ଭୁବନେଶ୍ୱର,୨୩/୦୬/୨୦୨୬ (ଓଡ଼ିଶା ସମାଚାର)- ତାମିଲନାଡୁର ତିରୁଭଲ୍ଲୁରଠାରେ ଏକ ସାମୁଦ୍ରିକ ଖାଦ୍ୟ ରପ୍ତାନି (ସି-ଫୁଡ୍) କାରଖାନାରେ ଆମୋନିଆ ଗ୍ୟାସ୍ ଲିକ୍ ଦୁର୍ଘଟଣାରେ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ ସଂଖ୍ୟା ୭କୁ ବୃଦ୍ଧି ପାଇଛି। ଚିକିତ୍ସାଧୀନ ଅବସ୍ଥାରେ ଆଉ ୨ଜଣଙ୍କ ମୃତ୍ୟୁ ଘଟିଛି। ଆଜି ସକାଳୁ ଜାମୁନି ଜୁଆଙ୍ଗଙ୍କର ମୃତ୍ୟୁ ହୋଇଥିଲା । ଆଜି ପୁଣି ସଜନୀ ଜୁଆଙ୍ଗଙ୍କର ମୃତ୍ୟୁ ହୋଇଛି।ଗତକାଲି ୫ ଜଣଙ୍କର ଜୀବନ ଯାଇଥିଲା।
ଏଥିସହ ଗ୍ୟାସ୍ ଟ୍ରାଜେଡି ଘଟଣାରେ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ ସଂଖ୍ୟା ୭ରେ ପହଞ୍ଚିଛି। ମୃତଦେହକୁ ଓଡ଼ିଶା ପାଇଁ ଆଉ ଜଣେ ଅଧିକାରୀ ତାମିଲନାଡ଼ୁ ଯାଇଛନ୍ତି। ଆଜି ସନ୍ଧ୍ୟାରେ ମୃତଦେହ ଭୁବନେଶ୍ଵରରେ ପହଞ୍ଚିବ। ଏନେଇ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ସୂଚନା ଦେଇଛନ୍ତି। ଏହି ଗ୍ୟାସ୍ ଟ୍ରାଜେଡି ଘଟଣାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଭୀର ଦୁଃଖ ପ୍ରକାଶ କରିବା ସହିତ ସେମାନଙ୍କ ପରିବାର ବର୍ଗଙ୍କ ପ୍ରତି ସମବେଦନା ପ୍ରକାଶ କରିଛନ୍ତି। ଏହା ସହିତ ପ୍ରତ୍ୟେକ ମୃତ ଶ୍ରମିକଙ୍କ ପରିବାରର ନିକଟତମ ଆତ୍ମୀୟଙ୍କ ପାଇଁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କା ଲେଖାଏଁ ସହାୟତା ଘୋଷଣା କରିଥିଲେ। ଆଜି ମୁଖ୍ୟମନ୍ତ୍ରୀ ଏହି ସହାୟତା ରାଶିର ପରିମାଣକୁ ୧୦ ଲକ୍ଷ ଟଙ୍କାକୁ ବୃଦ୍ଧି କରିଛନ୍ତି।
ସୂଚନାଯୋଗ୍ୟ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନିର୍ଦ୍ଦେଶକ୍ରମେ ଶ୍ରମ ବିଭାଗ ଓ ତାମିଲନାଡୁ ପ୍ରଶାସନ ସହ ନିରନ୍ତର ସମନ୍ୱୟ ରଖାଯାଉଛି ।ମୃତ ଶ୍ରମିକମାନଙ୍କ ପରିଚୟ ସୁନିଶ୍ଚିତ କରାଯାଇଛି ଏବଂ ମୃତଦେହଗୁଡ଼ିକର ବ୍ୟବଚ୍ଛେଦ ପ୍ରକ୍ରିୟା ଶେଷ ହେବା ପରେ ସମ୍ମାନର ସହିତ ସେମାନଙ୍କ ଗାଁକୁ ପଠାଇବା ପାଇଁ ବ୍ୟବସ୍ଥା କରାଯାଉଛି । ଆହତ ଶ୍ରମିକମାନଙ୍କ ଚିକିତ୍ସା ଉପରେ ସରକାର ନଜର ରଖିଛନ୍ତି ଏବଂ ଆବଶ୍ୟକ ସମସ୍ତ ସହାୟତା ଯୋଗାଇ ଦିଆଯାଉଛି । ପୀଡ଼ିତ ପରିବାରମାନଙ୍କୁ ସରକାରୀ ସହାୟତା ଏବଂ ନିୟମାନୁସାରେ କ୍ଷତିପୂରଣ ପ୍ରଦାନ ପାଇଁ ପଦକ୍ଷେପ ନିଆଯାଇଛି ।
