉଛି ବୋଲି ବିଧାୟକ ଆକାଶ ଦାସନାୟକ କହିଛନ୍ତି। ଅତିରିକ୍ତ ଉନ୍ନୟନ ଅଧିକାରୀ ଲମ୍ବୋଦର ଖୁଣ୍ଟିଆ ଧନ୍ୟବାଦ ଅର୍ପଣ କରିଥିଲେ। ସଭା ସହ ସାଂସ୍କୃତିକ କାର୍ଯ୍ୟକ୍ରମରେ ଅନ୍ୱେଷଣ ଥିଏଟର ପକ୍ଷରୁ ସରକାରଙ୍କ ଯୋଜନା ସମ୍ବନ୍ଧୀୟ ଏକ ଆକର୍ଷଣୀୟ ନାଟକ ଏବଂ କଳାକାରମାନଙ୍କ ଦ୍ଵାରା ନୃତ୍ୟ ସଙ୍ଗୀତ ପରିବେଷଣ ହୋଇଥିଲା।

Leave a Reply

Your email address will not be published. Required fields are marked *