ଜିଲ୍ଲାସ୍ତରୀୟ “ବିକାଶର ଧାରା, ଓଡ଼ିଶା ସାରା” ସମ୍ମିଳନୀ ଅନୁଷ୍ଠିତ

— ଯାଜପୁର-ଧାମରା ରେଳ ଲାଇନ୍ ଏବଂ ଜାତୀୟ ଜଳପଥ-୫ ଯାଜପୁର ଜିଲ୍ଲା ପାଇଁ ଦୁଇଟି ଐତିହାସିକ ପ୍ରକଳ୍ପ: ସାଂସଦ ଡ. ରବୀନ୍ଦ୍ର ନାରାୟଣ ବେହେରା

— ପୁଷ୍ପଗିରି ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା କରିବା ଦିଗରେ ସରକାର ପ୍ରତିଶ୍ରୁତିବଦ୍ଧ: ସାଂସଦ

— ଦୁଇ ବର୍ଷରେ ଜିଲ୍ଲାରେ ସରକାରୀ ଯୋଜନାର ସଫଳତା ଏବଂ ବିକାଶମୂଳକ କାର୍ଯ୍ୟର ତଥ୍ୟ ଉପସ୍ଥାପନ କଲେ ଜିଲ୍ଲାପାଳ

ଯାଜପୁର,୨୧/୦୬/୨୦୨୬ (ଓଡ଼ିଶା ସମାଚାର)- ଦୀର୍ଘ ବର୍ଷ ଧରି ଯାଜପୁରକୁ ରେଳ ସଂଯୋଗ ହୋଇପାରିନଥିଲା। କିନ୍ତୁ ଗତ ଦୁଇ ବର୍ଷ ମଧ୍ୟରେ ରାଜ୍ୟ ସରକାର ଓ ପ୍ରଶାସନ ପକ୍ଷରୁ ବିଭିନ୍ନ ସ୍ତରରେ ପ୍ରଚେଷ୍ଟା ପରେ ଯାଜପୁର-ଧାମରା ରେଳ ଲାଇନ୍ ପ୍ରକଳ୍ପକୁ ମଞ୍ଜୁରୀ ମିଳିବା ସହ କାର୍ଯ୍ୟ ଆରମ୍ଭ ହେବ। ତାଳଚେରଠାରୁ ଧାମରା ପର୍ଯ୍ୟନ୍ତ ବ୍ରାହ୍ମଣୀ ନଦୀରେ ଜାତୀୟ ଜଳପଥ-୫ ପ୍ରକଳ୍ପ ପାଇଁ ପ୍ରୟାସ ଚାଲିଛି। ଏହା ଆମର ନୌବାଣିଜ୍ୟ ପରମ୍ପରାର ପୁନରୁଦ୍ଧାର କରିବ, ଯାହା ଦ୍ୱାରା ଯାଜପୁର ଜିଲ୍ଲାର ଅର୍ଥନୈତିକ ଅଭିବୃଦ୍ଧି ହେବ ବୋଲି ଜିଲ୍ଲାସ୍ତରୀୟ “ବିକାଶର ଧାରା, ଓଡ଼ିଶା ସାରା” ସମ୍ମିଳନୀରେ ଯୋଗ ଦେଇ ସାଂସଦ ଡ. ରବୀନ୍ଦ୍ର ନାରାୟଣ ବେହେରା କହିଛନ୍ତି।

ରାଜ୍ୟ ସରକାରଙ୍କ ଦୁଇ ବର୍ଷ ପୂର୍ତ୍ତି ଅବସରରେ ସ୍ଥାନୀୟ ଗୌତମ ବୁଦ୍ଧ ସଂସ୍କୃତି ଭବନରେ ଆୟୋଜିତ ଜିଲ୍ଲାସ୍ତରୀୟ ସମ୍ମିଳନୀରେ ମୁଖ୍ୟ ଅତିଥି ଭାବେ ଲୋକସଭା ସାଂସଦ ଡ. ରବୀନ୍ଦ୍ର ନାରାୟଣ ବେହେରାଙ୍କ ସମେତ ଜିଲ୍ଲାପାଳ ଅମ୍ବର କୁମାର କର, ମୁଖ୍ୟ ଉନ୍ନୟନ ଅଧିକାରୀ ଦେବୀପ୍ରସାଦ ମହାନ୍ତି, ଅତିରିକ୍ତ ଉନ୍ନୟନ ଅଧିକାରୀ ଲମ୍ବୋଦର ଖୁଣ୍ଟିଆ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ କାମିନୀ ରଞ୍ଜନ ପଟ୍ଟନାୟକ ଯୋଗ ଦେଇଥିଲେ। ଏହି ସମ୍ମିଳନୀ ୨୧ ଜୁନ ରୁ ୨୩ ଜୁନ୍ ଯାଏଁ ପ୍ରତ୍ୟହ ସନ୍ଧ୍ୟାରେ ଅନୁଷ୍ଠିତ ହେବ।

