ଗରଦପୁର,୧୮/୦୬/୨୦୨୬ (ଓଡ଼ିଶା ସମାଚାର)- ଗରଦପୁର ବ୍ଲକ୍ ଜିରାଳସ୍ଥିତ ପର୍ଯ୍ୟଟନସ୍ଥଳୀ ତଥା ପ୍ରସିଦ୍ଧ ଶୈବ ପିଠ ଶ୍ରୀ ଶ୍ରୀ କାମେଶ୍ୱର ମହାଦେବଙ୍କ ପିଠରେ ଆଜି ଦେବ ଦମ୍ପତି ଶିବ ପାର୍ବତୀଙ୍କ ବିବାହ ଉତ୍ସବ ବହୁ ଆଡ଼ମ୍ବର ସହକାରେ ସମ୍ପନ୍ନ ହୋଇଛି । ପରିଚାଳନା ଟ୍ରଷ୍ଟ ଦ୍ୱାରା ଆୟୋଜିତ ଏହି କାର୍ଯ୍ୟକ୍ରମରେ ଶହଶ୍ରାଧିକ ଶ୍ରଦ୍ଧାଳୁ ଅଂଶ ଗ୍ରହଣ କରିଥିଲେ । ସକାଳୁ ଶିବ ପାର୍ବତୀଙ୍କୁ ସୁସଜିତ ପାଲିଙ୍କିରେ ବସାଇ ରୋଷଣୀ ଶୋଭାଯାତ୍ରା ଆରମ୍ଭ କରାଯାଇଥିଲା । ପଣ୍ଡିତ ମାନଙ୍କର ମନ୍ତ୍ର ଧ୍ୱନୀ , ଶଙ୍ଖ , ହୁଳ ହୁଳି ଓ ହରିବୋଲ ରେ ମନ୍ଦିର ରେ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା । ଶିବ ପାର୍ବତୀଙ୍କର ଏହି ରୋଷଣୀରେ ସଂକୀର୍ତନ ମଣ୍ଡଳୀ, ବ୍ୟାଣ୍ଡ ପାଟି, ବାଜା, ଘଂଟ, ଘଂଟୁଆ , ବାଣ ରେ ରୋଷଣୀ ହୋଇଥିଲା ।
ଏହି ବର ଶୋଭାଯାତ୍ରା ମନ୍ଦିର ରୁ ବାହାରି ଜିରାଳ, ପହଣା, ପନ୍ଦିଆ, ରସିଲାବାଦ, ତିକନପୁର, ବେହୁଳ, ନଡ଼ିଆବରାଇ, ଓଉପଡ଼ା , ଡ଼ାହାଳପୁର, ଉଦୟଗିରି, ଅଟାବୁହା, କଉଡ଼ିଆବରାଇ, ପୁନ୍ଦାଳ ଗ୍ରାମରେ ପହଂଚି ସେଠାରେ ଥିବା କନ୍ୟା ଘରକୁ ଯାଇ ସନ୍ଧ୍ୟାରେ ପିଠ ପରିସରରେ ପହଂଚିଥିଲା । ପ୍ରତ୍ୟେକ ଗ୍ରାମର ପେଣ୍ଠସ୍ଥଳ, ମନ୍ଦିର, ମଣ୍ଡପ ଓ ଗାଁ ଦାଣ୍ଡରେ ଶ୍ରଦ୍ଧାଳୁମାନେ ଭୋଗ ଲଗାଇ ପୂଜାର୍ଚନା କରିଥିଲେ । ସନ୍ଧ୍ୟାରେ ମନ୍ଦିର ପରିସରରେ ଦେବ ଦମ୍ପତିଙ୍କର ବିବାହ କାର୍ଯ୍ୟ ସମ୍ପନ୍ନ ହୋଇଥିଲା । ବ୍ରାହ୍ମଣ ପଣ୍ଡିତମାନେ ବର ଓ କନ୍ୟା ଭାବେ ଶିବ ପାର୍ବତୀଙ୍କୁ ବିବାହ ଦେବୀକୁ ବରଣ କରିଥିଲେ ।
ଜାନକୀ ସାହୁ ଓ ତାଙ୍କ ସ୍ୱାମୀ ଗୌତମ ସାହୁ ଶିବଙ୍କ ପିତା ମାତା ହୋଇଥିବାବେଳେ ବିଭୁତି ସାହୁ ଓ ତାଙ୍କ ପତ୍ନୀ ନିର୍ମଳା ସାହୁ ପାର୍ବତୀଙ୍କ ପିତା ମାତା ଭାବେ କାର୍ଯ୍ୟ ସମ୍ପାଦନ କରିଥିଲେ । ଟ୍ରଷ୍ଟର ମୁଖ୍ୟ ପୃଷ୍ଠ ପୋଷକ ଦିଲିପ କୁମାର ନାୟକ ତିନି ହଜାର ଶ୍ରଦ୍ଧାଳୁଙ୍କ ପାଇଁ ପ୍ରସାଦ ବଂଟନର ବ୍ୟବସ୍ଥା କରିଥିଲେ । ଏହି ଉତ୍ସବରେ ଟ୍ରଷ୍ଟର ସଭାପତି ରମେଶ ଚନ୍ଦ୍ର ବେହେରା , ତପନ କୁମାର ବାରିକ, ହେମନ୍ତ କୁମାର ପରିଡ଼ା, ବିଜୟ କୁମାର ମାହାଳି, ବସନ୍ତ କୁମାର ମାହାଳି, ପ୍ରଦୀପ ବେହେରା, ହେମନ୍ତ ବେହେରା, ସମିର ସାହୁ, ପ୍ରକାଶ ମୁଦୁଲି, ଜ୍ଞାନ ମୁଦୁଲି, ସରୋଜ ବିଶ୍ୱାଳ , ବିବେକାନନ୍ଦ ମୁଦୁଲି, ଗୁରୁପ୍ରସାଦ ବେହେରା, ହିରଣ୍ୟ ଗିରି, ସର୍ବେଶ୍ୱର ପରିଡ଼ା, ସୁବୋଧ କୁମାର ସ୍ୱାଇଁ, ରମେଶ ଦାସ, ପ୍ରଭାତ ମହାନ୍ତି , ଶ୍ରୀକାନ୍ତ ମୁଦୁଲି, ଶିବ ପ୍ରସାଦ ମୁଦୁଲି, ଅକ୍ଷୟ ବିଶ୍ୱାଳ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ ।
