ଯାଜପୁର, ୨୭/୫/୨୦୨୪ (ଓଡ଼ିଶା ସମାଚାର)- ଆସନ୍ତା ଜୁନ୍ ୧ ତାରିଖରେ ଯାଜପୁର ଜିଲାରେ ଏକକାଳୀନ ୦୮-ଯାଜପୁର (ସଂରକ୍ଷିତ) ଲୋକସଭା ଆସନ, ୪୮-ବିଂଝାରପୁର (ସଂରକ୍ଷିତ) ବିଧାନସଭା ଆସନ ୪୯-ବରୀ, ୫୦-ବଡଚଣା ୫୧-ଧର୍ମଶାଳା, ୫୨-ଯାଜପୁର, ୫୩-କୋରେଇ ଏବଂ ୫୪-ସୁକିନ୍ଦା ବିଧାନସଭା ଆସନ ନିମନ୍ତେ ମତଦାନ ଅନୁଷ୍ଠିତ ହେବ । ଆଜି ସକାଳ ୭ ଘଟିକା ଠାରୁ ଅପରାହ୍ନ ୩ ଘଟିକା ପର୍ଯ୍ୟନ୍ତ ଏନ୍.ସି. କଲେଜ ଠାରେ ଚତୁର୍ଥ ତଥା ଅନ୍ତିମ ଦିବସରେ ୫୪-ସୁକିନ୍ଦା ବିଧାନସଭା ଆସନ ନିମନ୍ତେ ୨୫୦ ପୋଲିଂ ପାର୍ଟି ଅନ୍ତର୍ଭୁକ୍ତ ୧୬୯୦ ପୋଲିଂ କର୍ମଚାରୀ ଚୁଡାନ୍ତ ପ୍ରଶିକ୍ଷଣ ନେଇଛନ୍ତି । ନିର୍ବାଚନ କାର୍ଯ୍ୟରେ (ପୋଲିଂ ପାର୍ଟି) ଜିଲାର କର୍ମଚାରୀ ମାନଙ୍କ ନିମନ୍ତେ ପୋଷ୍ଟାଲ ବାଲାଟରେ ମତଦାନ ସାବ୍ୟସ୍ତ କରିବା ପାଇଁ ୭ ଗୋଟି ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ୭ ଗୋଟି ମତଦାନ କକ୍ଷ କରାଯାଇ ଲୋକସଭା ଏବଂ ବିଧାନସଭାରେ ପ୍ରତିଦ୍ୱନ୍ଦିତା କରୁଥିବା ପ୍ରାର୍ଥୀ ମାନଙ୍କ ନିମନ୍ତେ ଭୋଟ ଗ୍ରହଣ ନିଆଯାଇଥିଲା । ପୋଷ୍ଟାଲ ବାଲାଟ ଭୋଟରମାନେ ଭୋଟ ଦେଇ ବନ୍ଦ ଲଫାପାକୁ ଲୋକସଭା ଓ ବିଧାନସଭା ପାଇଁ ପୃଥକ ବାକ୍ସରେ ପକାଇଥିଲେ । ଏହି ଭୋଟଦାନ ପ୍ରକ୍ରିୟାକୁ ସୁଚାରୁ ରୂପେ ସଂପାଦନ ନିମନ୍ତେ ଜିଲାପାଳ ଏବଂ ଜିଲା ମାଜିଷ୍ଟ୍ରେଟ ତଥା ଜିଲା ନିର୍ବାଚନ ଅଧିକାରୀ ଶ୍ରୀ ନିଖିଲ ପବନ କଲ୍ୟାଣଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଭୋଟଦାନ କକ୍ଷରେ ନିଯୁକ୍ତ ସହକାରୀ ରିଟର୍ଣ୍ଣି ଅପିଂସର, ଆଟେଷ୍ଟିଂ ଅଫିସର, ପୋଲିଂ ଅଫିସର ଏବଂ ପ୍ରତିଦ୍ୱନ୍ଦିତା କରୁଥିବା ପ୍ରାର୍ଥୀ ମାନଙ୍କ ଏଜେଣ୍ଟ ମାନଙ୍କ ଉପସ୍ଥିତିରେ ପୋଷ୍ଟାଲ ବାଲାଟ ଭୋଟିଂ ସଂପାଦିତ ହୋଇଥିଲା । ଆଜି ୧୦୮୦ ଭୋଟର ଲୋକସଭା ଓ ବିଧାନସଭା ନିମନ୍ତେ ପୋଷ୍ଟାଲ ବାଲାଟରେ ନିଜର ମତଦାନ ସାବ୍ୟସ୍ତ କରିଛନ୍ତି ।
ଜିଲାପାଳ ଶ୍ରୀ ନିଖିଲ ପବନ କଲ୍ୟାଣଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ପ୍ରଶିକ୍ଷଣ ନେଇଥିବା ସମସ୍ତ ପୋଲିଂ କର୍ମଚାରୀ ବୁଥ୍ ମାନଙ୍କରେ ନିର୍ବାଚନ କମିଶନଙ୍କ ନିର୍ଦ୍ଧେଶମତେ ମତଦାନ କାର୍ଯ୍ୟ ସଫଳ ଭାବେ ସଂପାଦିତ କରି ଯାଜପୁର ଜିଲାକୁ ଓଡିଶାରେ ଦୃଷ୍ଟାନ୍ତ ସୃଷ୍ଟି କରିବାକୁ ଆହ୍ୱାନ ଦେଇଛନ୍ତି ।
ଏହି ପ୍ରଶିକ୍ଷଣ କାର୍ଯ୍ୟରେ ଅତିରିକ୍ତ ଜିଲାପାଳ, ପ୍ରଶାସନ ଶ୍ରୀ ନବକ୍ରିଷ୍ଣ ଜେନା, ଅତିରିକ୍ତ ଜିଲାପାଳ, କଳିଙ୍ଗନଗର ଶ୍ରୀ ଲେଙ୍କଶ୍ୱର ଅମାତ, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ, ଜିଲା ପରିଷଦ, ଯାଜପୁର ଶ୍ରୀ ଅଶୋକ କୁମାର ବେହୁରିଆ, ଉପ-ଜିଲାପାଳ ଓ ଊପଖଣ୍ଡ ମାଜିଷ୍ଟ୍ରେଟ୍ ଶ୍ରୀ ଅଂଶୁମାନ ଶତପଥୀ, ପୋଷ୍ଟାଲ ବାଲାଟ ଭୋଟିଂ ନୋଡାଲ ଅଧିକାରୀ ଅତିରିକ୍ତ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ, ଜିଲା ପରିଷଦ, ଯାଜପୁର ଶ୍ରୀମତୀ ରଶ୍ମିରେଖା ପ୍ରଧାନ, ଡେପୁଟି କଲେକ୍ଟର, ବି.ଡି.ଓ., ତହସିଲଦାର, ବିଭିନ୍ନ ବିଭାଗୀୟ ଏବଂ ଜିଲା ସ୍ତରୀୟ ଅଧିକାରୀଙ୍କ ସମେତ ଜିଲାପାଳଙ୍କ କାର୍ଯ୍ୟାଳୟ ଓ ବିଭିନ୍ନ କାର୍ଯ୍ୟାଳୟର କର୍ମଚାରୀ ବୃନ୍ଦ କାର୍ଯ୍ୟକ୍ରମ ସଂଚାଳନରେ ସହଯୋଗ ପ୍ରଦାନ କରିଥିଲେ ।