୮ ବିଭାଗର ୧୧ପ୍ରସ୍ତାବକୁ କ୍ୟାବିନେଟ୍ ଅନୁମୋଦନ

୩ ସହରରେ ହେବ ବିଶ୍ୱ ଦକ୍ଷତା କ୍ୟାମ୍ପସ

୫ ସରକାରୀ ଆଇଟିଆଇ’ଉତ୍କର୍ଷ ଆଇଟିଆଇ’ରେ ଉନ୍ନୀତ
ପ୍ରକଳ୍ପ ପାଇଁ ବ୍ୟୟ ଅଟକଳ ୧,୧୪୦ କୋଟି
ଭୁବନେଶ୍ୱର,୦୯/୦୧/୨୦୨୬ (ଓଡ଼ିଶା ସମାଚାର/ଦୀପ୍ତିରଂଜନ କାନୁନଗୋ)-ରାଜ୍ୟ କ୍ୟାବିନେଟର ୩୪ ତମ ବୈଠକ ଶୁକ୍ରବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନସ୍ଥିତ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଛି । ବୈଠକ ପରେ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ କ୍ୟାବିନେଟ ବୈଠକରେ ନିଆଯାଇଥିବା ନିଷ୍ପତି ସମ୍ପର୍କରେ ଗଣମାଧ୍ୟମକୁ ସୂଚନା ଦେଇଥିଲେ ।
କ୍ୟାବିନେଟ ବୈଠକରେ ମୋଟ ୮ ଟି ବିଭାଗର ୧୧ଟି ପ୍ରସ୍ତାବ ଆଗତ କରାଯାଇଥିଲା ଓ ସମସ୍ତ ପ୍ରସ୍ତାବ ଅନୁମୋଦନ ଲାଭ କରିଛି । ତନ୍ମଧ୍ୟରେ ଶିଳ୍ପ ବିଭାଗ, ଗୃହ ( ସ୍ୱରାଷ୍ଟ୍ର)ବିଭାଗ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା, ପର୍ଯ୍ୟଟନ ବିଭାଗ, ପଂଚାୟତିରାଜ ଓ ପାନୀୟ ଜଳ ବିଭାଗ ଏବଂ ରାଜସ୍ୱ ଆଦି ବିଭାଗ ପ୍ରତ୍ୟେକରୁ ଗୋଟିଏ ଲେଖାଏଁ, ଖାଦ୍ୟ ଯୋଗାଣ ଏବଂ ଖାଉଟି କଲ୍ୟାଣ ବିଭାଗର ୩ଟି ଏବଂ ଜଳସମ୍ପଦ ବିଭାଗର ୨ ଟି, ଏହିପରି ମୋଟ ୧୧ ଟି ପ୍ରସ୍ତାବ କ୍ୟାବିନେଟ ବୈଠକରେ ଆଲୋଚନା ପୂର୍ବକ ଅନୁମୋଦିତ ହୋଇଛି ।
ଭବିଷ୍ୟତ ପାଇଁ ପ୍ରସ୍ତୁତ ଏବଂ ବିଶ୍ୱସ୍ତରୀୟ ପ୍ରତିଯୋଗିତାମୂଳକ କର୍ମଶକ୍ତି ଗଠନ ପାଇଁ ଏକ ପ୍ରମୁଖ ପ୍ରୟାସ ସ୍ୱରୂପ, ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଓଡ଼ିଶା କ୍ୟାବିନେଟ ଓଡ଼ିଶା ଦକ୍ଷତା ବିକାଶ ପ୍ରକଳ୍ପ (ଓଏସଡ଼ିପି) ପର୍ଯ୍ୟାୟ ୨ କୁ ଅନୁମୋଦନ କରିଛି, ଯାହା ଏସୀୟ ବିକାଶ ବ୍ୟାଙ୍କର ଆର୍ଥିକ ସହାୟତାରେ ୨୦୨୫-୨୬ ରୁ ୨୦୨୯-୩୦ ପର୍ଯ୍ୟନ୍ତ କାର୍ଯ୍ୟକାରୀ ହେବାକୁ ଥିବା ଏକ ପାଂଚବର୍ଷିଆ ପଦକ୍ଷେପ । ଏହି ପ୍ରକଳ୍ପର ଲକ୍ଷ୍ୟ ହେଉଛି ଓଡ଼ିଶା ଭିଜନ ୨୦୩୬ ଏବଂ ଭିଜନ ୨୦୪୭ ସହିତ ସମନ୍ୱୟ ରଖି ଓଡ଼ିଶାର ଦକ୍ଷତା ବିକାଶ ଇକୋସିଷ୍ଟମକୁ ମଜଭୁତ ଏବଂ ଆଧୁନିକୀକରଣ ପୂର୍ବକ ଶିଳ୍ପ-ସମନ୍ୱିତ ଦକ୍ଷତା ପାଇଁ ଏକ ଅଗ୍ରଣୀ କେନ୍ଦ୍ର ଭାବରେ ସ୍ଥାନିତ କରିବା ।ବିଶ୍ୱ ଦକ୍ଷତା କେନ୍ଦ୍ର ଏବଂ ନୂତନ କ୍ୟାମ୍ପସର ସମ୍ପ୍ରସାରଣ ନିମିତ ତିନୋଟି ନୂତନ ଦକ୍ଷତା କ୍ୟାମ୍ପସ ପ୍ରତିଷ୍ଠିତ ହେବ ।

