୩ ଲକ୍ଷ ଟଙ୍କାର କାମ ୩ ମାସରେ ଭାଙ୍ଗିଗଲା
ଭୁବନ ୨୩/୦୬/୨୦୨୬ (ଓଡ଼ିଶା ସମାଚାର)-ଢେ଼ଙ୍କାନାଳ ଜିଲ୍ଲା ଭୁବନ ପଞ୍ଚାୟତ ସମିତି ରାଜ୍ୟ ସରକାରଙ୍କ ବିକଶିତ ଗାଁ , ବିକଶିତ ଓଡ଼ିଶା ଯୋଜନାରେ ୨୦୨୫-୨୬ ବର୍ଷ ସମୁଦାୟ ୨ କୋଟି ୫୮ ଲକ୍ଷ ଟଙ୍କା ବ୍ୟୟରେ ନିର୍ଦ୍ଧାରିତ ସମୟ ମଧ୍ୟରେ ( ସମୟ ସୀମା ପୂର୍ବରୁ) ୬୮ ଟି ଉନ୍ନୟନ ମୂଳକ କାର୍ଯ୍ୟ ଶେଷ କରି ଥିବାରୁ ସରକାରଙ୍କ ଠାରୁ ବେଶ୍ ପ୍ରଶଂସା ପାଇଥିଲେ । ଖୋଦ୍ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପ୍ରଶଂସା ପତ୍ର ପ୍ରଦାନ କରିଥିଲେ । କାର୍ଯ୍ୟ କୁ ତ୍ୱରାନ୍ୱିତ କରାଇଥିବା ଯୋଗୁ ସ୍ଥାନୀୟ ବିଧାୟକ ଶତ୍ରୁଘ୍ନ ଜେନା ଙ୍କୁ ମଧ୍ୟ ମୁଖ୍ୟମନ୍ତ୍ରୀ ପ୍ରଶଂସା କରିଥିଲେ। ୩୧ ମାର୍ଚ୍ଚ ୨୦୨୬ ସୁଦ୍ଧା ୬୮ ଟି କାର୍ଯ୍ୟର ସମସ୍ତ ବିଲ୍ ପାସ୍ କରି ବ୍ଲକ ପ୍ରଶାସନ ପ୍ରଶଂସା ପାଇଥିବା ବେଳେ ୩ ଲକ୍ଷ ଟଙ୍କାର ପାଚେରୀ ତିନି ମାସ ନପୁରୁଣୁ ଭାଙ୍ଗିଯିବା ପରେ ଏବେ ସତ ପଦାକୁ ଆସିଛି ।
ପ୍ରାପ୍ତ ସୂଚନାରୁ ପ୍ରକାଶ ଯେ, ଭୁବନ ବ୍ଲକ ଅନ୍ତର୍ଗତ ଧଳପଡ଼ା ପଞ୍ଚାୟତ ଅନଳ ଗ୍ରାମର ମା ବ୍ରାହ୍ମଣୀ ଦେବୀ ପୀଠରେ ,”ବିକଶିତ ଗାଁ ବିକଶିତ ଓଡିଶା” ଯୋଜନାରେ ୩ ଲକ୍ଷ ଟଙ୍କା ବ୍ୟୟରେ ନିର୍ମାଣ ହୋଇଥିବା ପାଚେରୀ ଟି ଗତ ସପ୍ତାହରେ ଭୁଶୁଡ଼ି ପଡ଼ିଥିଲା । ସୁଚନା ଫଳକରେ ଏହି କାର୍ଯ୍ୟ ଆରମ୍ଭ ତାରିଖ ୨୩ ଜୁନ୍ ୨୦୨୫ ଏବଂ କାର୍ଯ୍ୟ ନିର୍ବାହୀ ସଂସ୍ଥା – ପଞ୍ଚାୟତ ସମିତି ଭୁବନ ବୋଲି ଉଲ୍ଲେଖ ରହିଥିବା ବେଳେ ଅଦ୍ୟାବଧି କାର୍ଯ୍ୟ ଶେଷ ତାରିଖ ଲେଖା ହୋଇନାହିଁ । ବାସ୍ତବରେ ଏହି କାର୍ଯ୍ୟ ଗତ ମାର୍ଚ୍ଚ ମାସରେ ଅତ୍ୟନ୍ତ ତରବରିଆ ଭାବେ ପୁରୁଣା ପାଚେରୀ (ମାଙ୍କଡ଼ ପଥର ) ଉପରେ ସିମେଣ୍ଟ ଇଟା ଯୋଡେଇ କରି ରଙ୍ଗମାରି ବିଲ୍ ପାସ୍ କରିଦିଆଯାଇଥିବା ସ୍ପଷ୍ଟ ହୋଇଛି।
ନହେଲେ ସାମାନ୍ୟ ବର୍ଷାରେ ପାଚେରୀ ଭୁଶୁଡ଼ି ପଡ଼ିଲା କେମିତି ? ଭାତ ହାଣ୍ଡିରୁ ଗୋଟିଏ ଭାତ ଚିପିବା ନ୍ୟାୟରେ ଏହି ବ୍ଲକରେ ୨ କୋଟି ୫୮ ଲକ୍ଷ ଟଙ୍କା ବ୍ୟୟରେ ୬୮ ଟି କାମ କେମିତି ହୋଇଛି ତାହା ସହଜରେ ଅନୁମେୟ ବୋଲି ବୁଦ୍ଧିଜୀବୀ ମହଲରେ ଆଲୋଚନା ହେଉଛି। ଡବଲ ଇଞ୍ଜିନ ସରକାରରେ ଡବଲ ପି ସି ଦରକାର ବୋଲି କୁହାଯାଉଛି । “ବିକାଶର ଧାରା , ପଇସା ଲୁଟି ଖାଇବା ସାରା “ବୋଲି ହାଟ ବଜାରରେ ଚର୍ଚ୍ଚା ହେଉଛି । ବିକଶିତ ଗାଁ , ବିକଶିତ ଓଡିଶା ଅଧୀନରେ ସମସ୍ତ ୬୮ ଟି ଯାକ କାର୍ଯ୍ୟର ଭିଜିଲାନ୍ସ ତଦନ୍ତ କରାଯିବାକୁ ଜନ ସାଧାରଣରେ ଦାବି ହେଉଛି। ତେବେ ଏ ସମ୍ପର୍କରେ ବିଡ଼ିଓ ଶ୍ରୀମତୀ ଆୟୁଷି ମହାପାତ୍ର ଙ୍କୁ ଯୋଗାଯୋଗ କରିବାରୁ ଏ ସମ୍ପର୍କରେ କୌଣସି ଅଭିଯୋଗ ମିଳିନି । ଅଭିଯୋଗ ମିଳିଲେ ତଦନ୍ତ ହେବ ବୋଲି ପ୍ରକାଶ କରିଥିଲେ ।
