ବଙ୍ଗୋମୁଣ୍ଡ,୨୩/୦୬/୨୦୨୬ (ଓଡ଼ିଶା ସମାଚାର)- ସାମ୍ବାଦିକ ଅଶୋକ ନାରାୟଣ ଭୋଇଙ୍କର ୪୦ ବର୍ଷ ବୟସରେ ଦେହାନ୍ତ ହୋଇଯାଇଛି । ଅତ୍ୟଧିକ ରକ୍ତଚାପ ଯୋଗୁଁ ଗତ ୨୦ ତାରିଖରେ ସେ ଗୁରୁତର ଅସୁସ୍ଥ ହୋଇପଡ଼ିଥିଲେ । ତାଙ୍କୁ ପ୍ରଥମେ ଖଡ଼ିଆଳ ସରକାରୀ ଉପଖଣ୍ଡ ସ୍ୱାସ୍ଥ୍ୟକେନ୍ଦ୍ର ଓ ପରେ ଖଡ଼ିଆଳ ମିଶନ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଚେତା ନ ଫେରିବାରୁ ତାଙ୍କୁ ୨୧ ତାରିଖରେ ରାୟପୁରର ଏକ ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା । ଚିକିତ୍ସାଧୀନ ଅବସ୍ଥାରେ ଗତ ରବିବାର ରାତିରେ ତାଙ୍କର ପରଲୋକ ହୋଇଯାଇଛି ।
ସୋମବାର ତାଙ୍କର ମୃତଦେହ ପହଞ୍ଚିବା ପରେ ଗାଁ ଶ୍ମଶାନରେ ଶେଷକୃତ୍ୟ ସମ୍ପନ୍ନ ହୋଇଛି । ବାପା ଜଳଧର ଭୋଇ ମୁଖାଗ୍ନି ଦେଇଥିଲେ । ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକର ଉପାନ୍ତ ଗୋଇମୁଣ୍ଡ ଗ୍ରାମର ବାସିନ୍ଦା ଅଶୋକ ୨୦୦୯ରୁ ସାମ୍ବାଦିକତାରେ ସକ୍ରିୟ ଥିଲେ । ୨୦୧୪ ମସିହାରେ ସେ ଓଡ଼ିଶା ସମାଚାର , ସମାଜ ସମେତ ବିଭିନ୍ନ ଖବରକାଗଜ ସଂସ୍ଥାରେ କାମ କରିବା ପରେ ପ୍ରମେୟ-ନ୍ୟୁଜ୍ ୭ର କଣ୍ଟାବାଞ୍ଜି ପ୍ରତିନିଧି ଭାବେ କାର୍ୟ୍ୟ କରୁଥିଲେ । ସେ ବଙ୍ଗୋମୁଣ୍ଡା ସାମ୍ବାଦିକ ସଂଘର କାର୍ୟ୍ୟକାରୀ ସଭାପତି, ବଲାଙ୍ଗିର ଜିଲ୍ଲା ପେସାଦାର ସାମ୍ବାଦିକ ସଂଘର ଉପ ସଭାପତି ଥିଲେ । ସୂଚନାଯୋଗ୍ୟ, ଜଳଧର ଓ ପଦ୍ମାବତୀଙ୍କ ଏକମାତ୍ର ପୁଅ ଥିଲେ ଅଶୋକ । ତାଙ୍କ ପରଲୋକରେ ସ୍ତ୍ରୀ ଦେବକୀ, ଝିଅ ଲିପ୍ସାରାଣୀ(୧୫) ଓ ଲିଲିମା(୧୨) ଦୁଃଖରେ ଭାଙ୍ଗି ପଡ଼ିଛନ୍ତି ।
