ଅଂଶୁଘାତରେ ରାଜସ୍ୱ ନିରୀକ୍ଷକଙ୍କ ମୃତ୍ୟୁ ଅଭିଯୋଗ

ଭୁବନ,୨୨/୦୫/୨୦୨୬ (ଓଡ଼ିଶା ସମାଚାର)- ଢେ଼ଙ୍କାନାଳ ଜିଲ୍ଲା ଗଁଦିଆ ତହସିଲ ଅନ୍ତର୍ଗତ ବାଇଁସିଆ ରାଜସ୍ୱ ନିରୀକ୍ଷକ ଚୈତନ୍ୟ ଦେହୁରୀ (୩୫)ଙ୍କର ଅଂଶୁଘାତରେ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି । ପ୍ରାପ୍ତ ସୂଚନାନୁଯାୟୀ ଢେଙ୍କାନାଳ ଜିଲ୍ଲା କଙ୍କଡାହାଡ଼ ବ୍ଲକ ମରୁଆବିଲ ଗ୍ରାମର ଚୈତନ୍ୟ ଭୁବନ ତହସିଲରେ ଅମିନ ଭାବେ କାର୍ଯ୍ୟ କରୁଥିଲେ। ନିକଟରେ ତାଙ୍କର ପଦୋନ୍ନତି ହୋଇ ଗଁଦିଆ ତହସିଲରେ ରାଜସ୍ୱ ନିରୀକ୍ଷକ ଭାବେ ଯୋଗ ଦେଇଥିଲେ।

ତେବେ ସେ ଭୁବନରେ ଘର ଭଡା ନେଇ ରହୁଥିଲେ। ଅସହ୍ୟ ଗୁଳୁଗୁଳି ଓ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରଭାବ ଯୋଗୁଁ ଗୁରୁବାର ସନ୍ଧ୍ୟାରେ ସେ ଅସୁସ୍ଥ ହୋଇ ପଡ଼ିଥିଲେ । ଚିକିତ୍ସା ପାଇଁ ତାଙ୍କୁ ଭୁବନ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନିଆ ଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏ ସମ୍ପର୍କରେ ଭୁବନ ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି। ପୋଲିସ ଶବ ଜବତ କରି ତଦନ୍ତ ଚଳାଇଛି ଓ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ପ୍ରକୃତ କାରଣ ଜଣାପଡ଼ିବ ବୋଲି କହିଛି । ଅଂଶୁଘାତରେ ଆରଆଇ ଙ୍କ ମୃତ୍ୟୁ ଘଟଣା ରାଜସ୍ୱ ବିଭାଗ ଓ ସ୍ଥାନୀୟ ଅଞ୍ଚଳରେ ଗଭୀର ଶୋକ ପ୍ରକାଶ ପାଇଛି ।

Leave a Reply

Your email address will not be published. Required fields are marked *