ଗଭୀର ସମୁଦ୍ର ମାଛଧରା ମିଶନ ମତ୍ସ୍ୟଜୀବୀଙ୍କ ଭାଗ୍ୟ ବଦଳାଇବ – ଧର୍ମେନ୍ଦ୍ର ପ୍ରଧାନ
• ଓଡ଼ିଶା ଗଭୀର ସମୁଦ୍ର ମାଛଧରା ମିଶନ’ର ଜାତୀୟ ଶୁଭାରମ୍ଭ ପାଇଁ ମାନ୍ୟବର ଉପରାଷ୍ଟ୍ରପତିଙ୍କୁ ଧନ୍ୟବାଦ ଜଣାଇଲେ କେନ୍ଦ୍ରମନ୍ତ୍ରୀ
• ଓଡ଼ିଶାର ମାନ୍ୟବର ରାଜ୍ୟପାଳ ଡ. ହରିବାବୁ କମ୍ଭମପାଟି, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, କେନ୍ଦ୍ର ମତ୍ସ୍ୟପାଳନ, ପଶୁପାଳନ ମନ୍ତ୍ରୀ ରାଜୀବ ରଞ୍ଜନ ସିଂହ, ରାଷ୍ଟ୍ରମନ୍ତ୍ରୀ ଏସ.ପି. ସିଂହ ବାଘେଲ ଏବଂ ଓଡ଼ିଶାର ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିକାଶ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ଉପସ୍ଥିତ
• ଆନ୍ଧ୍ରପ୍ରଦେଶ ତୁଳନାରେ ଓଡ଼ିଶାରେ ରହିଛି ବ୍ୟାପକ ମତ୍ସ୍ୟ ଉତ୍ପାଦନର ସମ୍ଭାବନା
• ଭାରତୀୟ ପତାକାଧାରୀ ଜାହାଜଗୁଡ଼ିକୁ ଗଭୀର ସମୁଦ୍ରରେ ମତ୍ସ୍ୟ ସଂଗ୍ରହ ପାଇଁ ଅନୁମତି ପତ୍ର ପ୍ରଦାନ ମତ୍ସ୍ୟଜୀବୀମାନଙ୍କୁ ଆଧୁନିକ ଓ ସଶକ୍ତ କରିବ
• ମାଛ ଉତ୍ପାଦନ ସହ ରପ୍ତାନୀ ଆହୁରି ବଢାଇବା ପାଇଁ ହେଉ ଯୋଜନା
ଭୁବନେଶ୍ୱର, ୦୯/୦୭/୨୦୨୬ (ଓଡ଼ିଶା ସମାଚାର)- ‘ଓଡ଼ିଶା ଗଭୀର ସମୁଦ୍ର ମାଛଧରା ମିଶନ’ ଦ୍ୱାରା ବ୍ଲୁ-ଇକୋନୋମି ମାଧ୍ୟମରେ ରାଜ୍ୟର ଗ୍ରାମୀଣ ଅର୍ଥନୀତି ସମୃଦ୍ଧ ହେବ ଏବଂ ହଜାର ହଜାର ମତ୍ସ୍ୟଜୀବୀ ପରିବାର ପାଇଁ ଆଗାମୀ ଦିନରେ ନୂତନ ଜୀବିକାର ସୁଯୋଗ ସୃଷ୍ଟି ହେବ ।ଆଜିର ପଦକ୍ଷେପ ମତ୍ସ୍ୟଜୀବୀ ଭାଇ ଭଉଣୀମାନଙ୍କ ଭାଗ୍ୟ ବଦାଇବା ସହ ଏହି ନୂତନ ବ୍ୟବସ୍ଥା ଦ୍ୱାରା ଆମ ରାଜ୍ୟର ମତ୍ସ୍ୟଜୀବୀ ସମବାୟ ସମିତିଗୁଡ଼ିକ ସିଧାସଳଖ ଉପକୃତ ହେବେ ବୋଲି ଆଜି ଭୁବନେଶ୍ୱର ଠାରେ ଏ ସମ୍ପର୍କିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଭାରତର ମାନ୍ୟବର ଉପରାଷ୍ଟ୍ରପତି ସି.