ବେଙ୍ଗାପସାଗରରେ ଆସୁଛି ଲଘୁଚାପ

ସକ୍ରିୟ ହେବ ମୌସୁମୀ, ତୁହାକୁ ତୁହା ବର୍ଷିବ
ଭୁବନେଶ୍ୱର,୧୮/୦୬/୨୦୨୬(ଓଡ଼ିଶା ସମାଚାର/ଦୀପ୍ତିରଂଜନ କାନୁନଗୋ)- ମୌସୁମୀ ଋତୁର ପ୍ରଥମ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାକୁ ଯାଉଛି । ଜୁନ୍ ୨୪-୨୫ ଆଡ଼କୁ ଉତର ବେଙ୍ଗାପସାଗର ଏବଂ ସଂଲଗ୍ନ ଓଡ଼ିଶା ଉପକୂଳରେ ସୃଷ୍ଟି ହେବାର ସମ୍ଭାବନା ରହିଛି । ଯାହା ପ୍ରଭାବରେ ରାଜ୍ୟରେ ବର୍ଷାର ପରିମାଣ ଏବଂ ବିସ୍ତୃତି ବୃଦ୍ଧି ପାଇବାର ସମ୍ଭାବନା ରହିଛି । ଲଘୁଚାପ ଯୋଗୁଁ ମୌସୁମୀ ସକ୍ରିୟ ହେବ । ଏନେଇ ପାଣିପାଗ ବିଜ୍ଞାନୀ ଆକଳନ କରିଛନ୍ତି । ଜୁନ୍ ୨୨-୨୩ ପରେ ନିମ୍ନ-ସ୍ତରୀୟ ଜେଟ୍ କ୍ରମଶଃ ଶକ୍ତିଶାଳୀ ହେବାର ସମ୍ଭାବନା ରହିଛି । ଭାରତୀୟ ଅଂଚଳକୁ ଆର୍ଦ୍ରତା ପ୍ରବାହକୁ ବଢ଼ାଇବ ।

ପାଣିପାଗ ମଡେଲ୍ ଅନୁଯାୟୀ, ଜୁନ୍ ୨୪-୨୫ ବେଳକୁ ଉତର-ପଶ୍ଚିମ ବେଙ୍ଗାପସାଗରରେ, ଓଡ଼ିଶା ଉପକୂଳ ନିକଟରେ ଏକ ଘୂର୍ଣ୍ଣିବଳୟ କିମ୍ବା ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି । ଏହା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁକୁ ଅଧିକ ଶକ୍ତିଶାଳୀ କରିବା ସହ ଦ୍ୱୀପାଂଚଳ ଓ ମଧ୍ୟ ଭାରତରେ ବର୍ଷାର ପରିମାଣ ବଢ଼ାଇବ ଏବଂ ମୌସୁମୀର ଆଗକୁ ଅଗ୍ରସର ହେବାରେ ସହାୟକ ହେବ ବୋଲି ପାଣିପାଗ ବିଜ୍ଞାନୀ କହିଛନ୍ତି । ରାଜ୍ୟରେ ମୌସୁମୀ ପ୍ରବେଶ ସତ୍ୱେ ଗରମ ପ୍ରକୋପ ଜାରି ରହିଛି । ପୂର୍ବାନୁମାନ ଯାହା, ଏବେ ରାଜ୍ୟରେ ବଡ଼ ଧରଣର ବର୍ଷା ସମ୍ଭାବନା ନାହିଁ ।

ଆସନ୍ତା ୨୧ ତାରିଖ ପର୍ଯ୍ୟନ୍ତ ଏଭଳି ଅସହ୍ୟ ଗରମ, ଗୁଳୁଗୁଳିରୁ ନିସ୍ତାର ସମ୍ଭାବନା କମ୍ । ମୌସୁମୀ ବାୟୁ ଅନୁକୂଳ ହେବା ଫଳରେ ପଶ୍ଚିମ ଓଡ଼ିଶାର ତାପମାତ୍ରା କ୍ରମଶଃ କମିବ । ଶକ୍ତିଶାଳୀ ହେଉଥିବା ମୌସୁମୀ ବାୟୁ ପ୍ରବାହ ଏହି ସମୟରେ ଓଡ଼ିଶାର ପଡ଼ୋଶୀ ଅଂଚଳ ଗାେଙ୍ଗୟ ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ ଏବଂ ଛତିଶଗଡ଼କୁ ମଧ୍ୟ ପ୍ରଭାବିତ କରିବା ଆରମ୍ଭ କରିବ । କୃଷି ପାଣିପାଗ ବିଶାରଦ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକଙ୍କ କହିବାନୁସାରେ ଆସନ୍ତା ୨୧ ପର୍ଯ୍ୟନ୍ତ ଉପକୂଳ ଓଡ଼ିଶାରେ ଗୁଳୁଗୁଳି ସହ ଅସହ୍ୟ ଗରମ ହେବ । ରାତିରେ ମଧ୍ୟ ଗରମରୁ ନିସ୍ତାର ମିଳିନପାରେ । ପଶ୍ଚିମ ଓ ଆଭ୍ୟନ୍ତରୀଣ ଓଡ଼ିଶାର ଜିଲାଗୁଡ଼ିକରେ ଭୀଷଣ ଗରମ ଜାରି ରହିବ । ଏହି ସମୟରେ ସାରା ରାଜ୍ୟରେ ବ୍ୟାପକ ବର୍ଷା ହେବ । କେତେକ ଜାଗାରେ ବିଜୁଳି ଘଡ଼ଘଡ଼ି ସହ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହୋଇପାରେ ।

Leave a Reply

Your email address will not be published. Required fields are marked *