ମକର ଅବସରରେ ଆଦିବାସୀ ‘ସାନ୍ତାଳ ’ଙ୍କ ନିଆରା ନୃତ୍ୟ ପ୍ରଦର୍ଶନ

ଘଟଗାଁ, ୧୬/୦୧/୨୦୨୬(ଓଡିଶା ସମାଚାର/ଚନ୍ଦ୍ରଶେଖର ସାହୁ)-ଓଡିଶାରେ ରହିଛି ବହୁ କଳା- ସଂସ୍କୃତି ଆଉ ରହିଛି ଅନେକ ପରମ୍ପରା। ଏଥି ପାଇଁ କୁହାଯାଏ,କଳା-ସଂସ୍କୃତି ସମ୍ପନ୍ନ ରାଜ୍ୟ ଓଡିଶା । କିନ୍ତୁ ସମୟ ସ୍ରୋତରେ ହେଊ କି ସମୟ ଗର୍ଭରେ ହେଊ ଓଡିଶାରୁ ବହୁ କଳା-ସଂସ୍କୃତି ଲୀନ ହୋଇ ଗଲାଣି । ଆହୁରି ଅନେକ ଆଧୁନିକତା ଛାପରେ ହେଉ କି ପାଶ୍ଚାତ୍ୟ ଛାପରେ  ହେଉ ହଜି ଯିବାକୁ ବସିଛି।

ହେଲେ ଘଟଗାଁ ଓଁ ହରିଚନ୍ଦନପୁର  ଜଙ୍ଗଲ ପରିବେଷ୍ଟିତ ଅଞ୍ଚଳ ମାନଙ୍କରେ ପୁରୁଷାନୁକ୍ରମେ ବସବାସ କରି ଜଙ୍ଗଲ ଜୀବନ ବିତାଉଥିବା ଆଦିବାସୀ ‘ସାନ୍ତାଳ’ମାନେ ସହରି ସଭ୍ୟତା ମଧ୍ୟରେ ଥିଲେ ହେଁ ହଜାଇ ଦେଇନାହାନ୍ତି ନିଜ ସଂପ୍ରଦାୟର କଳା-ସଂସ୍କୃତି ଆଉ ପରମ୍ପରାକୁ । ବଜାୟ ରଖିପାରିଛନ୍ତି ଏମାନେ । ମକର ଅବସରରେ ଆଦିବାସୀ ‘ସାନ୍ତାଳ’ଯୁବକ ଯୁବତୀ ମାନଙ୍କର ଦଳଗତ ନୃତ୍ୟ ପ୍ରଦର୍ଶନରୁ ଏହା ସ୍ପଷ୍ଟ ହୁଏ । ପ୍ରତିବର୍ଷ ପରି ଏହି ମକର ସମୟରେ ଆଦିବାସୀ ମାନେ ପାରମ୍ପରିକ ବେଶଭୂଷାରେ ନାନା ବାଦ୍ୟ ଉପକରଣ ଧରି ଏଠାକାର ବଜାର ଅଂଚଳ ମାନଙ୍କରେ ନୃତ୍ୟ ପ୍ରଦର୍ଶନ କରୁଥିବା ଦେଖିବାକୁ ମିଳୁଛି ।

ଏମାନେ ପାରମ୍ପରିକ ନୃତ୍ୟ ଉପକରଣ ମୟୂର ଚନ୍ଦ୍ରିକା ଧରି ବାଦ୍ୟ ଯନ୍ତ୍ର ମାଦଳ, କଂସ, ନାଉତୁମ୍ବାର ତାଳେତାଳେ ଏମାନଙ୍କର ଦଳଗତ ନୃତ୍ୟ ଦେଖଣାହାରୀଙ୍କୁ ବିମୋହିତ କରେ । ଭାଇଚାରାର ବାର୍ତାବହନ କରୁଥିବା ଜଙ୍ଗଲ ଜୀବନର ଏହି ନୃତ୍ୟରେ ଭିନ୍ନତା ଦେଖି ଲୋକେ ଖୁସୀ ବ୍ୟକ୍ତ କରିଥାନ୍ତି । ବାପ ଗୋସବାପ ସମୟରୁ ନୃତ୍ୟ ପ୍ରଦର୍ଶନ ସମୟରେ ଯେ ଯାହା ଦେଲେ ସେମାନେ ଖୁସିରେ ଗ୍ରହଣ କରିଥାନ୍ତି । ପାଉଥିବା ଅର୍ଥରେ ଗ୍ରାମ ଠାକୁରାଣୀଙ୍କ ନିକଟରେ ସମସ୍ତଙ୍କର ଶୁଭ ମନାସୀ ଭୋଗ ଲାଗି କରି ଗ୍ରାମର ସମସ୍ତଙ୍କୁ ବଂଟନ କରିଥାନ୍ତି ।

Leave a Reply

Your email address will not be published. Required fields are marked *