ପି. ରାଧାକ୍ରିଷ୍ଣନଙ୍କ ସହ ଯୋଗଦେବା ଅବସରରେ କହିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଗୁରୁବାର ଗଭୀର ସମୁଦ୍ରରୁ ମତ୍ସ୍ୟ ସମ୍ପଦର ସ୍ଥାୟୀ ଉପଯୋଗ ପାଇଁ ‘ପ୍ରାଧିକରଣ ପତ୍ର’ (ଏଲଓଏ) ଆବଣ୍ଟନ ଏବଂ ‘ଓଡ଼ିଶା ଗଭୀର ସମୁଦ୍ର ମାଛଧରା ମିଶନ’ର ଜାତୀୟ ଶୁଭାରମ୍ଭ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଶ୍ରୀ ପ୍ରଧାନ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଦୂରଦୃଷ୍ଟିସମ୍ପନ୍ନ ନେତୃତ୍ୱକୁ ପ୍ରଶଂସା କରି କହିଛନ୍ତି ଯେ, ୨୦୧୪ ପରେ ଦେଶରେ ମତ୍ସ୍ୟପାଳନ ଏବଂ ଏହାର ଆନ୍ତର୍ଜାତୀୟ ବଜାର ବ୍ୟବସ୍ଥାରେ ଏକ ବ୍ୟାପକ ସୁଧାର ଆସିଛି। ବିଶ୍ୱର ବିଷମ ପରିସ୍ଥିତି ଏବଂ ବହୁ ଚ୍ୟାଲେଞ୍ଜ ସତ୍ତ୍ୱେ ଭାରତ ମାତ୍ର ୧ ବର୍ଷ ଭିତରେ ୧୧,୦୦୦ କୋଟି ଟଙ୍କାରୁ ଅଧିକ ଟଙ୍କାର ମାଛ ରପ୍ତାନି ବୃଦ୍ଧି କରିବା ସହ ୨୧% ରପ୍ତାନୀ ଅଭିବୃଦ୍ଧି ହାସଲ କରିଛି । ଏହା ଦେଶର ଅର୍ଥନୀତିକୁ ମଜବୁତ କରିବା ସହ ‘ବିକଶିତ ଭାରତ’ର ସଂକଳ୍ପକୁ ଆଗକୁ ନେବାରେ ପ୍ରମୁଖ ଭୂମିକା ଗ୍ରହଣ କରୁଛି ।
ଓଡ଼ିଶାର ସମ୍ଭାବନା ଏବଂ ପ୍ରତିବେଶୀ ଆନ୍ଧ୍ରପ୍ରଦେଶ ସହ ଏହାର ତୁଳନାତ୍ମକ ଚିତ୍ର ଉପରେ ଆଲୋକପାତ କରି କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ, ଆନ୍ଧ୍ରପ୍ରଦେଶ ତୁଳନାରେ ଓଡ଼ିଶାର ସମୁଦ୍ର ଉପକୂଳ (୫୭୫ କିମି) ପ୍ରାୟ ଅଧା ଏବଂ ନଦୀ-କେନାଲର ଜଳାଶୟ କ୍ଷେତ୍ରରେ ସମାନତା ଥିଲେ ମଧ୍ୟ ଓଡ଼ିଶାର ୧୨ ଲକ୍ଷ ମେଟ୍ରିକ ଟନ ମାଛ ଉତ୍ପାଦନ ସାମ୍ନାରେ ଆନ୍ଧ୍ରପ୍ରଦେଶ ପ୍ରାୟ ୪୫ ଲକ୍ଷ ମେଟ୍ରିକ ଟନ ଉତ୍ପାଦନ କରୁଛି । ଏହି ବ୍ୟବଧାନ ଆମ ପାଇଁ ଯେତିକି ବଡ଼ ଆହ୍ୱାନ, ସେତିକି ବଡ଼ ସମ୍ଭାବନା ମଧ୍ୟ ସୃଷ୍ଟି କରୁଛି । ତେଣୁ ଆମକୁ କୋପରେଟିଭ ସେକ୍ଟର (ସମବାୟ କ୍ଷେତ୍ର)କୁ ଅଧିକ ମହତ୍ୱ ଦେବାକୁ ହେବ, ଗ୍ରାମୀଣ ରାସ୍ତାଘାଟ ଓ ଭିତ୍ତିଭୂମି ଭଲ କରିବାକୁ ହେବ ଏବଂ ମତ୍ସ୍ୟ ଉତ୍ପାଦନକାରୀ ସଂସ୍ଥାଗୁଡ଼ିକ ପାଇଁ ସ୍ୱତନ୍ତ୍ର କାର୍ଯ୍ୟପନ୍ଥା ଗ୍ରହଣ କରିବାକୁ ହେବ। ରାଜ୍ୟର ପ୍ରାୟ ୧ କୋଟି ପରିବାରଙ୍କ କଲ୍ୟାଣ ତଥା ମତ୍ସ୍ୟପାଳନ କ୍ଷେତ୍ରକୁ ଏକ ନୂଆ ରୂପ ଦେବା ପାଇଁ କେନ୍ଦ୍ର ଓ ରାଜ୍ୟର ଡବଲ ଇଞ୍ଜିନ ସରକାର ସମ୍ପୂର୍ଣ୍ଣ ବଦ୍ଧପରିକର ।
