ଗ୍ରେୱାଲ୍ ମିନେରାଲ୍ସ ଏଣ୍ଡ୍ ମେଟାଲ୍ସ ର ଭାଇସ୍ ପ୍ରେସିଡେଣ୍ଟ ନିମାନନ୍ଦ ପ୍ରଧାନ ଅପହରଣ ଘଟଣା

କମ୍ପାନୀର ଡ୍ରାଇଭର ଫିରୋଜକୁ ନେଇ ଘଟଣାର ପୁରା ସିନ୍ ରି କ୍ରିଏସନ୍ କରିଛି ପୋଲିସ୍

ବଡ଼ବିଲ,୦୭/୦୩/୨୦୨୫ (ଓଡ଼ିଶା ସମାଚାର)- ଗ୍ରେୱାଲ୍ ମିନେରାଲ୍ସ ଏଣ୍ଡ୍ ମେଟାଲ୍ସ ର ଭାଇସ୍ ପ୍ରେସିଡେଣ୍ଟ ନିମାନନ୍ଦ ପ୍ରଧାନ ଅପହରଣ ଘଟଣାରେ ପୋଲିସ୍ ଏବେ ସୁଦ୍ଧା କମ୍ପାନୀର ଡ୍ରାଇଭର ଓ ଜଣେ ମହିଳାଙ୍କ ସମେତ ମୋଟ ୯ ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ତେବେ ଅପହରଣ ଘଟଣାର ମୁଖ୍ୟ ଅଭିଯୁକ୍ତ ବାବୁ ଖାନ୍ ଓରଫ୍ ସେହେନୱାଜ୍ ଓରଫ୍ ସାଦାବ୍ ଖାନ୍ ଏବେବି ଫେରାର ରହିଛି ।

ତା’କୁ ଧରିବା ଲାଗି ଝାଡ଼ଖଣ୍ଡର ବିଭିନ୍ନ ସ୍ଥାନରେ ପୋଷ୍ଟର ଲଗାଇବା ସହ ଅଭିଯୁକ୍ତ ସମ୍ପର୍କରେ ସୂଚନା ଦେଲେ ଦୁଇ ଲକ୍ଷ ଟଙ୍କାର ପୁରସ୍କାର ରାଶି ଦିଆଯିବାକୁ ଓଡ଼ିଶା ପୋଲିସ୍ ପକ୍ଷରୁ ଘୋଷଣା କରାଯାଇଛି । ପୋଲିସ୍ ପକ୍ଷରୁ ତଦନ୍ତ ପ୍ରକ୍ରିୟା ଜାରୀ ରହିଥିବାବେଳେ ବୁଧବାର ସନ୍ଧ୍ୟାରେ ୩ ଜଣ ଅଭିଯୁକ୍ତ, କାର୍ ଡ୍ରାଇଭର ଏମ୍ ଡି ଫିରୋଜ, ସର୍ଫାରାଜ୍ ଅନସାରୀ ଓ ରାଜେନ୍ଦ୍ର ପାଶୱାନଙ୍କୁ ଦୁଇ  ଦିନିଆ ରିମାଣ୍ଡରେ ନେଇ ଅଧିକ ତଦନ୍ତ ଚଳାଇଛି । ଆଜି ଘଟଣାର ମୁଖ୍ୟ ସୂତ୍ରଧାର, କମ୍ପାନୀର ଡ୍ରାଇଭର ଏମ୍ ଡି ଫିରୋଜକୁ ନେଇ ସେଦିନ ଘଟଣାର ପୁରା ସିନ୍ ରି କ୍ରିଏସନ୍ କରିଛି ପୋଲିସ୍ ।

ବଡ଼ବିଲ ଏସଡିପିଓ ଦେବେନ୍ଦ୍ର ନାଥ ପିଙ୍ଗୁଆ, ବଡ଼ବିଲ ଥାନା ଆଇ ଆଇ ସି ଅଶୋକ କୁମାର ନାୟକ ଅନ୍ୟ ପୋଲିସ ଅଧିକାରୀ  ଫିରୋଜକୁ ନେଇ ସିନ୍ ରି କ୍ରିଏସନ୍ କରିଥିଲେ । ସେଦିନ ଯୋଜନା ମୁତାବକ ଫିରୋଜ କିପରି ଲଡୁ ନେଇ ଅଫିସକୁ ଆସି ବାଣ୍ଟିଥିଲା, ଅନ୍ୟ ଦୁଇ ଡ୍ରାଇଭରଙ୍କୁ କିପରି ନିଶା ଲଡୁ ଖୁଆଇଥିଲା ଏହାପରେ ସନ୍ଧ୍ୟାରେ ନିମାନନ୍ଦଙ୍କୁ କେଉଁ ବାଟ ଦେଇ ନେଇଥିଲା, କେଉଁଠାରେ ଅଟକିଥିଲା ଓ ସଦ୍ଦାବ ଓ ତା’ର ସହଯୋଗୀ ମାନେ କେଉଁଠାରେ ଅପେକ୍ଷା କରିଥିଲେ ଓ କିପରି ତାଙ୍କୁ ଅପହରଣ କରି ନିଆଗଲା ସେନେଇ ପୁରା ଡେମୋ ଦେଖାଇଥିଲା । 

ନିମାନନ୍ଦଙ୍କ ଘର ଠାରୁ ମାତ୍ର ଅଳ୍ପ କେଇ ମିଟର ଦୂରରୁ ହିଁ ତାଙ୍କୁ ଅପହରଣ କରି ନେଇଥିଲେ ଅପହରଣକାରୀ। ଯୋଜନା ମୁତାବକ ୪ ଜଣ ସେଠାରେ ଜଗି ରହିଥିଲେ ଏବଂ କାର୍ ଆସିବାକ୍ଷଣି ଭିତରେ ପଶି ତୁରନ୍ତ ଗାଡ଼ିକୁ ବୁଲାଇ ମହାନ୍ତ ବସ୍ତି ଛକ ଦେଇ ବେଲକୁଣ୍ଡି ରାସ୍ତାରେ ଝାଡ଼ଖଣ୍ଡକୁ ପଳାଇଥିଲେ ବୋଲି ଫିରୋଜ୍ କହିଛି ।

Leave a Reply

Your email address will not be published. Required fields are marked *