ଭୁବନେଶ୍ୱର,୧୮/୦୬/୨୦୨୬(ଓଡ଼ିଶା ସମାଚାର)-ବହୁ ଚର୍ଚ୍ଚିତ ଭୁବନେଶ୍ୱର ଉପକଣ୍ଠ ବାଲିଅନ୍ତାର ସୌମ୍ୟରଞ୍ଜନ ସ୍ୱାଇଁ ମୃତ୍ୟୁ ମାମଲାରେ ଛନ୍ଦି ହୋଇଥିବା ବରିଷ୍ଠ ଆଇପିଏସ୍ ଅଧିକାରୀ ଦୟାଲ ଗଙ୍ଗୱାରଙ୍କୁ ରାଜ୍ୟ ସରକାର ନିଲମ୍ବନ କରିଛନ୍ତି । ଶ୍ରୀ ଗଙ୍ଗୱାରଙ୍କ ନିଲମ୍ବନ ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିର୍ଦେଶ ଦେଇଛନ୍ତି । ସୂଚନାଯୋଗ୍ୟ, ଗତମାସ ୭ ତାରିଖରେ ସୌମ୍ୟରଞ୍ଜନ ସ୍ୱାଇଁଙ୍କୁ ବାଲିଅନ୍ତା ଥାନା ରାମଚନ୍ଦ୍ରପୁର ବ୍ରିଜ ନିକଟରେ ଦିନ ଦ୍ୱିପ୍ରହରରେ ସଂଘବଦ୍ଧ ଭାବେ ଅତି ନିର୍ମମ ଭାବେ ମାଡ଼ ମରାଯାଇଥିଲା ।
ତାଙ୍କୁ ଗୁରୁତର ଅବସ୍ଥାରେ କ୍ୟାପିଟାଲ ହସ୍ପିଟାଲରେ ଭର୍ତି କରାଯାଇଥିଲା । ସେଠାରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ । ତେବେ ସୌମ୍ୟରଞ୍ଜନଙ୍କ ମୃତ୍ୟୁ ନେଇ ତାଙ୍କ ବାପା ଓ ମାଆ ମାନସିକ ନିର୍ଯାତନା ଦିଆଯାଇଥିବା ସହ ମାମଲାରେ ଗଙ୍ଗୱାରଙ୍କ ସଂପୃକ୍ତି ନେଇ ଅଭିଯୋଗ କରିଥିଲେ ।
ଗଙ୍ଗୱାର ତାଙ୍କ ଜିମ୍ ରେ ସୌମ୍ୟରଂଜନକୁ ନିଯୁକ୍ତି ଦେଇଥିଲେ । ଗଙ୍ଗୱାରଙ୍କ ସଂପୃକ୍ତି ନେଇ ବରିଷ୍ଠ ଆଇପିଏସ୍ ଅରୁଣ ବୋଥ୍ରା ତଦନ୍ତ କରୁଥିଲେ । ତଦନ୍ତ ରିପୋର୍ଟ ମିଳିବା ପରେ ରାଜ୍ୟ ସରକାର ଏବେ ଗଙ୍ଗୱାରଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି । ରାଜ୍ୟ ସରକାର ଦୟାଲ ଗଙ୍ଗୱାରଙ୍କୁ କିଛି ଦିନ ପୂର୍ବେ ଗୃହ ବିଭାଗରେ ଓଏସଡି ଭାବେ ଅବସ୍ଥାପିତ କରିଥିଲେ ।
