ନୟାଗଡ଼,୧୪/୦୬/୨୦୨୬ (ଓଡ଼ିଶା ସମାଚାର)- ନୟାଗଡ଼ ଜିଲା ଗଣିଆ ଥାନା ଅଧୀନ ପାଣ୍ଡରାସିଂହା ଛକରେ ଆଜି ରବିବାର ସନ୍ଧ୍ୟାରେ ଗୁଳିକାଣ୍ଡ ଘଟିଛି। ଗୁଳିମାଡ଼ରେ ଜଣେ ଯୁବକଙ୍କର ମୃତ୍ୟୁ ଘଟିଛି। ମୃତକ ହେଉଛନ୍ତି କିଶୋରପ୍ରସାଦ ପଞ୍ଚାୟତ ପତୁରିଆ ଗ୍ରାମର ରବୀନ୍ଦ୍ର ନାୟକ(୨୫)।
ମିଳିଥିବା ସୂଚନା ଅନୁସାରେ ଆଜି ରବିବାର ସନ୍ଧ୍ୟାରେ କିଛି ଦୁର୍ବୃତ୍ତ ଏକ ଗ୍ୟାରେଜ୍ ରେ ପଶି ଅତର୍କିତ ଫାୟାରିଂ କରିଥିଲେ। ଗୁଳିମାଡ଼ରେ କିଶୋରପ୍ରସାଦ ପଞ୍ଚାୟତ ପତୁରିଆ ଗ୍ରାମର ରବୀନ୍ଦ୍ର ନାୟକ ଙ୍କର ମୃତ୍ୟୁ ହୋଇଛି। ରବୀନ୍ଦ୍ର ପାଣ୍ଡରାସିଂହା ଛକରେ ଏକ ବାଇକ୍ ଗ୍ୟାରେଜ କରି ନିଜର ପରିବାର ପ୍ରତିପୋଷଣ କରୁଥିଲେ। ରବିବାର ସନ୍ଧ୍ୟାରେ ରବୀନ୍ଦ୍ର ଗ୍ୟାରେଜରେ ବସିଥିବାବେଳେ ଏକ କାରରେ ୨ଜଣ ଦୁର୍ବୃତ୍ତ ଆସି ହଠାତ୍ ଗ୍ୟାରେଜ ଭିତରେ ପଶି ରବୀନ୍ଦ୍ରଙ୍କୁ ସାମ୍ନାରୁ ଗୁଳି କରି ଫେରାର ହୋଇଯାଇଥିଲେ।
ରବୀନ୍ଦ୍ରଙ୍କ ଡାହାଣ ପାଖ ଛାତିରେ ଗୁଳି ବାଜିଥିବାରୁ ସେ ଗୁରୁତର ଆହତ ହୋଇପଡିଥିଲେ। ଗୁଳିଟି ରବିନ୍ଦ୍ରଙ୍କ ଛାତିରେ ପଶି ପିଠି ପଟେ ବାହାରିଯାଇଥିଲା। ସ୍ଥାନୀୟ ଲୋକେ ତୁରନ୍ତ ରବୀନ୍ଦ୍ରଙ୍କୁ ଉଦ୍ଧାର କରି ଗଣିଆ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।
ଖବର ପାଇ ଘଟଣାସ୍ଥଳରେ ଗଣିଆ ଥାନା ଅଧିକାରୀ ଟଙ୍କଧର ଛତ୍ରିଆ ପହଞ୍ଚି ମୃତଦେହ ଜବତ କରି ତଦନ୍ତ ଆରମ୍ଭ କରିଛନ୍ତି। ପୁଲିସ ଜଣଙ୍କୁ ଅଟକ ରଖିବା ସହ ବନ୍ଧୁକ ଜବତ କରିଛି। ଗୁଳିକାଣ୍ଡର ପ୍ରକୃତ କାରଣ ଜଣାପଡି ନାହିଁ।
