ରଥଯାତ୍ରା ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ଯାଜପୁର,୧୮/୦୬/୨୬(ଓଡ଼ିଶା ସମାଚାର)-  ଯାଜପୁର ଶ୍ରୀ ଜଗନ୍ନାଥ ଜୀଉଙ୍କର ରଥଯାତ୍ରା ନିମନ୍ତେ ଶ୍ରୀ ଗୁଣ୍ଡିଚା ମନ୍ଦିର ପ୍ରାଙ୍ଗଣରେ ଶ୍ରୀ ଜଗନ୍ନାଥ ମନ୍ଦିର ଟ୍ରଷ୍ଟର ଟ୍ରଷ୍ଟି ତହସିଲଦାର ରବି ନାରାୟଣ ପାଢ଼ୀଙ୍କ ଅଧ୍ୟକ୍ଷତାରେ  ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା। ପ୍ରାରମ୍ଭରେ ପୁରୋହିତ ହୃଷୀକେଶ ପତି ଓ ପୂଜକ ବାସୁଦେବ ପାଣି ସ୍ତୋତ୍ର ପାଠ କରିଥିଲେ। ମନ୍ଦିର ଟ୍ରଷ୍ଟ ବୋର୍ଡ ସଭ୍ୟ ତଥା ଯାଜପୁର ତହସିଲର ପୂର୍ବତନ ମୁଖ୍ୟ କିରାଣୀ ଅଶୋକ କୁମାର ସାହୁ ନୂତନ ଟ୍ରଷ୍ଟ ବୋର୍ଡ ଗଠନର ଆବଶ୍ୟକତା ଓ ବାର୍ଷିକ ଆୟବ୍ୟୟର ହିସାବ ସମ୍ପର୍କରେ ଉଲ୍ଲେଖ କରିଥିଲେ। ପୂର୍ବତନ ପୌର ପରିଷଦ ସଭ୍ୟ ଉମାକାନ୍ତ ପରିଡ଼ା ମନ୍ଦିରରେ ରଙ୍ଗ ଦେବା, ଗୁମାସ୍ତା ଜନାର୍ଦ୍ଦନ ମିଶ୍ର ତିନି ରଥ କାଠ, ପୁରୁଣା କନା ବଦଳିବା ଏବଂ ନୀତି ନିର୍ଘଣ୍ଟ ସମ୍ପର୍କରେ କହିଥିଲେ। ପୁରୋହିତ ହୃଦାନନ୍ଦ ପତି ଦେବସ୍ନାନ ପୂର୍ଣ୍ଣିମାଠାରୁ ଆରମ୍ଭ କରି ନେତ୍ରୋତ୍ସବ, ନବ ଯୌବନ ଦର୍ଶନ, ରଥ ପ୍ରତିଷ୍ଠା, ଗୁଣ୍ଡିଚା ଯାତ୍ରା, ହେରା ପଞ୍ଚମୀ, ବାହୁଡ଼ା ଯାତ୍ରା, ରତ୍ନବେଦୀକୁ ପ୍ରତ୍ୟାବର୍ତ୍ତନ ସମ୍ପର୍କରେ ସୂଚନା ଦେଇଥିଲେ।

ପୂର୍ବତନ ପୌର ପରିଷଦ ଅଧ୍ୟକ୍ଷ ଭବ ପ୍ରସାଦ ଦାସ ପୂର୍ବ ବର୍ଷ ଠାରୁ ରଥଯାତ୍ରାକୁ ଆହୁରି ଅଧିକ ଆକର୍ଷଣୀୟ ଓ ଉତ୍ସବମୁଖର କରିବା ପାଇଁ ପ୍ରସ୍ତାବ ରଖିଥିଲେ। ଯାଜପୁର ପୌର ପରିଷଦ ଉପାଧ୍ୟକ୍ଷ ସନ୍ତୋଷ କୁମାର ମଲ୍ଲିକ ପୌର ପରିଷଦ ପକ୍ଷରୁ ସମସ୍ତ ସହଯୋଗ ଯୋଗାଇ ଦିଆଯିବ ବୋଲି କହିଥିଲେ। ଏହାସହ ପୋଲିସ ପ୍ରଶାସନ, ବିଦ୍ୟୁତ ବିଭାଗ, ସୂଚନା ଓ ଲୋକସମ୍ପର୍କ ବିଭାଗ, ସ୍ୱାସ୍ଥ୍ୟ ବିଭାଗ, ଅଗ୍ନିଶମ ବିଭାଗର ରଥଯାତ୍ରା ଦାୟିତ୍ୱ ସମ୍ପର୍କରେ ଆଲୋଚନା କରାଯାଇଥିଲା। ଏହି ବୈଠକରେ ଅତିରିକ୍ତ ତହସିଲଦାର ଅଜୟ ପଣ୍ଡା, ମହନ୍ତ ପ୍ରଶାନ୍ତ ଦାଶ, ଏସଡିଓ କୈଳାଶ ଶେଖର ସାହୁ, ବୃନ୍ଦାବନ ମିଶ୍ର, ଅଭିମନ୍ୟୁ ମିଶ୍ର, ଡ.ମନୋଜ ସେନାପତି, କୃଷ୍ଣଚନ୍ଦ୍ର ମିଶ୍ର,ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସତ୍ୟବ୍ରତ ପାଣିଗ୍ରାହୀ, ଦୀପକ ନାୟକ, ଶଙ୍କର ସାହୁ, ସୁଶାନ୍ତ ଖୁଣ୍ଟିଆ, କାଶୀନାଥ ପରିଡ଼ା, ରବିନାରାୟଣ ରାଉତ, ବିଶ୍ୱଜିତ ମିଶ୍ର, ଭୁବନ ମୋହନ ସେଠୀ, ଭାସ୍କର ମହାନ୍ତି, ପ୍ରକାଶ ଚନ୍ଦ୍ର ପରିଡ଼ା, ଚୈତନ୍ୟ ମହାନ୍ତି ପ୍ରମୁଖ ଯୋଗ ଦେଇଥିଲେ। ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ କାମିନୀ ରଞ୍ଜନ ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ।

-0-

ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀଙ୍କ ସୌଜନ୍ୟ ରୁ

Leave a Reply

Your email address will not be published. Required fields are marked *