ଦୁଇ ବିଧାୟକ ଙ୍କ ସଭ୍ୟପଦ ରଦ୍ଦ

ଭୁବନେଶ୍ୱର,୧୧/୦୪/୨୦୨୪(ଓଡ଼ିଶା ସମାଚାର)- ଜୟଦେବ ବିଧାୟକ ଅରବିନ୍ଦ ଢାଲି ଓ ତେଲକୋଇ ପ୍ରେମାନନ୍ଦ ନାୟକଙ୍କ ସଭ୍ୟପଦ ରଦ୍ଦ ହୋଇଛି। ଏନେଇ ଆଜି ବିଧାନସଭା ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଉଭୟ ବିଧାୟକ ବିଜେଡି ଛାଡ଼ି ବିଜେପିରେ ଯୋଗ ଦେବା ପରେ ଏନେଇ ସରକାରୀ ଦଳର ମୁଖ୍ୟ ମୁଖ୍ୟ ସଚେତକ ପ୍ରଶାନ୍ତ ମୁଦୁଲି ବାଚସ୍ପତି ପ୍ରମିଳା ମଲ୍ଲିକଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ସରକାରୀ ଦଳ ମୁଖ୍ୟ ସଚେତକ ପ୍ରଶାନ୍ତ ମୁଦୁଲିଙ୍କ ଆବେଦନକୁ ଆଧାର କରି ବାଚସ୍ପତି ଅରବିନ୍ଦ ଢାଲି ଓ ପ୍ରେମାନନ୍ଦ ନାୟକଙ୍କ ବିଧାୟକ ପଦକୁ ରଦ୍ଦ କରିଛନ୍ତି। ଏନେଇ ବିଧାନସଭା ସଚିବାଳୟ ପକ୍ଷରୁ ନିର୍ଦେଶାବଳୀ ପ୍ରକାଶ ପାଇଛି।

ପ୍ରେମାନନ୍ଦ ନାୟକ
ଅରବିନ୍ଦ ଢାଲି

 ଅରବିନ୍ଦ ଢାଲି ଓ  ପ୍ରେମାନନ୍ଦ ନାୟକ ବିଜେଡି ଟିକେଟରୁ ୨୦୧୯ରେ ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ଗତ କିଛି ଦିନ ତଳେ ଦୁଇ ଜଣ ବିଜେଡି ଛାଡି ଅନ୍ୟଦଳରେ ଯୋଗଦେଇଥିଲେ। ନିଜ ଆଡୁ ବିଜେଡି ଛାଡିବାରୁ ସେମାନଙ୍କ ସଭ୍ୟପଦ ରଦ୍ଦ ପାଇଁ ସରକାରୀ ଦଳ ମୁଖ୍ୟ ସଚେତକ ପିଟିସନ ଦାଖଲ କରିଥିଲେ । ଦୁଇ ବିଧାୟକଙ୍କ ବିରୁଧରେ ମାର୍ଚ୍ଚ ୧୮ରେ ବାଚସ୍ପତିଙ୍କ ନିକଟରେ ପିଟିସନ ଦାଖଲ କରିଥିଲେ ସରକାରୀ ଦଳ ମୁଖ୍ୟ ସଚେତକ ପ୍ରଶାନ୍ତ ମୁଦୁଲି । ପିଟିସନ ଆଧାରରେ ମାର୍ଚ୍ଚ ୧୯ରେ ଦୁଇ ବିଧାୟକଙ୍କ ନିକଟରୁ ସ୍ପଷ୍ଟୀକରଣ ମଗାଯାଇଥିଲା। କିନ୍ତୁ ଅରବିନ୍ଦ ଢାଲି ଓ  ପ୍ରେମାନନ୍ଦ ନାୟକ ପିଟିସନର ଉତ୍ତର ଦେଇନଥିଲେ । ଯାହା ଫଳରେ ଦୁଇ ବିଧାୟକଙ୍କୁ ଅପ୍ରେଲ ୧୦ ରେ ବ୍ୟକ୍ତିଗତ ଭାବେ ହାଜର ହେବାକୁ ଅପ୍ରେଲ ୨ ତାରିଖରେ ବାଚସ୍ପତି ଚିଠି କରିଥିଲେ। ଦୁଇ ବିଧାୟକ ବ୍ୟକ୍ତିଗତ ଭାବେ ହାଜର ହୋଇ ନିଜ ପକ୍ଷ ରଖିଲେନି । ଯେଉଁଥି ପାଇଁ ବାଚସ୍ପତି ଦୁଇ ବିଧାୟକଙ୍କ ସଭ୍ୟ ପଦ ରଦ୍ଦ କରିଛନ୍ତି । ସମ୍ବିଧାନର ଦଶମ ପରିଚ୍ଛେଦ ଓ ଓଡିଶା ବିଧାନସଭାର ଦଳବଦଳ ଆଇନ ଆଧାରରେ ଦୁଇ ବିଧାୟକଙ୍କ ସଭ୍ୟପଦ ରଦ୍ଦ ହୋଇଛି ।

Leave a Reply

Your email address will not be published. Required fields are marked *