ଭାରତୀୟ ପତାକାଧାରୀ ଜାହାଜଗୁଡ଼ିକୁ ଗଭୀର ସମୁଦ୍ରରେ ମତ୍ସ୍ୟ ସଂଗ୍ରହ ପାଇଁ ଅନୁମତି ପତ୍ର ପ୍ରଦାନ କରିବାର ଏହି ଐତିହାସିକ ଜାତୀୟ ଶୁଭାରମ୍ଭ ମତ୍ସ୍ୟଜୀବୀମାନଙ୍କୁ ଆଧୁନିକ ଓ ସଶକ୍ତ କରିବ। ମତ୍ସ୍ୟଜୀବୀ ଓ ଜାହାଜ ମାଲିକମାନଙ୍କ ସୁବିଧା ପାଇଁ କେନ୍ଦ୍ର ସରକାର ‘ReALCraft’ ଡିଜିଟାଲ୍ ପ୍ଲାଟଫର୍ମକୁ ଅପଗ୍ରେଡ୍ କରିଛନ୍ତି, ଯାହାଦ୍ୱାରା ବର୍ତ୍ତମାନ କୌଣସି ଅଯଥା କାଗଜପତ୍ରର ଚିନ୍ତା ନଥାଇ, ସ୍ୱଳ୍ପ ଫିସ୍ ଦେଇ ସମ୍ପୂର୍ଣ୍ଣ ଅନଲାଇନରେ ଏଲଓଏ ପାଇପାରିବେ। ଏହା ପ୍ରଧାନମନ୍ତ୍ରୀଙ୍କ “ଡିଜିଟାଲ୍ ଇଣ୍ଡିଆ” ଏବଂ “ଇଜ୍ ଅଫ୍ ଡୁଇଙ୍ଗ୍ ବିଜନେସ୍”ର ଏକ ଶ୍ରେଷ୍ଠ ନିଦର୍ଶନ ବୋଲି କହିଛନ୍ତି ଶ୍ରୀ ପ୍ରଧାନ । କେନ୍ଦ୍ରମନ୍ତ୍ରୀ ଓଡ଼ିଶାର ସମସ୍ତ ମତ୍ସ୍ୟଜୀବୀ ଭାଇଭଉଣୀଙ୍କୁ ରାଜ୍ୟର ମତ୍ସ୍ୟପାଳନ ଶିଳ୍ପକୁ ଆଗକୁ ନେବା ପାଇଁ କଟିବଦ୍ଧ ହେବାକୁ ଆହ୍ୱାନ ଦେବା ସହ ମାନ୍ୟବର ଉପରାଷ୍ଟ୍ରପତିଙ୍କୁ ତାଙ୍କର ମୂଲ୍ୟବାନ ମାର୍ଗଦର୍ଶନ ପାଇଁ ଅଶେଷ ଧନ୍ୟବାଦ ଜଣାଇଛନ୍ତି ।
ଏହି କାର୍ଯ୍ୟକ୍ରମରେ ଓଡ଼ିଶାର ମାନ୍ୟବର ରାଜ୍ୟପାଳ ଡ. ହରିବାବୁ କମ୍ଭମପାଟି, ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ, କେନ୍ଦ୍ର ପଞ୍ଚାୟତିରାଜ, ମତ୍ସ୍ୟପାଳନ, ପଶୁପାଳନ ଓ ଦୁଗ୍ଧ ଉତ୍ପାଦନ ମନ୍ତ୍ରୀ ଶ୍ରୀ ରାଜୀବ ରଞ୍ଜନ ସିଂହ, କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ପ୍ରଫେସର ଏସ.ପି. ସିଂହ ବାଘେଲ ଏବଂ ଓଡ଼ିଶାର ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିକାଶ ମନ୍ତ୍ରୀ ଶ୍ରୀ ଗୋକୁଳାନନ୍ଦ ମଲ୍ଲିକ ପ୍ରମୁଖ ଯୋଗଦେଇଥିଲେ ।
