ଗଞ୍ଜାମ ସଡ଼କ ଦୁର୍ଘଟଣାର ତଦନ୍ତ ହେବ

                                     ଦୁର୍ଘଟଣାଗ୍ରସ୍ତ ଆହତ ଙ୍କୁ ଭେଟି ଚିକିତ୍ସା ସଂପର୍କରେ ପଚାରି ବୁଝିଥିଲେ ପରିବହନ ମନ୍ତ୍ରୀ

ଭୁବନେଶ୍ୱର, ୨୨/୮/୨୦୨୪ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ଗଞ୍ଜାମ ଜିଲ୍ଲା ହିଞ୍ଜିଳି ଥାନା ଅନ୍ତର୍ଗତ ସମରଝୋଳ ଛକରେ ଆଜି ଭୋରରୁ ସଂଘଟିତ ସଡ଼କ ଦୁର୍ଘଟଣାରେ ଆହତ ହୋଇ ବ୍ରହ୍ମପୁର ଏମ୍‌କେସିଜି ମେଡ଼ିକାଲରେ ଚିକିତ୍ସିତ ହେଉଥିବା ବ୍ୟକ୍ତିମାନଙ୍କୁ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଶ୍ରୀ ବିଭୂତି ଭୂଷଣ ଜେନା ଭେଟିଛନ୍ତି । ମନ୍ତ୍ରୀ ଶ୍ରୀ ଜେନା ଚିକିତ୍ସିତମାନଙ୍କ ଗହଣରେ ପହଞ୍ଚି ସେମାନଙ୍କ ଚିକିତ୍ସା ସଂପର୍କରେ ପଚାରି ବୁଝିଥିଲେ ଏବଂ ଡାକ୍ତରମାନଙ୍କ ସହିତ କଥା ହୋଇଥିଲେ । ସେ ଆହତମାନଙ୍କ ଆଶୁ ଅରୋଗ୍ୟ କାମନା କରିଥିଲେ । ଏପରି ଅଭାବନୀୟ ଘଟଣାରେ ୪ ଜଣ ମୃତୁ୍ୟବରଣ କରିଥିବାବେଳେ ୧୨ ଜଣ ଆହତ ହୋଇଥିବା କଥା ଦର୍ଶାଇ ମନ୍ତ୍ରୀ ଶ୍ରୀ ଜେନା କହିଛନ୍ତି ଯେ ପ୍ରତି ମୃତକଙ୍କ ନିକଟ ସଂପର୍କୀୟଙ୍କୁ ୨ ଲକ୍ଷ ଓ ଆହତମାନଙ୍କୁ ପ୍ରତ୍ୟେକ ଏକ ଲକ୍ଷ ଟଙ୍କା ସହାୟତା ଦେବା ପାଇଁ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି । ସଡ଼କ ଦୁର୍ଘଟଣାର ବିଧିବଦ୍ଧ ତଦନ୍ତ କରାଯିବ ବୋଲି ମନ୍ତ୍ରୀ ପ୍ରକାଶ କରିବା ସହିତ ଏପରି ଘଟଣାର ପୁନରାବୃତ୍ତି ନହେବା ପାଇଁ ସବୁମତେ ପଦକ୍ଷେପ ନିଆଯିବ ବୋଲି କହିଥିଲେ ।

ପରେ ମନ୍ତ୍ରୀ ଶ୍ରୀ ଜେନା ଦୁର୍ଘଟଣାସ୍ଥଳରେ ପହଞ୍ଚିଥିଲେ । ଜିଲ୍ଲା ପ୍ରଶାସନ ଆହତମାନଙ୍କୁ ସଂପୂର୍ଣ୍ଣ ସହାୟତା ଯୋଗାଇଦେବାକୁ ପ୍ରସ୍ତୁତ ରହିଛନ୍ତି ବୋଲି ମନ୍ତ୍ରୀ କହିଥିଲେ ।        ମନ୍ତ୍ରୀ ଶ୍ରୀ ଜେନାଙ୍କ ସହିତ ପରିବହନ କମିଶନର ଶ୍ରୀ ଅମିତାଭ ଠାକୁର, ଗଞ୍ଜାମ ଜିଲ୍ଲାପାଳ ଶ୍ରୀ ଦିବ୍ୟଜ୍ୟୋତି ପରିଡ଼ା, ଉପଜିଲ୍ଲାପାଳ, ପରିବହନ ଓ ପୋଲିସ ବିଭାଗର ଅଧିକାରୀବୃନ୍ଦ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *