ବିଭିନ୍ନ ବିଭାଗର ସହଯୋଗରେ କାର୍ଯ୍ୟାନୁଷ୍ଠାନ ଯୋଜନା ପ୍ରସ୍ତୁତ କରିବାକୁ ମୁଖ୍ୟ ଶାସନ ସଚିବଙ୍କ ନିର୍ଦ୍ଦେଶ
ଭୁବନେଶ୍ୱର,୧୮/୦୬/୨୦୨୬ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ରାଜ୍ୟରେବିଭିନ୍ନ ନଦୀ, କେନାଲ, ଜଳାଶୟ ଏବଂ ସମୁଦ୍ର ଆଦିରେ ପାଣିରେ ବୁଡ଼ି ମୃତ୍ୟୁ ଘଟୁଥିବା ଭଳି ଦୁର୍ଘଟଣା ଏକ ଗଭୀର ଚିନ୍ତାଜନକ ବିଷୟ । ପ୍ରତିବର୍ଷ ଏଥି ଯୋଗୁଁ ଶହ ଶହ ସଂଖ୍ୟାରେ ଜୀବନହାନି ଘଟୁଛି । ପ୍ରାପ୍ତ ସୂଚନା ଅନୁଯାୟୀ, ଗତ ପାଞ୍ଚ ବର୍ଷ ମଧ୍ୟରେ ରାଜ୍ୟରେ ପ୍ରାୟ୯,୦୦୦ ଜଣ ପାଣିରେ ବୁଡ଼ିଯିବା ହେତୁ ପ୍ରାଣ ହରାଇଛନ୍ତି, ଯାହା ମଧ୍ୟରେ ଅଧିକାଂଶ ଶିଶୁ ଓ ଯୁବବର୍ଗ ରହିଛନ୍ତି।ଅସାବଧାନତା ହେତୁ ତଥା ବିଭିନ୍ନ କାରଣରୁ ପୋଖରୀ, ଖୋଲା କୂଅ, ବିପଦପୂର୍ଣ୍ଣ ଜଳାଶୟ,ନଦୀଘାଟ, ସମୁଦ୍ର, ଜଳପ୍ରପାତ ଓ ପର୍ଯ୍ୟଟନ ସ୍ଥଳୀଗୁଡ଼ିକରେ ଏପରି ଜଳବୁଡ଼ି ଘଟଣା ଦେଖାଦେଉଛି ।
ଏହି ପରିପ୍ରେକ୍ଷୀରେ ପାଣିରେ ବୁଡ଼ି ମୃତ୍ୟୁକୁ ରୋକିବା ପାଇଁ ପ୍ରତିକାରାତ୍ମକ ବ୍ୟବସ୍ଥା ଏବଂ ଜନସଚେତନତା ସୃଷ୍ଟି ପାଇଁ ପ୍ରାଥମିକ ପର୍ଯ୍ୟାୟରେ ଏକ ସମୀକ୍ଷା ବୈଠକ ଆଜି ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ ଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନରେ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଓଡ଼ିଶା ଅଗ୍ନିଶମ ସେବାମହାନିର୍ଦ୍ଦେଶକ ଡଃ. ସୁଧାଂଶୁ ଷଡ଼ଙ୍ଗୀ, ଅତିରିକ୍ତ ରିଲିଫ୍ କମିଶନର ଶ୍ରୀ ପଦ୍ମନାଭ ବେହେରାଙ୍କ ସମେତ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତି ରହି ପାଣିରେ ବୁଡ଼ି ମୃତ୍ୟୁର କାରଣ ଓ ପ୍ରତିକାରାତ୍ମକ ପଦକ୍ଷେପ ସଂପର୍କରେ ଆଲୋଚନା କରିଥିଲେ ।
ଅଗ୍ନିଶମ ସେବା ଓ ଗୃହରକ୍ଷୀ ବାହିନୀର ମହାନିର୍ଦ୍ଦେଶକ ଡଃ. ଷଡ଼ଙ୍ଗୀ ଏହି ବୈଠକରେ ଉପସ୍ଥିତ ରହି ମତାମତ ପ୍ରଦାନ କରିଥିଲେ । ପାଣିରେ ବୁଡ଼ି ମୃତ୍ୟୁ ପ୍ରତିବର୍ଷ ବହୁ ଜୀବନ ହାନି ଘଟୁଥିବାରୁ ମାନ୍ୟବର ମୁଖ୍ୟମନ୍ତ୍ରୀ ମଧ୍ୟ ଚିନ୍ତା ଓ ଦୁଃଖ ପ୍ରକାଶ କରି ଏହାର ପ୍ରତିକାରାତ୍ମକ ସୁଦୃଢ ପଦକ୍ଷେପ ନେବାକୁ ରାମଚଣ୍ଡୀ ନିକଟସ୍ଥ”ଓଡ଼ିଶା ଷ୍ଟେଟ୍ ୱାଟରମ୍ୟାନଶିପ୍ ଆଣ୍ଡ ଲାଇଫଗାର୍ଡ ଇନଷ୍ଟିଚ୍ୟୁଟ୍ (ଓସ୍ୱାଲି) ଠାରେ ପରାମର୍ଶ ଦେଇଥିବା ସେ ପ୍ରକାଶ କରିଥିଲେ । ସରକାରୀ ବିଭାଗ, ସ୍ଥାନୀୟ ପ୍ରଶାସନ, ବିଭିନ୍ନ ଗୋଷ୍ଟୀ, ସ୍ୱେଚ୍ଛାସେବୀ ସଂଗଠନ ଏବଂ ଜନସାଧାରଣଙ୍କ ମିଳିତ ସହଯୋଗ ଦ୍ୱାରା ପ୍ରତିକାରାତ୍ମକ ବ୍ୟବସ୍ଥା ଫଳରେ ଜଳରେ ବୁଡ଼ି ମୃତ୍ୟୁ ଦୁର୍ଘଟଣାରୁ ପ୍ରତିଟି ମୂଲ୍ୟବାନ ଜୀବନକୁ ରକ୍ଷା କରାଯାଇପାରିବ ବୋଲି ସେ ମତ ପୋଷଣ କରିଥିଲେ ।
ଆଗାମୀ ଦିନରେ ଏହି ଦୁର୍ଘଟଣା ଯେପରି ବହୁ ସଂଖ୍ୟାରେ ହ୍ରାସ ପାଇବ, ସେଥିପାଇଁ ଭୌଗୋଳିକ ସ୍ଥିତି ଏବଂ ଜଳାଶୟର ପ୍ରକୃତିକୁ ଆଧାରରେ ତଥ୍ୟ ବିଶ୍ଳେଷଣ କରାଯାଇ ବିପଦପୂର୍ଣ୍ଣ ସ୍ଥାନ ବା ‘ବୁଡ଼ି ପ୍ରବଣ ବ୍ଲାକ୍ ସ୍ପଟ୍’ ଗୁଡ଼ିକୁ ଚିହ୍ନଟ କରାଯିବା ନେଇ ଯୋଜନା ପ୍ରସ୍ତୁତ କରାଯିବାକୁ ମୁଖ୍ୟ ଶାସନ ସଚିବ ଆବଶ୍ୟକ ନିର୍ଦ୍ଦେଶ ଓ ପରାମର୍ଶ ଦେଇଛନ୍ତି ।
ପ୍ରତ୍ୟେକ ଗ୍ରାମ ପଞ୍ଚାୟତ ସ୍ତରରେ ଅତିକମରେ ୧ ରୁ ୨ ଜଣଙ୍କୁ ସ୍ଥାନୀୟ ଜୀବନରକ୍ଷକ (ଲାଇଫ୍ଗାର୍ଡ) ରୂପେ ପ୍ରଶିକ୍ଷଣ ଦିଆଯିବାକୁ ପ୍ରସ୍ତାବ ଦିଆଯାଇଛି। ଉପରୋକ୍ତ ସମସ୍ତ ବିପଦପୂର୍ଣ୍ଣ ସ୍ଥାନ ମାନଙ୍କରେ ସତର୍କ ସଂକେତ, ସୁରକ୍ଷା ରେଲିଂ, ବେରିକେଡ୍ ବ୍ୟବସ୍ଥା ଆଦି ସୁନିଶ୍ଚିତ କରାଯିବ ।ସମୁଦ୍ରରେ ସ୍ନାନ ସମୟରେ ଶ୍ରଦ୍ଧାଳୁ ଓ ପର୍ଯ୍ୟଟକଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ପାଇଁ ସୁରକ୍ଷିତ ନିର୍ଦ୍ଦିଷ୍ଟ ସୀମା ପର୍ଯ୍ୟନ୍ତ ଭାସମାନ ବୁଏ, ଦଉଡ଼ି ଆଦି ସାଙ୍କେତିକ ସତର୍କ ବ୍ୟବସ୍ଥା ସହ ଅନ୍ୟ ରାଜ୍ୟ ଓ ଦେଶରେ ପ୍ରଚଳିତ ଉତ୍ତମ ସୁରକ୍ଷା ବ୍ୟବସ୍ଥାଗୁଡ଼ିକର ପ୍ରୟୋଗ ଉପରେ ଗୁରୁତ୍ୱ ଦିଆଯିବ। ଖୋଲା କୂଅରେ ଆବରଣଯୁକ୍ତ ତାରଜାଲି ବ୍ୟବସ୍ଥା, ପର୍ଯ୍ୟଟନ ବିଭାଗ ଦ୍ୱାରା ଚିହ୍ନଟ ହୋଇଥିବା ବିଭିନ୍ନ ବିପଦସଂକୁଳ ସ୍ଥଳୀ ମାନଙ୍କରେ ଲାଇଫ୍ ଗାର୍ଡ ମୁତୟନ କରାଯିବାକୁ ଆଲୋଚନା କରାଯାଇଛି ।ବିଶେଷ କରି ସମ୍ବେଦନଶୀଳ ଓ ଅଧିକ ଭିଡ଼ ହେଉଥିବା ଜଳାଶୟ ନିକଟରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିବା ପାଇଁ ଗୃହରକ୍ଷୀ ଓ ଲାଇଫଗାର୍ଡମାନଙ୍କୁ ସଜାଗ ରଖାଯିବ।
ଏହା ବ୍ୟତୀତ ପହଁରିବା (ସୁଇମିଂ)କୁ ଏକ ଜୀବନ ରକ୍ଷାକାରୀ କୌଶଳ ଭାବେ ଗ୍ରହଣ କରି ଗ୍ରାମାଞ୍ଚଳ ଓ ସହରାଞ୍ଚଳରେଛାତ୍ରଛାତ୍ରୀ ଓ ଯୁଗବର୍ଗଙ୍କ ମଧ୍ୟରେ ବ୍ୟାପକ ଭାବେ ପହଁରା ପ୍ରଶିକ୍ଷଣ ଶିବିର ଏବଂ ପ୍ରତିଯୋଗିତାମାନ ଆୟୋଜନ କରାଯିବାକୁ ପଦକ୍ଷେପ ନିଆଯିବ । ଏନ୍.ସି.ସି.,ସିଭିଲ୍ ଡିଫେନ୍ସ ଏବଂ ସ୍ଥାନୀୟ ଯୁବ ସଂଗଠନଗୁଡ଼ିକୁ ଜଳରୁ ଉଦ୍ଧାର କାର୍ଯ୍ୟ ଓ ପ୍ରାଥମିକ ଚିକିତ୍ସା ସମ୍ବନ୍ଧୀୟ ବ୍ୟାପକ ପ୍ରଶିକ୍ଷଣ ପ୍ରଦାନ କରାଯିବ।ଏହି ଅଭିଯାନକୁ ସଫଳ କରିବା ପାଇଁ ଅଗ୍ନିଶମ ସେବା, ପୁଲିସ, ରାଜ୍ୟ ଅପରାଧ ଅଭିଲେଖ ବ୍ୟୁରୋ, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ,ସ୍ୱତନ୍ତ୍ର ରିଲିଫ୍ କମିଶନରଙ୍କ କାର୍ଯ୍ୟାଳୟ, ଜଳସମ୍ପଦ ବିଭାଗ, ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ତରଫରୁମିଳିତ ଭାବେ ଏକ ସମନ୍ୱିତ କାର୍ଯ୍ୟାନୁଷ୍ଠାନ ଯୋଜନା ପ୍ରସ୍ତୁତ କରାଯିବାକୁ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଗର୍ଗ ନିର୍ଦ୍ଦେଶ ଦେଇଛନ୍ତି ।
ପଠାଣି ରାଉତ ମୁଖ୍ୟଶାସନ ସଚିବଙ୍କଲୋକସମ୍ପର୍କ ଅଧିକାରୀ