ମୁଖ୍ୟ ଉନ୍ନୟନ ଅଧିକାରୀ ଦେବୀପ୍ରସାଦ ମହାନ୍ତି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ସହ ସ୍ଵାଗତ ଅଭିଭାଷଣ ପ୍ରଦାନ କରିଥିଲେ। ସାଂସଦ ଡ. ବେହେରା କହିଛନ୍ତି ଯେ ଯାଜପୁର ଜିଲ୍ଲାର ଜଣେ ଛାତ୍ର କୃତ୍ରିମ ବୁଦ୍ଧିମତା କ୍ଷେତ୍ରରେ ଜାତୀୟ ସ୍ତରରେ ଟପର୍ ହୋଇଛନ୍ତି। ଏହା ପ୍ରଯୁକ୍ତିବିଦ୍ୟାର ଅଭିବୃଦ୍ଧି ପାଇଁ ସରକାରଙ୍କ ମାର୍ଗଦର୍ଶନ ଏବଂ ପ୍ରୋତ୍ସାହନ ଦିଗରେ ଏକ ଉଦାହରଣ। ଯାଜପୁରର ବୌଦ୍ଧ ପର୍ଯ୍ୟଟନକୁ ପ୍ରଚାର ପ୍ରସାର କରିବା ସହ ପୁଷ୍ପଗିରି ବିଶ୍ୱବିଦ୍ୟାଳୟ ଏବଂ ଗୋପାଳପୁରରେ ହସ୍ତତନ୍ତ ପାର୍କ ପ୍ରତିଷ୍ଠା କରିବା ଦିଗରେ ସରକାର ପ୍ରତିଶ୍ରୁତିବଦ୍ଧ ଅଛନ୍ତି। ଏହାସହ କଳିଙ୍ଗନଗରରେ ଏକ ଏୟାରପୋର୍ଟ କରିବା ପାଇଁ ଦାବି ରଖାଯାଇଛି ଏବଂ ବିକଶିତ ଯାଜପୁର ଗଢ଼ିବା ଆମ ସ୍ୱପ୍ନ ବୋଲି ସାଂସଦ କହିଥିଲେ। ଜିଲ୍ଲାପାଳ ଅମ୍ବର କୁମାର କର ନିଜ ବକ୍ତବ୍ୟରେ ଗତ ଦୁଇ ବର୍ଷରେ ଯାଜପୁର ଜିଲ୍ଲାରେ କାର୍ଯ୍ୟକାରୀ ହୋଇଥିବା ସରକାରୀ ଯୋଜନାର ସଫଳତା ଏବଂ ପ୍ରଶାସନର ବିକାଶମୂଳକ କାର୍ଯ୍ୟ ସମ୍ପର୍କରେ ତଥ୍ୟ ଉପସ୍ଥାପନ କରିଥିଲେ।

ବିକାଶର ଏକ ନୂତନ ପର୍ଦ୍ଦ ଭାବେ ଆଉ କିଛି ମାସ ମଧ୍ୟରେ ଜିଲ୍ଲାର କିଡନୀ ରୋଗୀ ଦାନଗଦୀରେ ହେଉଥିବା ଡ଼ାଇଲିସିସ କେନ୍ଦ୍ରରେ ଚିକିତ୍ସିତ ହୋଇପାରିବେ ବୋଲି ଜିଲ୍ଲାପାଳ ଶ୍ରୀ କର କହିଥିଲେ। ଅତିରିକ୍ତ ଉନ୍ନୟନ ଅଧିକାରୀ ଲମ୍ବୋଦର ଖୁଣ୍ଟିଆ ଧନ୍ୟବାଦ ଅର୍ପଣ କରିଥିଲେ।

ସଭା ପରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ମଞ୍ଚରେ ଜିଲ୍ଲାର ବିଭିନ୍ନ ନାଟକ ଅନୁଷ୍ଠାନ ଏବଂ ପ୍ରତିଭାବାନ କଳାକାରମାନେ ନୃତ୍ୟ, ସଙ୍ଗୀତ ପରିବେଷଣ କରିଥିଲେ। ଏହି ଅବସରରେ ଅନ୍ୱେଷଣ ଥିଏଟର ଗ୍ରୁପ ଦ୍ୱାରା ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା ସମ୍ପର୍କିତ ଏକ ସୁନ୍ଦର ନାଟକ ପ୍ରଦର୍ଶିତ ହୋଇଥିଲା। ଏହାସହ ଜିଲ୍ଲାସ୍ତରୀୟ ସମ୍ମିଳନୀ ଉପଲକ୍ଷେ ସଂସ୍କୃତି ଭବନ ପରିସରରେ ଦକ୍ଷତା ବିକାଶ, ମହିଳା ଓ ଶିଶୁ ବିକାଶ, କୃଷି, ଉଦ୍ୟାନ କୃଷି, ସୁଭଦ୍ରା ଶକ୍ତି ବିଭାଗ ପକ୍ଷରୁ ଜନସାଧାରଣଙ୍କ ଅବଗତି ନିମନ୍ତେ ବିକାଶମୂଳକ ଯୋଜନା ଭିତ୍ତିକ ଷ୍ଟଲ ଖୋଲାଯାଇଛି। ଏହି କାର୍ଯ୍ୟକ୍ରମରେ ଜିଲ୍ଲା ପ୍ରଶାସନର ବିଭାଗୀୟ ଅଧିକାରୀଗଣ, ବୁଦ୍ଧିଜୀବୀ, ସମାଜସେବୀ ଗୌତମ ରାୟ, ଗଣମାଧ୍ୟମ ପ୍ରତିନିଧି ଏବଂ ଜନସାଧାରଣ ଉପସ୍ଥିତ ଥିଲେ।

-0-

ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀଙ୍କ ସୌଜନ୍ୟ ରୁ

Leave a Reply

Your email address will not be published. Required fields are marked *