ଭୁବନେଶ୍ୱର: ସେମିକଣ୍ଡକ୍ଟର, ଆଇଟି/ଟିଇଏସ, ଏବଂ ଏରୋସ୍ପେସ୍ କ୍ଷେତ୍ର,ବ୍ରହ୍ମପୁର: ଆତିଥ୍ୟ ଏବଂ ସାମୁଦ୍ରିକ କ୍ଷେତ୍ର କ୍ୟାମ୍ପସ୍ , ସମ୍ବଲପୁରରେ କୃଷି-ପ୍ରଯୁକ୍ତି, ନବୀକରଣୀୟ ଶକ୍ତି, ଖୁଚୁରା ଏବଂ ଦୃଶ୍ୟ ବାଣିଜ୍ୟ କ୍ଷେତ୍ରର କ୍ୟାମ୍ପସ ହେବ ।ଏହି ପ୍ରକଳ୍ପରେ ପାଂଚଟି ସରକାରୀ ଆଇଟିଆଇକୁ ‘ଉତ୍କର୍ଷ ଆଇଟିଆଇ’ରେ ଉନ୍ନୀତ କରିବା ମଧ୍ୟ ଅନ୍ତର୍ଭୁକ୍ତ, ଯେଉଁଥିରେ ବର୍ଦ୍ଧିତ ଗ୍ରହଣ କ୍ଷମତା, ନୂତନ ଯୁଗର ବାଣିଜ୍ୟ ପ୍ରଚଳନ ଏବଂ ଦୃଢ଼ ଶିଳ୍ପ ସହଭାଗିତା ଅନ୍ତର୍ଭୁକ୍ତ । ଶିଳ୍ପ ସହଭାଗିତା ଏବଂ ଶିଳ୍ପ-ସ୍ୱୀକୃତିପ୍ରାପ୍ତ ପ୍ରମାଣପତ୍ର, ନିଯୁକ୍ତି କ୍ଷମତା ବୃଦ୍ଧି, କ୍ୟାରିୟର ପ୍ରଗତି ଏବଂ ପ୍ରଶିକ୍ଷିତ ଯୁବପିଢ଼ିଙ୍କ ପାଇଁ ବିଶ୍ୱସ୍ତରୀୟ ଗତିଶୀଳତା ଉପରେ ଦୃଢ଼ ଗୁରୁତ୍ୱ ଦିଆଯିବ । ଅନ୍ତର୍ଭୁକ୍ତ ଦକ୍ଷତା ଏବଂ ପାଣ୍ଠି ଗଠନ ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ ହେବା ପରେ, ଓଏସଡିପି ପର୍ଯ୍ୟାୟ ଦ୍ୱିତୀୟ ବାର୍ଷିକ ୬୦,୦୦୦ ରୁ ଅଧିକ ଯୁବକଙ୍କୁ ଉପକୃତ କରିବ ବୋଲି ଆଶା କରାଯାଉଛି । ପ୍ରକଳ୍ପ ପାଇଁ ମୋଟ ଅନୁମୋଦିତ ବ୍ୟୟ ଅଟକଳ ୧,୧୪୦ କୋଟି । ୫୦:୫୦ ପାଣ୍ଠି ବ୍ୟବସ୍ଥା ମାଧ୍ୟମରେ ପାଂଚ ବର୍ଷ ମଧ୍ୟରେ କାର୍ଯ୍ୟକାରୀ କରାଯିବ, ଯେଉଁଥିରେ ୫୭୦ କୋଟି ଏଡିବି ଋଣ ସହାୟତା ଏବଂ ୫୭୦ କୋଟି ରାଜ୍ୟ ବଜେଟରୁ ଅନ୍ତର୍ଭୁକ୍ତ ।

Leave a Reply

Your email address will not be published. Required fields are marked *